ସ୍କୁଲ ବହି ଭୁଲ୍ ପ୍ରସଙ୍ଗ: ସାମ୍ନାକୁ ଆସିଲା ପାଠ୍ୟପୁସ୍ତକ ପ୍ରସ୍ତୁତ କରିଥିବା ହାଇପ୍ରୋଫାଇଲ୍ କମିଟି ତାଲିକା; ଏତେ ବିଶେଷଜ୍ଞ ଥାଇ ବି କେମିତି ରହିଲା ସାଙ୍ଘାତିକ ତ୍ରୁଟି?
ଭୁବନେଶ୍ୱର: ରାଜ୍ୟର ସରକାରୀ ସ୍କୁଲଗୁଡ଼ିକରେ ବଣ୍ଟା ଯାଇଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟିକୁ ନେଇ ବିବାଦ ତେଜିବାରେ ଲାଗିଛି। ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ଓ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ମଧ୍ୟରେ ଏବେ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଏହି ପାଠ୍ୟପୁସ୍ତକଗୁଡ଼ିକର ପ୍ରସ୍ତୁତି, ସମୀକ୍ଷା ଓ ଚୂଡ଼ାନ୍ତ ସମ୍ପାଦନା ଦାୟିତ୍ୱରେ ଥିବା ‘ଷ୍ଟେଟ୍ ଷ୍ଟିଅରିଂ କମିଟି’ ଏବଂ ‘କୋର୍ କମିଟି’ର ସମ୍ପୂର୍ଣ୍ଣ ତାଲିକା ଏବେ ପ୍ରକାଶ ପାଇଛି।
ଆଶ୍ଚର୍ଯ୍ୟର କଥା ହେଉଛି, ଏହି ଦୁଇଟି ଯାକ କମିଟିରେ ଦେଶ ଓ ରାଜ୍ୟର ଅନେକ ପ୍ରତିଷ୍ଠିତ ଶିକ୍ଷାବିତ୍ ଏବଂ ପ୍ରାଥମିକ ଶିକ୍ଷା ବିଶେଷଜ୍ଞ ସାମିଲ ଥିଲେ। ଏଭଳି ଏକ ହାଇପ୍ରୋଫାଇଲ୍ ଟିମ୍ର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବହି ପ୍ରସ୍ତୁତ ହୋଇଥିଲେ ସୁଦ୍ଧା ଏଥିରେ କେମିତି ଏତେ ସାଙ୍ଘାତିକ ଭୁଲ୍ ରହିଗଲା, ତାହାକୁ ନେଇ ଏବେ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ପାଠ୍ୟପୁସ୍ତକ ପ୍ରସ୍ତୁତିର ରୂପରେଖ ପ୍ରସ୍ତୁତ କରିବା ଠାରୁ ଆରମ୍ଭ କରି ତାର ଚୂଡ଼ାନ୍ତ ଯାଞ୍ଚ ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟାର ନେତୃତ୍ୱ ନେଇଥିଲେ ପ୍ରଫେସର ନିତ୍ୟାନନ୍ଦ ପ୍ରଧାନ। ସେ ଆରଆଇଇ (RIE) ଭୋପାଳର ଅବସରପ୍ରାପ୍ତ ପ୍ରିନ୍ସିପାଲ୍। ସେ ଏହି ଦୁଇଟି ଯାକ ଗୁରୁତ୍ୱପୂର୍ଣ୍ଣ କମିଟିର ଅଧ୍ୟକ୍ଷ ବା ଚେୟାରମ୍ୟାନ୍ ଭାବେ ଦାୟିତ୍ୱ ତୁଲାଇଥିଲେ।
ପାଠ୍ୟପୁସ୍ତକର ମୂଳ ନୀତି ଓ ବିଷୟବସ୍ତୁ ନିର୍ଦ୍ଧାରଣ ପାଇଁ ଗଠିତ ୧୯ ଜଣିଆ ରାଜ୍ୟ ଷ୍ଟିଅରିଂ କମିଟିରେ ଶିକ୍ଷା ଜଗତର ଅନେକ ବଡ଼ ବଡ଼ ନାଁ ସାମିଲ ଥିଲା। ଏହି କମିଟିରେ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦର ନିର୍ଦ୍ଦେଶିକା ମଧୁସ୍ମିତା ସାହୁ ଆବାହକ ଥିବା ବେଳେ ପ୍ରମୁଖ ସଦସ୍ୟମାନେ ହେଲେ, ପ୍ରଫେସର ହୃଷୀକେଶ ସେନାପତି (ଏନସିଇଆରଟିର ପୂର୍ବତନ ନିର୍ଦ୍ଦେଶକ), ଡକ୍ଟର ଗୋପାଳ ପ୍ରସାଦ ମହାପାତ୍ର (ଅବସରପ୍ରାପ୍ତ ଆସୋସିଏଟ୍ ପ୍ରଫେସର),
