Latest Odisha News

BREAKING NEWS

ପୁରୀ ରଥଯାତ୍ରାରେ ଅଘଟଣ ପରେ ତେଜିଲା ରାଜନୀତି: ବିନା ଟାହିଆରେ ମହାପ୍ରଭୁଙ୍କ ପହଣ୍ଡିକୁ ନେଇ କ୍ଷୁବ୍ଧ କଂଗ୍ରେସ, ଆଇନମନ୍ତ୍ରୀଙ୍କ ଇସ୍ତଫା ଦାବି

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସମୟରେ ଘଟିଥିବା ଅଘଟଣରେ ଭକ୍ତଙ୍କ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି। ରାଜ୍ୟରେ କ୍ଷମତାସୀନ ବିଜେପି ସରକାରଙ୍କ ପରିଚାଳନାଗତ ବିଫଳତା ଯୋଗୁଁ ଏଭଳି ଅଘଟଣ ଘଟିଥିବା ଅଭିଯୋଗ ଆଣି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସ ସରକାରଙ୍କ ଉପରେ ବର୍ଷିଛନ୍ତି। ଏହା ବିଜେପି ସରକାରର ‘ତୃତୀୟ ବିଫଳ ରଥଯାତ୍ରା ପରିଚାଳନା’ ବୋଲି ସେ ଆକ୍ଷେପ କରିବା ସହ ତୁରନ୍ତ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀଙ୍କ ବହିଷ୍କାର ଓ ରାଜ୍ୟ ଆଇନମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି।

 

ସୂଚନାଯୋଗ୍ୟ ଯେ, ରଥଯାତ୍ରା ସମୟରେ ବଡ଼ଦାଣ୍ଡର ମରିଚିକୋଟ ଛକ ନିକଟରେ ଅତ୍ୟଧିକ ଭିଡ଼ ଏବଂ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଭିଡ଼ର ଚାପ ସମ୍ଭାଳି ନପାରି କେନ୍ଦୁଝର ଜିଲ୍ଲାର ଅନିଲ ଦାସ ନାମକ ଜଣେ ଭକ୍ତ ଶ୍ୱାସରୁଦ୍ଧ ହୋଇ ପୋଲିସ କର୍ଡନଠାରୁ ମାତ୍ର ୧୦୦ ଫୁଟ୍ ଦୂରରେ ଟଳି ପଡ଼ିଥିଲେ। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କେବଳ ସେତିକି ନୁହେଁ, ଶ୍ୱାସରୁଦ୍ଧ ଓ ଅନ୍ୟାନ୍ୟ ଆଘାତ କାରଣରୁ ୧୫୦ରୁ ଊର୍ଦ୍ଧ୍ୱ ଭକ୍ତ ବର୍ତ୍ତମାନ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣାରେ ପିସିସି ସଭାପତି ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ଏବଂ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

 

ଭକ୍ତ ଦାସ ଏକ ପ୍ରେସ୍ ବିବୃତିରେ ପ୍ରଶାସନର ତ୍ରୁଟିପୂର୍ଣ୍ଣ ନୀତିକୁ ସିଧାସଳଖ ଟାର୍ଗେଟ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, କ୍ଷମତାର ଅପବ୍ୟବହାର କରି ଆବଶ୍ୟକତାଠାରୁ ଅଧିକ ଲୋକଙ୍କୁ କର୍ଡନ ପାସ୍ ପ୍ରଦାନ କରାଯାଇଥିଲା। ସବୁଠାରୁ ବଡ଼ ପ୍ରଶ୍ନ ଉଠାଇ ସେ କହିଛନ୍ତି ଯେ, କେଉଁ ଆଧାରରେ କର୍ଡନ ଭିତରକୁ ଆରଏସଏସ୍ ସ୍ୱେଚ୍ଛାସେବୀମାନଙ୍କୁ ପ୍ରବେଶ ଅନୁମତି ଦିଆଗଲା, ଯାହା ଭିଡ଼ ପରିଚାଳନାରେ ବିଭ୍ରାଟର ମୁଖ୍ୟ କାରଣ ସାଜିଲା।

 

କେବଳ ପ୍ରଶାସନିକ ଅବହେଳା ନୁହେଁ, ବରଂ ଶ୍ରୀମନ୍ଦିରର ଶହ ଶହ ବର୍ଷର ପରମ୍ପରାକୁ କ୍ଷୁଣ୍ଣ କରାଯାଇଥିବା ନେଇ କଂଗ୍ରେସ ଗୁରୁତର ଅଭିଯୋଗ ଆଣିଛି। ସମସ୍ତ ନୀତିନିୟମକୁ ଜଳାଞ୍ଜଳି ଦେଇ ମହାପ୍ରଭୁଙ୍କୁ ଶ୍ରୀମନ୍ଦିରରୁ ରଥ ଉପରକୁ ବିନା ଟାହିଆରେ ପହଣ୍ଡି କରି ଅଣାଯିବା ସମଗ୍ର ଓଡ଼ିଆ ଜାତିର ଧାର୍ମିକ ଭାବନାକୁ ତୀବ୍ର ଆଘାତ ଦେଇଛି ବୋଲି ଭକ୍ତ ଦାସ କହିଛନ୍ତି।

 

ସେହିପରି ରଥଯାତ୍ରା ସମୟରେ ପୂର୍ବରୁ ଅର୍ଥାତ୍ ଗତବର୍ଷ ୨୯ ଜୁନ୍ରେ ମଧ୍ୟ ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଏକ ବଡ଼ ଦଳାଚକଟା ଘଟିଥିଲା। ସେହି ଘଟଣାରେ ଭୁବନେଶ୍ୱରର ଜଣେ ୮୦ ବର୍ଷୀୟ ବୃଦ୍ଧ ଏବଂ ଖୋର୍ଦ୍ଧାର ଦୁଇଜଣ ମହିଳାଙ୍କ ସମେତ ମୋଟ ୩ ଜଣ ଭକ୍ତଙ୍କର ଶୋଚନୀୟ ମୃତ୍ୟୁ ହୋଇଥିଲା ଓ ୫୦ରୁ ଅଧିକ ଆହତ ହୋଇଥିଲେ ବୋଲି ସେ କହିଛନ୍ତି।

 

ଏହି ଅବହେଳା ପାଇଁ ରାଜ୍ୟ ସରକାର ତୁରନ୍ତ ଦାୟୀ ମନ୍ଦିର ପ୍ରଶାସନିକ ଅଧିକାରୀଙ୍କୁ ବହିଷ୍କାର କରନ୍ତୁ। ଏଥିସହ, ମହାପ୍ରଭୁଙ୍କ ପ୍ରତି ଯଦି ସରକାରଙ୍କ ତିଳେମାତ୍ର ଭକ୍ତି ରହିଛି, ତେବେ ଆଇନମନ୍ତ୍ରୀ ନୈତିକତା ଦୃଷ୍ଟିରୁ ନିଜ ପଦରୁ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି କଂଗ୍ରେସ ସ୍ପଷ୍ଟ କରିଛି।

Leave A Reply

Your email address will not be published.