ପୁରୀ: ଶ୍ରୀମନ୍ଦିରର ବିଭିନ୍ନ ପାରମ୍ପରିକ ନୀତିକାନ୍ତି ଏବଂ ଶ୍ରୀଜୀଉଙ୍କ ବିଭିନ୍ନ ବେଶ, ବିଶେଷକରି ଗଜ ଉଦ୍ଧାରଣ ବେଶ ପାଇଁ ଶ୍ରୀକ୍ଷେତ୍ରରେ ହାତୀର ଆବଶ୍ୟକତା ରହିଛି। ଏହି ଆବଶ୍ୟକତାକୁ ପୂରଣ କରିବା ପାଇଁ ଜଗନ୍ନାଥ ସେନା ପକ୍ଷରୁ ଆସାମର ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମାଙ୍କ ନିକଟରେ ଏକ ସ୍ୱତନ୍ତ୍ର ଅନୁରୋଧ କରାଯାଇଛି। ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଏ ନେଇ ସୂଚନା ଦେଇ କହିଛନ୍ତି ଯେ, ଶ୍ରୀଜୀଉଙ୍କ ସହ ହାତୀର ସମ୍ପର୍କ ଅତୁଟ। ପୁରୀ ଗଜପତି ମହାରାଜାଙ୍କ ପରମ୍ପରା ଓ ମହାପ୍ରଭୁଙ୍କ ନୀତିକାନ୍ତି ପାଇଁ ଗଜରାଜଙ୍କ ସେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ଉଦ୍ଦେଶ୍ୟରେ ଆସାମ ସରକାର ଓଡ଼ିଶାକୁ ଏକ ହାତୀ ପ୍ରଦାନ କଲେ, ତାହା କାମାକ୍ଷା ପୀଠ ଓ ଶ୍ରୀକ୍ଷେତ୍ର ମଧ୍ୟରେ ସମ୍ପର୍କକୁ ଆହୁରି ନିବିଡ଼ କରିବ।
ସୂଚନାଯୋଗ୍ୟ ଯେ, ଏହି ପ୍ରୟାସ ପାଇଁ ପଟ୍ଟନାୟକ ବ୍ୟକ୍ତିଗତ ଭାବେ ଆସାମ ଗସ୍ତ କରୁଛନ୍ତି। ଜଗନ୍ନାଥ ସେନା ପକ୍ଷରୁ ଏହା ମଧ୍ୟ ସ୍ପଷ୍ଟ କରାଯାଇଛି ଯେ, ଯଦି ଆସାମ ସରକାରଙ୍କ ପକ୍ଷରୁ ହାତୀ ମିଳିବାରେ ବିଳମ୍ବ ହୁଏ, ତେବେ ଅନ୍ୟ ରାଜ୍ୟ ଯେପରିକି କେରଳ, ତାମିଲନାଡୁ, ନେପାଳ କିମ୍ବା କର୍ଣ୍ଣାଟକରୁ ହାତୀ କ୍ରୟ କରିବାର ବିକଳ୍ପ ଚିନ୍ତା କରାଯିବ। ଏହି ଘଟଣା ଏବେ ଶ୍ରୀକ୍ଷେତ୍ରରେ ଚର୍ଚ୍ଚାର ବିଷୟ ପାଲଟିଛି। ରାଜ୍ୟ ସରକାର ଏବଂ ଶ୍ରୀମନ୍ଦିର ପ୍ରଶାସନ ଏ ଦିଗରେ କି ପଦକ୍ଷେପ ନେଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର।
