Latest Odisha News

ସ୍ପୋକନ୍ ଇଂରାଜୀ ଶିକ୍ଷାକୁ ଉତ୍କଳ ସମ୍ମିଳନୀର ବିରୋଧ

ଭୁବନେଶ୍ୱର: ରାଜ୍ୟର ୧୦୧ ବିଦ୍ୟାଳୟରେ ଇଂରାଜୀ ସେକ୍ସନ ଖୋଲିବା ଏବଂ ପ୍ରଥମ ଶ୍ରେଣୀରୁ ସ୍ପୋକନ୍ ଇଂରାଜୀ ଶିକ୍ଷା ପ୍ରଚଳନ କରାଯିବାକୁ ହୋଇଥିବା ନିଷ୍ପତିକୁ ଉତ୍କଳ ସମ୍ମିଳନୀ ପକ୍ଷରୁ ଦୃଢ଼ବିରୋଧ କରାଯାଇଅଛି ।

ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସଭାପତି ବସନ୍ତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତା ଏବଂ ସାଧାରଣ ସମ୍ପାଦକ ଡ଼ା ରାଧାନାଥ ପ୍ରହରାଜଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇ ଏ ସଂକ୍ରାନ୍ତରେ ବୈଠକରେ ମତ ପ୍ରକାଶ ପାଇଛି ଯେ ଏହି ଆଦେଶ ପାଳନ କରାଗଲେ ବୁଝାଯିବ ସରକାର ରାଜ୍ୟରେ ୧୦୧ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସ୍ଥାପନ କଲେ ଏବଂ ସମସ୍ତ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ସ୍ପୋକନ୍ ଇଂରାଜୀ ପ୍ରଚଳନ ଅର୍ଥ ଆମର ଗୌରବମୟ ଭାଷା ଏବଂ ଉନ୍ନତ ସଂସ୍କୃତିକୁ ରୁଗ୍‌ଣ କରି ହତ୍ୟା କରିବାର ବାଟ ଉନ୍ମୁକ୍ତ କରିଦେଲେ ।

ସମ୍ମିଳନୀର ମତ ହେଲା ବାସ୍ତବରେ ସରକାର ଯଦି ଶିକ୍ଷା ବ୍ୟବସ୍ଥାରେ ଛାତ୍ରସମୂହଙ୍କ ଉନ୍ନତି ଚାହୁଁଥାଆନ୍ତି ତେବେ ରାଜ୍ୟ ସରକାରଙ୍କ ନିଜସ୍ୱ ବିଦ୍ୟାଳୟ, ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଏବଂ ରାଜ୍ୟ ସରକାରଙ୍କ ସମସ୍ତ ସ୍ୱିକୃତୀପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକରେ ମାଧ୍ୟମିକ ଶିକ୍ଷା ପର୍ଯ୍ୟନ୍ତ ସମସ୍ତ ଶ୍ରେଣୀରେ ସମାନ ପ୍ରକାର ପାଠ୍ୟକ୍ରମ ପ୍ରଚଳନ କରିବା ସହ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଗୁଡ଼ିକରେ କେବଳ ଇଂରାଜୀ ମାଧ୍ୟମରେ ଶିକ୍ଷାଦାନ କରାଯାଉ ଏବଂ ଏହିଗୁଡ଼ିକରେ ମଧ୍ୟ ଓଡ଼ିଆକୁ ଏକ ବାଧ୍ୟତାମୂଳକ ପରୀକ୍ଷଣୀୟ ବିଷୟ ଭାବରେ ପ୍ରଚଳନ କରାଯାଉ ।

ପୁନଶ୍ଚ ପ୍ରଥମଶ୍ରେଣୀରୁ ସ୍ପୋକନ୍ ଇଂରାଜୀ ଶିକ୍ଷା ପ୍ରଚଳନ ଚିନ୍ତା ଛାଡି ଇଂରାଜୀ ଜ୍ଞାନକୁ ଦୃଢ଼ କରିବା ଆବଶ୍ୟକ ହେଲେ ଅଧିକ ସଂଖ୍ୟକ ଶିକ୍ଷକ ନିଯୁକ୍ତ କରି ତାହା କରାଯାଉ । ଏତଦ୍‌ବ୍ୟତୀତ ପିଲାଟି ପ୍ରଥମ ଶ୍ରେଣୀକୁ ଆସିବା ପୂର୍ବରୁ ସେ କିପରି ଆମ ସଂସ୍କୃତିର ପରିଚାୟକ “ନାନା ବାୟା ଗୀତ” ମାଧ୍ୟମରେ “ଆ’ଜହ୍ନମାମୁଁ …….” ଏବଂ “ଧୋରେ ବାୟା ଧୋ………” ଇତ୍ୟାଦି ଗୀତ ଗୁଡ଼ିକ ସହ ଅଭ୍ୟସ୍ତ ହେବ, ତାହା ଦେଖିବା ସରକାରଙ୍କ ପାଇଁ ଅଧିକ ଜରୁରୀ ।

ଉତ୍କଳ ସମ୍ମିଳନୀରେ ଆଜିର ବୈଠକରେ କର୍ମକର୍ତା ଓ ସଦସ୍ୟ ମାନଙ୍କ ମାଧ୍ୟମରେ ଡ଼କ୍ଟର ଗୌରାଙ୍ଗ ପ୍ରସାଦ ବେହେରା, ଗୌରାଙ୍ଗ ଚରଣ ହୋତା, ପ୍ରାଧ୍ୟାପକ ଦୁର୍ଯ୍ୟୋଧନ ପରିଡ଼ା, ତାପସ ରଜଂନ ମିଶ୍ର, ତ୍ରିନାଥ ସାମନ୍ତରାୟ, ବନଲତା ମିଶ୍ର, ପ୍ରଫେସର ଡ଼ା କାଶୀନାଥ ରଥ,ପଠାଣୀ ଜେନା ଓ ଡ଼ା ବାନାମ୍ବର ପରିଡ଼ା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.