Latest Odisha News

BREAKING NEWS

ରାଷ୍ଟ୍ରପତିଙ୍କ ଅଭିଭାଷଣ ସହ ପାର୍ଲାମେଣ୍ଟର ବଜେଟ୍ ଅଧିବେଶନ ଆରମ୍ଭ

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହୋଇଛି ପାର୍ଲାମେଣ୍ଟର ବଜେଟ୍ ଅଧିବେଶନ । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ସହ ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି । ପାର୍ଲାମେଣ୍ଟର ସେଣ୍ଟ୍ରାଲ୍ ହଲରେ ଉଭୟ ଗୃହକୁ ସମ୍ବୋଧିତ କରୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସ୍ୱାଧୀନତାରେ ୭୫ ବର୍ଷ ଭିତରେ ଦେଶର ବିକାଶ ଯାତ୍ରାରେ ଯୋଗଦାନ ଦେଇଥିବା ସମସ୍ତ ମହାପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ନିଜ ଅଭିଭାଷଣ ଆରମ୍ଭ କରିଛନ୍ତି ରାଷ୍ଟ୍ରପତି ।

କରୋନା ବିରୋଧୀ ଲଢ଼େଇରେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ଫ୍ରଣ୍ଟ ଲାଇନ୍ ଓ୍ୱାର୍କର୍ସ ଓ ପ୍ରତିଟି ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରପତି । ସେ କହିଛନ୍ତି, ସରକାର ଓ ସାଧାରଣ ଲୋକଙ୍କ ଭିତରେ ପରସ୍ପର ବିଶ୍ୱାସ, ସମନ୍ୱୟ ଓ ସହଯୋଗ ଗଣତନ୍ତ୍ର ଶକ୍ତିର ଅଦ୍ଭୁତପୂର୍ବ ଉଦାହରଣ ।

କୋଭିଡ୍ ମହାମାରୀ ବିରୋଧୀ ଲଢ଼େଇରେ ଭାରତର ସାମର୍ଥ୍ୟର ପ୍ରମାଣ ଟିକାକରଣ କାର୍ୟ୍ୟକ୍ରମରେ ଦେଖିବାକୁ ମିଳିଛି । ଗୋଟିଏ ବର୍ଷ ଭିତରେ ୧୫୦ କୋଟି ଡୋଜ୍ ଟିକାକରଣ କରିବାର ରେକର୍ଡ କରି ପାରିଛନ୍ତି । ଦେଶରେ ୯୦ପ୍ରତିଶତରୁ ଅଧିକ ବୟସ୍କଙ୍କୁ ଟିକାର ଗୋଟିଏ ଲେଖାଏ ଡୋଜ୍ ଦିଆସରିଛି । ୭୦ପ୍ରତିଶତରୁ ଅଧିକ ଦୁଇଟିଯାକ ଡୋଜ୍ ନେଲେଣି ।

ରାଷ୍ଟ୍ରପତି କହିଛନ୍ତି, ଭାରତରେ ନିର୍ମିତ ଟିକା ବିଶ୍ୱକୁ ମହାମାରୀ ମୁକ୍ତ ଓ କୋଟି କୋଟି ଲୋକଙ୍କ ଜୀବନ ରକ୍ଷା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି । ୬୫ହଜାର କୋଟିରେ ସରକାର କାର୍ଯ୍ୟକାରୀ କରିଥିବା ଆୟୁଷ୍ମାନ ଭାରତ ହେଲଥ ଇନଫ୍ରାଷ୍ଟ୍ରକଚର ମିଶନ ଉପରେ ବି ଆଲୋକପାତ କରିଛନ୍ତି ରାଷ୍ଟ୍ରପତି । ୮୦ହଜାରରୁ ଅଧିକ ଜନଷୌଧି କେନ୍ଦ୍ର ଜରିଆରେ ଲୋକଙ୍କୁ କମ୍ ଦାମରେ ଔଷଧ ଉପଲବ୍ଧ କରାଉଛନ୍ତି ସରକାର ।

ସେହିପରି କୃଷି, ସହରାଞ୍ଚଳ ବିକାଶ, ଗ୍ରାମ୍ୟ ଉନ୍ନୟନ, ଶିକ୍ଷା ଆଦି ପ୍ରସଙ୍ଗରେ ସରକାର ନେଇଥିବା ବିଭିନ୍ନ କଲ୍ୟାଣକାରୀ ଯୋଜନା ଓ ଏହାର ସଫଳତା ବାବଦରେ ସଂସଦର ଉଭୟ ଗୃହକୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

Comments are closed, but trackbacks and pingbacks are open.