Latest Odisha News

BREAKING NEWS

Balianta Soumya Murder Case: ତଦନ୍ତ ବାଟବଣା ହେଉଥିବା ଆଶଙ୍କା, ଅସଲ ଅପରାଧୀଙ୍କୁ ଘଣ୍ଟ ଘୋଡ଼ାଉଛି ପୋଲିସ?

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଅଞ୍ଚଳରେ ଘଟିଥିବା ବହୁଚର୍ଚ୍ଚିତ ସୌମ୍ୟରଞ୍ଜନ ହତ୍ୟା ମାମଲାରେ ଏବେ ଏକ ନୂଆ ମୋଡ଼ ଆସିଛି । ନିଜ ପୁଅକୁ ହରାଇ ନ୍ୟାୟ ପାଇଁ ଲଢ଼େଇ କରୁଥିବା ଜଣେ ଅସହାୟ ମା’ ପୋଲିସର ତଦନ୍ତ ପ୍ରକ୍ରିୟା ଓ ପ୍ରସ୍ତୁତ ହୋଇଥିବା ଚାର୍ଜସିଟକୁ ନେଇ ସାଂଘାତିକ ପ୍ରଶ୍ନ ଉଠାଇଛନ୍ତି । ସେ ବର୍ତ୍ତମାନର ତଦନ୍ତକାରୀ ଅଧିକାରୀଙ୍କୁ ତୁରନ୍ତ ଦାୟିତ୍ୱରୁ ହଟାଇବାକୁ ଦାବି କରିଛନ୍ତି ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅଭିଯୋଗ କରିଛନ୍ତି ଯେ, ତାଙ୍କ ପୁଅ ହତ୍ୟାକାଣ୍ଡର ତଦନ୍ତ ସମ୍ପୂର୍ଣ୍ଣ ବାଟବଣା ହୋଇଛି। ପୋଲିସ ପ୍ରସ୍ତୁତ କରିଥିବା ଚାର୍ଜସିଟ୍‌ରେ ଅନେକ ତ୍ରୁଟି ରହିଛି ଏବଂ ପ୍ରକୃତ ଘଟଣାକୁ ଲୁଚାଇବାକୁ ହୀନ ପ୍ରୟାସ କରାଯାଇଛି। ତାଙ୍କ କହିବା ଅନୁଯାୟୀ, ମାମଲାର ପ୍ରମୁଖ ପ୍ରମାଣଗୁଡ଼ିକୁ ପୋଲିସ ଉଦ୍ଦେଶ୍ୟମୂଳକ ଭାବେ ଅଣଦେଖା କରିଛି ଏବଂ ଅସଲ ଅପରାଧୀଙ୍କୁ ଖସାଇ ଦେବା ପାଇଁ ଉଦ୍ୟମ କରାଯାଉଛି। ଚାର୍ଜସିଟ୍‌ରେ ଦର୍ଶାଯାଇଥିବା ହତ୍ୟାର କାରଣ ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏବଂ ପୋଲିସ ମହାନିର୍ଦ୍ଦେଶକଙ୍କୁ ଏହି ସମ୍ବେଦନଶୀଳ ମାମଲାରେ ତୁରନ୍ତ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି । ଯେହେତୁ ସ୍ଥାନୀୟ ପୋଲିସର ତଦନ୍ତ ଉପରେ ତାଙ୍କର ଆଉ ଟିକିଏ ବି ଭରସା ନାହିଁ, ତେଣୁ ଘଟଣାର ପ୍ରକୃତ ସତ୍ୟାସତ୍ୟ ଲୋକଲୋଚନକୁ ଆଣିବା ପାଇଁ ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ଏକ ନିରପେକ୍ଷ ବିଚାର ବିଭାଗୀୟ ତଦନ୍ତ କରାଯାଉ ବୋଲି ସେ ଦାବି କରିଛନ୍ତି ।

ଏହି ସମ୍ବେଦନଶୀଳ ମାମଲାରେ ପ୍ରକୃତ ଦୋଷୀମାନଙ୍କୁ କଠୋର ଦଣ୍ଡ ମିଳୁ ବୋଲି ପରିବାର ଲୋକେ ଦାବି କରିଛନ୍ତି । ପୋଲିସ ଓ ପ୍ରଶାସନିକ ସ୍ତରରେ ଯଦି କୌଣସି ଅବହେଳା ହୁଏ, ତେବେ ତାଙ୍କ ପୁଅର ଆତ୍ମା ଶାନ୍ତି ପାଇବ ନାହିଁ । ଏହି ପୂରା ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯିବା ସହ କର୍ତ୍ତବ୍ୟରେ ଖିଲାପ କରିଥିବା ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଗୁହାରି କରିଛନ୍ତି ।

ନିକଟରେ ଏହି ମାମଲାରେ ୨୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଇତିମଧ୍ୟରେ ୬ ଜଣ ଅଭିଯୁକ୍ତ ସହଜରେ ଜାମିନ ପାଇବାରେ ସଫଳ ହୋଇଛନ୍ତି । ପୋଲିସ ଜାଣିଶୁଣି ଦୁର୍ବଳ ଦଫା ଲଗାଇଥିବାରୁ ଅଭିଯୁକ୍ତମାନେ ଖସିଯିବାର ବାଟ ପାଇଯାଉଛନ୍ତି ବୋଲି ପରିବାର ଲୋକେ ଆଭିଯୋଗ କରିଛନ୍ତି ।

Comments are closed.