Latest Odisha News

BREAKING NEWS

ବାଲେଶ୍ୱରରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ବନ ମହୋତ୍ସବ ପାଳିତ

ବାଲେଶ୍ୱର: ବାଲେଶ୍ୱରରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ବନ ମହୋତ୍ସବ ପାଳିତ ହୋଇଯାଇଛି । ଫେରୋ ଆଲଏଜ୍ ପ୍ଲାଣ୍ଟ (ଏଫ୍‌ଏପି) କାର୍ଯ୍ୟକାରୀ ଅଞ୍ଚଳ ଅନ୍ତର୍ଗତ ଛାନପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏହି ବନ ମହୋତ୍ସବ ଆୟୋଜିତ ହୋଇଥିଲା ।

କାର୍ଯ୍ୟକ୍ରମରେ ସୁତେଇ ପଞ୍ଚାୟତ ସରପଞ୍ଚ ଓ ପଞ୍ଚାୟତ ସମିତି ସଦସ୍ୟ, ରେମୁଣା ସ୍ଥିତ ଫେରୋ ଆଲଏଜ୍ ପ୍ଲାଣ୍ଟର ପରିବେଶ ବିଭାଗ ମୁଖ୍ୟଙ୍କ ସମେତ ‘ଦିଶା’ର ନେତୃବୃନ୍ଦ, ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ଏବଂ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ରହି ଚାରାରୋପଣ କରିଥିଲେ ।

ଛାତ୍ରଛାତ୍ରୀଙ୍କ ମଧ୍ୟରେ ପୁଷ୍ଟିସାଧନର ଆବଶ୍ୟକତା ସମ୍ପର୍କରେ ସଚେତନତା, ଜୈବ ବିବିଧତା ସଂରକ୍ଷଣ ଏବଂ ବିଦ୍ୟାଳୟ ପରିସରକୁ ସବୁଜିମାରେ ଭରିଦେବା ଉଦ୍ଦେଶ୍ୟରେ ସ୍କୁଲ କ୍ୟାମ୍ପସ ଭିତରେ ବିଭିନ୍ନ ପ୍ରକାର ଚାରା ରୋପଣ କରାଯାଇଛି । ଏଥିସହିତ ଅଞ୍ଚଳର ସବୁଜ ବଳୟ ବୃଦ୍ଧି ଓ ପରିବେଶ ସୁରକ୍ଷା ଉଦ୍ଦେଶ୍ୟରେ ରାସ୍ତାକଡ଼ରେ ବିଭିନ୍ନ ଜଙ୍ଗଲୀ ବୃକ୍ଷ ଚାରା ମଧ୍ୟ ଲଗାଯାଇଛି ।

ଏହି ଅଭିଯାନ ଅଧୀନରେ ବାଲେଶ୍ୱର ଏଫ୍‌‌ଏପିର ଆଖପାଖ ଗ୍ରାମଗୁଡ଼ିକରେ ମୋଟ ୨ ହଜାର ଚାରା ରୋପଣ କରିବାକୁ ଲକ୍ଷ୍ୟ ରଖାଯାଇଛି । କେବଳ ବୃକ୍ଷରୋପଣ ନୁହେଁ, ବରଂ ପ୍ରତିଟି ଚାରା ଯେପରି ଏକ ସୁସ୍ଥ ବୃକ୍ଷରେ ପରିଣତ ହେବ, ସେଥିପାଇଁ ନିୟମିତ ପାଣି ଦେବା ଏବଂ ଏହାର ଯତ୍ନ ନେବାକୁ ଅଂଶଗ୍ରହଣକାରୀମାନଙ୍କୁ ଅନୁରୋଧ କରାଯାଇଥିଲା । ଏହି ଅବସରରେ ପରିବେଶ ସୁରକ୍ଷା ଏକ ସାମୂହିକ ଦାୟିତ୍ୱ ବୋଲି ଗୁରୁତ୍ୱାରୋପ କରାଯାଇଥିଲା ।

କାର୍ଯ୍ୟକ୍ରମ ଶେଷରେ ଆଗାମୀ ପିଢ଼ି ପାଇଁ ଏକ ସବୁଜ, ସ୍ୱଚ୍ଛ ଓ ସୁସ୍ଥ ପରିବେଶ ଗଠନ କରିବା ସହ ଚାରାଗୁଡ଼ିକର ଯତ୍ନ ନେବାକୁ ସାମୂହିକ ସଂକଳ୍ପ ପାଠ କରାଯାଇଥିଲା । ଏଭଳି ସାମୂହିକ ପ୍ରୟାସ ମାଧ୍ୟମରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ନିଜର କାର୍ଯ୍ୟକ୍ଷେତ୍ରରେ ନିରନ୍ତର ଭାବେ ପରିବେଶ ସଚେତନତା ସୃଷ୍ଟି କରିବା ପାଇଁ ପ୍ରୟାସ ଜାରି ରଖିଛି ।

Leave A Reply

Your email address will not be published.