ପୁରୀ/ଭୁବନେଶ୍ୱର: ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାରେ ପ୍ରଶାସନିକ ଖାମଖିଆଲି ମନୋଭାବ ଏବଂ ଅବ୍ୟବସ୍ଥାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିରୋଧୀ ବିଜୁ ଜନତା ଦଳ । ଚଳିତ ବର୍ଷ ମହାପ୍ରଭୁଙ୍କ ଘୋଷଯାତ୍ରା ସମୟରେ ପ୍ରବଳ ଭିଡ଼ ନିୟନ୍ତ୍ରଣ କରିବାରେ ପୋଲିସ ଓ ପ୍ରଶାସନର ବିଫଳତା କାରଣରୁ ପ୍ରାୟ ୧୨୦ ଜଣ ଗୁରୁତର ଶିକାର ହୋଇଥିବା ବେଳେ ୩୦୦ରୁ ଅଧିକ ଭକ୍ତ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥିବା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି।
ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ନେତାମାନେ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରି କହିଛନ୍ତି ଯେ, ଶ୍ରୀକ୍ଷେତ୍ରରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ ବୋଲି ପୂର୍ବରୁ ଆକଳନ କରାଯାଇଥିଲେ ମଧ୍ୟ ସେହି ଅନୁଯାୟୀ ସୁରକ୍ଷା ଓ ଶୃଙ୍ଖଳା ବ୍ୟବସ୍ଥା ଗ୍ରହଣ କରାଯାଇନଥିଲା। ଫଳରେ ରଥ ଟଣା ସମୟରେ ବଡ଼ଦାଣ୍ଡରେ ଅନେକ ସ୍ଥାନରେ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଭିଡ଼ ଭିତରେ ଚାପି ହୋଇ ଏବଂ ଅତ୍ୟଧିକ ଗରମ ଓ ଗୁଳଗୁଳିରେ ଶ୍ୱାସରୁଦ୍ଧ ହୋଇ ବହୁ ଶ୍ରଦ୍ଧାଳୁ ଅସୁସ୍ଥ ହୋଇପଡ଼ିଥିଲେ।
ଦଳ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, କେବଳ ଭିଡ଼ ନିୟନ୍ତ୍ରଣ ନୁହେଁ, ବରଂ ବାହାରୁ ଆସିଥିବା ଭକ୍ତମାନଙ୍କୁ ସଠିକ୍ ସମୟରେ ପାନୀୟ ଜଳ ଏବଂ ପ୍ରାଥମିକ ଚିକିତ୍ସା ଯୋଗାଇ ଦେବାରେ ମଧ୍ୟ ପ୍ରଶାସନ ବିଫଳ ହୋଇଛି। ପ୍ରାୟ ୧୨୦ ଜଣ ଗୁରୁତର ଆହତ ହୋଇ ଟ୍ରମା କେୟାରରେ ଭର୍ତ୍ତି ହୋଇଥିବା ବେଳେ ୩୦୦ରୁ ଅଧିକ ଲୋକ ସାଧାରଣ ଆହତ ହୋଇଛନ୍ତି।
ରାଜ୍ୟ ସରକାରଙ୍କ ଏଭଳି ବିଫଳତାକୁ ନିନ୍ଦା କରିବା ସହ ମହାପ୍ରଭୁଙ୍କ ନୀତିକାନ୍ତି ଏବଂ ରଥଯାତ୍ରା ପରିଚାଳନା ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ଅଧିକ ସତର୍କତା ଅବଲମ୍ବନ କରିବାକୁ ବିଜେଡି ପରାମର୍ଶ ଦେଇଛି। ଏହି ଅଘଟଣରେ ଆହତ ହୋଇଥିବା ସମସ୍ତ ଭକ୍ତମାନଙ୍କୁ ତୁରନ୍ତ ମାଗଣା ତଥା ଉନ୍ନତ ଚିକିତ୍ସା ଯୋଗାଇ ଦେବାକୁ ଦଳ ଦାବି କରିଛି। ଏହା ସହିତ ଆଗାମୀ ବାହୁଡ଼ା ଯାତ୍ରା ଏବଂ ସୁନାବେଶ ସମୟରେ ଯେପରି ଏଭଳି ଅବ୍ୟବସ୍ଥାର ପୁନରାବୃତ୍ତି ନହୁଏ, ସେଥିପାଇଁ ଏବେଠାରୁ କଡ଼ା ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନ ଏବଂ ସରକାରଙ୍କୁ ଚେତାବନୀ ଦିଆଯାଇଛି।