ବାହାରକୁ ଯେତିକି ଚାକଚକ୍ୟ, ଭିତରେ ସେତିକି ତ୍ୟାଗ: ପଡକାଷ୍ଟରେ ରାଷ୍ଟ୍ରପତିଙ୍କ ସୁରକ୍ଷା ଅଧିକାରୀଙ୍କ ଜୀବନଶୈଳୀର ରହସ୍ୟ
ନୂଆଦିଲ୍ଲୀ: ସାଧାରଣତଃ ଟିଭି ପରଦାରେ କିମ୍ବା କୌଣସି ସରକାରୀ କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ପଛରେ ଠିଆ ହୋଇଥିବା ସୁରକ୍ଷା ଅଧିକାରୀ ବା ଏଡ୍-ଡି-କ୍ୟାମ୍ପଙ୍କୁ ଦେଖିଲେ ଖୁବ୍ ଗର୍ବ ଅନୁଭବ ହୁଏ । ବାହାରକୁ ଏହି ପଦବୀ ଯେତିକି ଶକ୍ତିଶାଳୀ ଓ ସମ୍ମାନଜନକ ଲାଗେ, ପ୍ରକୃତରେ ସେହି ଉର୍ଦ୍ଦି ପଛରେ ଥିବା ବ୍ୟକ୍ତିଗତ ତ୍ୟାଗ ଓ ସଂଘର୍ଷ ସେତିକି ବଡ଼। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପୂର୍ବତନ ଏଡିସି ମେଜର ଋଷଭ ସିଂହ ସାମ୍ବ୍ୟାଲ ନିକଟରେ ଏକ ପଡକାଷ୍ଟରେ ସାମିଲ ହୋଇ ଏହି ପଦବୀର କିଛି ଅକୁହା କଥା ଓ ବାସ୍ତବତା ଉପରୁ ପରଦା ଉଠାଇଛନ୍ତି ।
ରାଜ ଶମାନିଙ୍କ ପଡକାଷ୍ଟ ‘ଫିଗରିଂ ଆଉଟ୍’ରେ ଭାଗ ନେଇ ମେଜର ଋଷଭ କହିଛନ୍ତି ଯେ, ଏହି ସମ୍ମାନଜନକ ଦାୟିତ୍ୱ ତୁଲାଇବା ପାଇଁ ଜଣେ ଅଧିକାରୀଙ୍କୁ ନିଜ ବ୍ୟକ୍ତିଗତ ଜୀବନର ସବୁଠାରୁ ବଡ଼ ମୂଲ୍ୟ ଦେବାକୁ ପଡ଼ିଥାଏ । ପ୍ରାୟ ତିନି ବର୍ଷ ଧରି ରାଷ୍ଟ୍ରପତିଙ୍କ ଏଡିସି ଭାବେ କାର୍ଯ୍ୟ କରିଥିବା ଋଷଭ ଏବେ ସୁଦ୍ଧା ଅବିବାହିତ ଅଛନ୍ତି । ଏହା ପଛର ସବୁଠାରୁ ବଡ଼ କାରଣ ହେଉଛି, ରାଷ୍ଟ୍ରପତିଙ୍କ ଏଡିସି ପଦବୀ ପାଇଁ ଏକ ସ୍ୱତନ୍ତ୍ର ନିୟମ ରହିଛି, ଯାହା ଅଧୀନରେ କୌଣସି ଅଧିକାରୀ ନିଜର କାର୍ଯ୍ୟକାଳ ସମୟରେ ବିବାହ କରିପାରିବେ ନାହିଁ । ପରିବାରଠାରୁ ଦୂରରେ ରହିବା ଏବଂ ଏକ ସାଧାରଣ ମଣିଷ ଭଳି ବ୍ୟକ୍ତିଗତ ଜୀବନ ନବଞ୍ଚିପାରିବା ତାଙ୍କ ପାଇଁ ସବୁଠାରୁ ବଡ଼ ତ୍ୟାଗ ଥିଲା ବୋଲି ସେ ପ୍ରକାଶ କରିଛନ୍ତି ।
ଜଣେ ଏଡିସିଙ୍କ କାମ କେବଳ ରାଷ୍ଟ୍ରପତିଙ୍କ ପଛରେ କାର୍ଯ୍ୟକ୍ରମରେ ଠିଆ ହେବା ନୁହେଁ । ଏହା ଏକ ୨୪ ଘଣ୍ଟିଆ ଡ୍ୟୁଟି, ଯେଉଁଠି ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍, କାର୍ଯ୍ୟକ୍ରମର ରୂପରେଖ ଓ ତାଙ୍କର ପ୍ରତିଟି ଛୋଟବଡ଼ ଆବଶ୍ୟକତା ଉପରେ କଡ଼ା ନଜର ରଖିବାକୁ ପଡ଼ିଥାଏ । ମେଜର ଋଷଭଙ୍କ ମତରେ, ରାଷ୍ଟ୍ରପତିଙ୍କ ସହ କାମ କରୁଥିବା ବେଳେ ସାଙ୍ଗସାଥୀଙ୍କ ସହ ବାହାରକୁ ବୁଲିବାକୁ ଯିବା କିମ୍ବା ପରିବାର ସହ ସମୟ ବିତାଇବା ସମ୍ଭବ ହୋଇନଥାଏ । ସୁରକ୍ଷା ଓ ପ୍ରୋଟୋକଲରେ ଯେପରି କୌଣସି ତ୍ରୁଟି ନରହେ, ସେଥିପାଇଁ ଅଧିକାରୀଙ୍କୁ ସବୁବେଳେ ସଜାଗ ରହିବାକୁ ପଡ଼େ ।
ଏତେ ବଡ଼ ଦାୟିତ୍ୱ ଭିତରେ ବେଳେବେଳେ ଏକାକୀପଣ ଅନୁଭବ ହେବା ସ୍ୱାଭାବିକ । କିନ୍ତୁ ମେଜର ଋଷଭ ଏହି ନିଃସଙ୍ଗତାକୁ ନକାରାତ୍ମକ ଭାବେ ନନେଇ ନିଜକୁ ଆବିଷ୍କାର କରିବାର ଏକ ସୁଯୋଗ ଭାବେ ଗ୍ରହଣ କରିଥିଲେ । ଏକାକୀ ସମୟ ବିତାଇବା ଦ୍ୱାରା ସେ ନିଜର ଚିନ୍ତାଧାରା ଓ ଭଲ-ମନ୍ଦ ଗୁଣ ବିଷୟରେ ଅଧିକ ଜାଣିବାକୁ ପାଇଥିଲେ ବୋଲି ପଡକାଷ୍ଟରେ କହିଛନ୍ତି । ଜଣେ ସାମରିକ ଅଧିକାରୀଙ୍କ ଏହି ଅନୁଭୂତି ପ୍ରମାଣ କରୁଛି ଯେ, ଦେଶ ସେବାରେ ନିୟୋଜିତ ବ୍ୟକ୍ତିମାନେ ନିଜ କର୍ତ୍ତବ୍ୟ ଆଗରେ ସବୁବେଳେ ନିଜର ସୁଖସ୍ୱାଚ୍ଛନ୍ଦ୍ୟକୁ ବଳିଦାନ ଦେଇଥାନ୍ତି ।

