Latest Odisha News

BREAKING NEWS

ପୁରୀ ରଥଯାତ୍ରା: ପହଣ୍ଡିରେ ବଡ଼ଦାଣ୍ଡକୁ ବିଜେ କରୁଛନ୍ତି ମହାପ୍ରଭୁ

ପୁରୀ: ଆଜି ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଜନ୍ମବେଦୀଙ୍କୁ ବିଜେ କରିବେ କାଳିଆ ଠାକୁର । ସିଂହଦ୍ୱାର ଆଗରେ ଦଣ୍ଡାୟମାନ ହୋଇଛନ୍ତି ତିନି ରଥ ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ । ପ୍ରଥମେ ବଡ଼ଦାଣ୍ଡକୁ ବିଜେ କରିଛି ଶ୍ରୀସୁଦର୍ଶନ । ପହଣ୍ଡିରେ ଆଣି ତାଙ୍କୁ ସେବାୟତ ରଥାରୁଢ଼ କରିଛନ୍ତି । ଘଣ୍ଟଘଣ୍ଟା ପ୍ରକମ୍ପିତ ହେଉଛି ବଡ଼ଦାଣ୍ଡ । ଭକ୍ତିମୟ ପରିବେଶରେ ଉଛୁଳି ପଡୁଛି ସାରା ପରିବେଶ ।

ଶ୍ରୀସୁଦର୍ଶନଙ୍କ ପରେ ବଡ଼ଦେଉଳରୁ ବାହାରିଥିଲେ ପ୍ରଭୁ ଶ୍ରୀସୁଦର୍ଶନ । ବାଇଶି ପାହାଚ ଡେଇଁ ବଡ଼ଦାଣ୍ଡକୁ ଓହ୍ଲାଇ ଆସିଛନ୍ତି । ଆଗେ ଆଗେ ବଡ଼ଭାଇ ଶ୍ରୀବଳଭଦ୍ର ଓ ପଛେ ପଛେ ଆସୁଛନ୍ତି ଦେବୀ ସୁଭଦ୍ରା । ରତ୍ନ ସିଂହାସନ ଛାଡ଼ି ବଡ଼ଦାଣ୍ଡକୁ ଆସିଛନ୍ତି । ପ୍ରଭୁ ଶ୍ରୀବଳଭଦ୍ର ବି ରଥାରୁଢ଼ ହୋଇଛନ୍ତି ।

ସବା ଶେଷରେ ଆସୁଛନ୍ତି ଜଗତର ନାଥ ପ୍ରଭୁ ଶ୍ରୀଜଗନ୍ନାଥ । ଟାହିଆ ହଲାଇ ପାଇଶି ପାହାଚରେ ଝୁଲି ଝୁଲି ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ମହାପ୍ରଭୁ । ବଡ଼ଦାଣ୍ଡରେ ରଥାରୁଢୁ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ । ହେଲେ ଏବର୍ଷ କରୋନା ଭକ୍ତ ଓ ଭଗବାନଙ୍କ ଭିତରେ ଲକ୍ଷ୍ଣଣରେଖା ଟାଣିଛି ।

ମହାବାହୁଙ୍କୁ ଦେଖିବା ପାଇଁ ବଡ଼ଦାଣ୍ଡରେ ନହାନ୍ତି ଭକ୍ତ । ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । କିନ୍ତୁ ଭକ୍ତଶୂନ୍ୟ ପରିବେଶ । ବିନା ଭକ୍ତରେ ଜନ୍ମବେଦୀ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି । କେବଳ ସେବାୟତ ରଥ ଟାଣିବେ । କରୋନା ଯୋଗୁ ବିନା ଭକ୍ତରେ ରଥଯାତ୍ରା ଆୟୋଜନ ନେଇ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ନୀତି ନିର୍ଘଣ୍ଟ ଅନୁସାରେ ସାଢ଼େ ୧୧ଟା ଭିତରେ ଶେଷ ହେବ ଶ୍ରୀଜିଉମାନଙ୍କର ପହଣ୍ଡି । ବର୍ତ୍ତମାନ ସୁଦ୍ଧା ସମସ୍ତ ନୀତିକାନ୍ତ ନିର୍ଦ୍ଧାରିତ ସମୟରେ ଚାଲିଛି । ମହାପ୍ରଭୁ ରଥାରୁଢ଼ ହେବା ପରେ ରଥ ଉପରେ କିଛି ନୀତିକାନ୍ତ କରାଯିବ । ଏହାପରେ ଅପରାହ୍ମ ୧୨ଟା ୪୫ରୁ ୨ଟା ଭିତରେ ତିନି ରଥରେ ଛେରା ପହଁରା କରିବେ ଗଜପତି ମହାରାଜ ଦିବ୍ୟସିଂହ ଦେବ । ଅପରାହ୍ଣ୨ଟାରୁ ୩ଟା ଭିତରେ ଚାରମାଳ ଫିଟା, ଘୋଡ଼ା ଓ ସାରଥୀ ଲାଗିବ । ୩ଟାରୁ ଆରମ୍ଭ ହେବ ରଥଟଣା ।

Leave A Reply

Your email address will not be published.