Latest Odisha News

BREAKING NEWS

ଏମିତି ଏକ ଗାଁ ଯେଉଁଠି ପୁଅ ହେଲେ ପାଳନ ହୁଏ ଦଶହରା !

ଭୁବନେଶ୍ୱର: ଅସତ୍ୟ ଉପରେ ସତ୍ୟ, ଅନ୍ୟାୟ ଉପରେ ନ୍ୟାୟ ଏବଂ ଅନ୍ଧକାର ଉପରେ ଆଲୋକର ବିଜୟ ପର୍ବ ଦଶହରା । ଦେବଭୂମି ଭାରତରେ ସବୁ ପର୍ବ ପରି ଏହି ପାର୍ବଣର ମଧ୍ୟ ରହିଛି ବେଶ୍ ଚମତ୍କାରିତା । ମାତୃଶକ୍ତିର ପ୍ରଚଣ୍ଡ ସ୍ୱରୂପ ପ୍ରଦର୍ଶନ କରୁଥିବା ଏହି ପର୍ବକୁ ସାରା ଦେଶରେ ବେଶ୍ ଆଡ଼ମ୍ବର ତଥା ଧୁମଧାମରେ ପାଳନ କରାଯାଏ । କିନ୍ତୁ ଭାରତରେ ଏଭଳି ମଧ୍ୟ କିଛି ସ୍ଥାନ ରହିଛି ଯେଉଁଠି ଦଶହରା ପାଳନ ହୁଏ ନାହିଁ ।

ଏଭଳି ଏକ ସ୍ଥାନ ହେଉଛି ଉତ୍ତରପ୍ରଦେଶ ମେରଠ ଅନ୍ତର୍ଗତ ପରତାପୁରର ଗଗୋଲ ଗ୍ରାମ । ଏହି ଗ୍ରାମ ‘ଗଗୋଲ ତୀର୍ଥ’ ନିକଟବର୍ତ୍ତୀ ହୋଇଥିବାରୁ ଏହାର ଏପରି ନାମ କାରଣ କରାଯାଇଛି । ପ୍ରାୟ ୧୬୦ ବର୍ଷ ହେବ ଏହି ଗ୍ରାମରେ ଦଶହରା ପାଳନ କରାଯାଉ ନାହିଁ ।

ଗଗୋଲ ତୀର୍ଥରେ ପୂଜାର୍ଚ୍ଚନା କରୁଥିବା ପୁରୋହିତଙ୍କ କହିବାନୁଯାୟୀ ଏହି ଗ୍ରାମ ଏବଂ ତୀର୍ଥ ପ୍ରାୟ ୩ ହଜାର ବର୍ଷ ପ୍ରାଚୀନ । ଏଠାରେ ମହର୍ଷି ବିଶ୍ଵାମିତ୍ର ତପସ୍ୟା କରୁଥିଲେ । ରାବଣ ପତ୍ନୀ ମନ୍ଦୋଦରିଙ୍କ ପିତା ମୟଦାନବ ତାଙ୍କ ତପସ୍ୟାରେ ବାଧା ସୃଷ୍ଟି କରୁଥିବାରୁ, ବିଶ୍ଵାମିତ୍ର ନିଜ ସହ ରାମ-ଲକ୍ଷ୍ମଣଙ୍କୁ ଆଣି ମୟଦାନବର ବଦ୍ଧ କରାଇ ଗଗୋଲ ଗ୍ରାମକୁ ରାକ୍ଷାସଙ୍କ ଅତ୍ୟାଚାରରୁ ମୁକ୍ତ କରାଇଥିଲେ । ମେରଠକୁ ରାବଣର ଶଶୁର ଘର ବୋଲି ମଧ୍ୟ କୁହାଯାଏ ।

ତେବେ ୧୮୫୭ ମସିହା ସ୍ୱାଧୀନତା ସଂଗ୍ରାମ ଅବସରରେ ବ୍ରିଟିଶ ସରକାର ଗଗୋଲ ଉପରେ ଆକ୍ରମଣ କରି ବିଦ୍ରୋହ କରୁଥିବା ଅଭିଯୋଗରେ ଗାଁର ୯ଜଣଙ୍କୁ ବାନ୍ଧି ନେଲେ । ଦଶହରା ଦିନ ହିଁ ବନ୍ଦୀ ମାନଙ୍କୁ ଆଣି ତୀର୍ଥ ନିକଟସ୍ଥ ଅଶ୍ୱସ୍ଥ ଗଛରେ ଫାଶୀ ଦେଇଥିଲେ । ଦଶହରା ଭଳି ଏକ ଖୁସିର ଦିନରେ ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଥିଲା ଯାହାକୁ ଗ୍ରାମବାସୀ ମାନେ ଗ୍ରହଣ କରିପାରିନଥିଲେ । ପରେ ସେମାନଙ୍କୁ ସେଠାରେ ସମାଧି ଦେବା ସହ ଆଜି ପର୍ଯ୍ୟନ୍ତ ପ୍ରତ୍ୟେକ ଦଶହରାରେ ଗ୍ରାମବାସୀ ନିଜ ଗାଁର ଏହି ବୀର ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଆସୁଛନ୍ତି । ସେହିଦିନରୁ ଆଜି ଯାଏଁ ଗାଁରେ ଦଶହରା ପାଳନ କରାଯାଏ ନାହିଁ । କିନ୍ତୁ ଦଶହରା ଦିନ ଯଦି କାହାର ପୁତ୍ର ସନ୍ତାନ ଜାତ ହୁଏ ତେବେ କେବଳ ସେହିଦିନ ହିଁ ଗାଁରେ ଦଶହରା ଉତ୍ସବ ପାଳନ ହୁଏ ।

Leave A Reply

Your email address will not be published.