ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଶ୍ରମିକମାନଙ୍କୁ କାର୍ଯ୍ୟରେ ନିୟୋଜିତ ନ କରିବାକୁ ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ପୂର୍ତ୍ତ ବିଭାଗର ଇଆଇସି ସମସ୍ତ ଜୋନ୍ର ମୁଖ୍ୟ ନିର୍ମାଣ ଯନ୍ତ୍ରୀ, ଅଧୀକ୍ଷଣ ଯନ୍ତ୍ରୀମାନଙ୍କୁ ଏହି ମର୍ମରେ ପତ୍ର ଲେଖିଛନ୍ତି ।
ବିଭାଗ ପକ୍ଷରୁ ପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଗ୍ରୀଷ୍ଣପ୍ରବାହ ପରିପ୍ରେକ୍ଷୀରେ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଶ୍ରମିକମାନଙ୍କୁ ଖରାରେ କାର୍ଯ୍ୟ ନ କରାଇବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି । କିନ୍ତୁ କିଛି ସ୍ଥାନରେ ଏହି ସମୟରେ ଶ୍ରମିକମାନଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଉଥିବା ଗଣମାଧ୍ୟମ ସୂତ୍ରରୁ ସରକାରଙ୍କ ଦୃଷ୍ଟିକୁ ଆସିଛି ।
ଏଣୁ ଠିକା ସଂସ୍ଥାମାନେ ପ୍ରତିବନ୍ଧିତ ସମୟରେ କାର୍ଯ୍ୟ ବନ୍ଦ କରିବା ସହ ଶ୍ରମିକମାନଙ୍କ ପାଇଁ ଛାୟାର ବ୍ୟବସ୍ଥା (ରେଷ୍ଟ ସେଡ୍) ସହ ପାନୀୟ ଜଳ ଓ ଫାଷ୍ଟ ଏଡ୍ ଉପଲବ୍ଧ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ କ୍ଷେତ୍ର କର୍ମଚାରୀମାନେ ଏଥି ପ୍ରତି ସଜାଗ ରହିବା ସହ କୌଣସି ଅପ୍ରୀତିକାର ପରିସ୍ଥିତି ଉପୁଜିବା ପୂର୍ବରୁ ସଚେତନତା ସୃଷ୍ଟି କରିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।