ପ୍ରଫେସର ରଞ୍ଜନା ଆରୋରା ଓ ପ୍ରଫେସର ସୁନୀତି ସାନୱାଲ୍ (ଏନସିଇଆରଟି ବିଶେଷଜ୍ଞ),
ପ୍ରଫେସର ପିସି ଅଗ୍ରୱାଲ୍ (ଭୁବନେଶ୍ୱର ଆରଆଇଇ ପ୍ରିନ୍ସିପାଲ୍), ପ୍ରଫେସର ଗାୟତ୍ରୀ ମହାନ୍ତି (ଭୁବନେଶ୍ୱର ଏନଡିଡବ୍ଲ୍ୟୁ ସିଟିଇ ପ୍ରିନ୍ସିପାଲ୍), ଡକ୍ଟର ମହେନ୍ଦ୍ର କୁମାର ମିଶ୍ର (ପ୍ରତିଷ୍ଠିତ ଶିକ୍ଷାବିତ୍, ଭାଷା ଓ ଶିକ୍ଷା ପ୍ରତିଷ୍ଠାନ), ଡକ୍ଟର ଶ୍ରୁତି ମହାପାତ୍ର (‘ସ୍ୱାଭିମାନ’ର ସିଇଓ),
ପ୍ରସାଦ ତ୍ରିପାଠୀ (‘ନ୍ୟୁ ଲାଇଫ୍ ଏଜୁକେସନ ଟ୍ରଷ୍ଟ’ର ସେକ୍ରେଟେରୀ), ମୋନାଲ ଜୟରାମ (ପରିମଲ ଫାଉଣ୍ଡେସନ), ଗାୟତ୍ରୀ ବାହିନୀପତି (ବୋରିଗୁମା ସିଡିପିଓ) ଏବଂ ସ୍କୁଲ ଓ ଗଣଶିକ୍ଷା ବିଭାଗର ଜଣେ ଅତିରିକ୍ତ ସଚିବ ପାହ୍ୟାର ସରକାରୀ ଅଧିକାରୀ।
ଷ୍ଟିଅରିଂ କମିଟି ପରେ ବହିଗୁଡ଼ିକର ଟିକିନିଖି ଯାଞ୍ଚ, ରିଭ୍ୟୁ ଏବଂ ଚୂଡ଼ାନ୍ତ ସମ୍ପାଦନା ପାଇଁ ଏକ ସ୍ୱତନ୍ତ୍ର ୫ ଜଣିଆ ‘କୋର୍ କମିଟି’ ଗଠନ କରାଯାଇଥିଲା। ଏହି କମିଟିର ସଦସ୍ୟମାନେ ଷ୍ଟିଅରିଂ କମିଟିରେ ମଧ୍ୟ ସାମିଲ ଥିଲେ। ଏହାର ଚେୟାରମ୍ୟାନ୍ ପ୍ରଫେସର ନିତ୍ୟାନନ୍ଦ ପ୍ରଧାନଙ୍କ ବ୍ୟତୀତ ଅନ୍ୟ ସଦସ୍ୟମାନେ ହେଲେ ପ୍ରଫେସର ଉଦୟନାଥ ଦାଶ (ଉତ୍କଳ ବିଶ୍ଵବିଦ୍ୟାଳୟର ପୂର୍ବତନ ପ୍ରଫେସର), ପ୍ରଫେସର ସୁଦର୍ଶନ ମିଶ୍ର (ରେଭେନ୍ସା ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର), ଡକ୍ଟର କିଶୋର ଚନ୍ଦ୍ର ମହାନ୍ତି (ଅବସରପ୍ରାପ୍ତ ଶିକ୍ଷାବିତ୍), ଡକ୍ଟର ବିନୟ ପଟ୍ଟନାୟକ (ଏନସିଇଆରଟିର ଚିଫ୍ କନସଲଟାଣ୍ଟ) ।
ଶିକ୍ଷା କ୍ଷେତ୍ରର ଏଭଳି ମହାରଥୀ ଓ ଦୀର୍ଘ ବର୍ଷର ଅଭିଜ୍ଞତା ଥିବା ବିଶେଷଜ୍ଞମାନଙ୍କ ପ୍ରତ୍ୟକ୍ଷ ନଜରରେ ପାଠ୍ୟପୁସ୍ତକ ପ୍ରସ୍ତୁତ ହୋଇଥିଲା। ଚୂଡ଼ାନ୍ତ ମୁଦ୍ରଣ ପୂର୍ବରୁ କୋର୍ କମିଟି ଏହାର ରିଭ୍ୟୁ ମଧ୍ୟ କରିଥିଲା। ଏହା ସତ୍ତ୍ୱେ ବହିଗୁଡ଼ିକରେ କିଭଳି ଏତେ ଭୁଲ୍ ରହିଗଲା ଏବଂ କାହାର ଅବହେଳା ଯୋଗୁଁ ରାଜ୍ୟର ଲକ୍ଷ ଲକ୍ଷ କୋମଳମତି ଶିଶୁଙ୍କ ପାଠପଢ଼ା ପ୍ରଭାବିତ ହେଲା, ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ। ମୁଖ୍ୟମନ୍ତ୍ରୀ ଘଟଣାକୁ ଗମ୍ଭୀରତାର ସହ ନେଇ ସମୀକ୍ଷା କରିବା ପରେ, ଏବେ ଏହି ହାଇପ୍ରୋଫାଇଲ୍ କମିଟିର ସଦସ୍ୟଙ୍କ ଭୂମିକା ଏବେ ସନ୍ଦେହଘେରରେ।
