Latest Odisha News

କାଲିଠୁ ବିଧାନସଭା ବଜେଟ୍ ଅଧିବେଶନ, ୨ ବର୍ଷ ପରେ ସାମ୍ବାଦିକଙ୍କ ପାଇଁ ଖୋଲିବ ପ୍ରେସ୍ ଗ୍ୟାଲେରି

ଭୁବନେଶ୍ୱର: ମଙ୍ଗଳବାର ଠାରୁ ଆରମ୍ଭ ହେବ ବିଧାନସଭା ବଜେଟ୍ ଅଧିବେଶନ । ବଜେଟ୍ ଅଧିବେଶନରେ ସାମ୍ବାଦିକଙ୍କ ଲାଗି ପ୍ରେସ୍ ଗ୍ୟାଲେରି ଓ ସାଧାରଣ ଲୋକଙ୍କ ପାଇଁ ଭିଉର୍ସ ଗ୍ୟାଲେରି ପୁଣି ଥରେ ଖୋଲିବ ବୋଲି ଜଣାପଡ଼ିଛି ।

ଆଜି ସର୍ବଦଳୀୟ ବୈଠକ ପରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । କହିଛନ୍ତି, ସୁରୁଖୁରୁରେ ଗୃହ ପରିଚାଳନା ଲାଗି ସମସ୍ତଙ୍କ ସହଯୋଗ ଲୋଡ଼ା ଯାଇଛି । ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି, ସର୍ବଦଳୀୟ ବୈଠକରେ ୧୪ଟି ପ୍ରସଙ୍ଗରେ ଆଲୋଚନା ହୋଇଛି ।

କୋଭିଡ୍ କଟକଣା ପାଇଁ ୨ ବର୍ଷ ହେବ ପ୍ରେସ୍ ଗ୍ୟାଲେରି ସହ ଭିଉର୍ସ ଗ୍ୟାଲେରି ବନ୍ଦ ଥିଲା । କୋଭିଡ୍ ସମୟରେ ଏହି ୨ ଗ୍ୟାଲେରିରେ କୋଭିଡ୍ କଟକଣା ଅନୁସାରେ ବିଧାୟକ ବସି ଗୃହ କାର୍ଯ୍ୟରେ ଭାଗ ନେଉଥିଲେ । କିନ୍ତୁ କୋଭିଡ୍ କଟକଣା ହଟିବା ପରେ ବି ପ୍ରେସ୍ ଗ୍ୟାଲେରିକୁ ଛଡ଼ା ନଯିବା ନେଇ ସାମ୍ବାଦିକ ଓ ବିରୋଧୀ ଦଳ ପ୍ରତିବାଦ କରିଥିଲେ ।

ଚଳିତ ଅଧିବେଶନରେ ସଦସ୍ୟମାନେ ତାଙ୍କ ଲାଗି ଉଦ୍ଦିଷ୍ଟ ଆସନରେ ବସି ଗୃହ କାର୍ଯ୍ୟରେ ଭାଗ ନେଇ ପାରିବେ । ଶାରିରୀକ ଅସୁସ୍ଥ ସଦସ୍ୟ ଭର୍ଚୁଆଲ୍ ମାଧ୍ୟମରେ ବିଧାନସଭା କାର୍ଯ୍ୟରେ ଭାଗ ନେଇ ପାରିବେ ବୋଲି ସୂଚନା ଦେଇଛନ୍ତି ବାଚସ୍ପତି । ତେବେ ଏହି ନିଷ୍ପତ୍ତିକୁ ବିରୋଧ କରି ବିଜେପି ସର୍ବଦଳୀୟ ବୈଠକକୁ ବୟକଟ୍ କରିଛି ।

Leave A Reply

Your email address will not be published.