Latest Odisha News

BREAKING NEWS

ପଶ୍ଚିମ ଦ୍ବାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବେ ପୁରୀବାସୀ

ପୁରୀ : କାର୍ତ୍ତିକରେ ପୁରୀବାସୀଙ୍କ ପାଇଁ କୋହଳ ହେଲା ଜଗା ଦର୍ଶନ । ପୁରୀବାସୀଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିରର ପଶ୍ଚିମ ଦ୍ବାର । ଆସନ୍ତା ୧ ତାରିଖରୁ ପଶ୍ଚିମ ଦ୍ବାର ଦେଇ ପୁରୀବାସୀ ଶ୍ରୀମନ୍ଦିରକୁ ପ୍ରବେଶ କରି ଜଗା ଦର୍ଶନ କରିପାରିବେ । ଏନେଇ ଆଜି ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ଜଗା ଦର୍ଶନ ପାଇଁ ଆଧାର କାର୍ଡ ଓ ଟିକାର ଡବଲ୍‌ ଡୋଜ୍‌ ସାର୍ଟିଫିକେଟ୍‌ ଦେଖାଇବା ବାଧ୍ୟତାମୂଳକ । ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ଜିଲ୍ଲାପାଳ, ଏସପି, ଉନ୍ନୟନ ପ୍ରଶାସକ ଓ ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ଥିଲେ । ପୂର୍ବରୁ କେବଳ ସିଂହଦ୍ବାର ଦେଇ ପ୍ରବେଶ ଅନୁମତି ରହିଥିଲା । ଫଳରେ ସିଂହଦ୍ବାର ଦେଇ ମହାପ୍ରଭୁଙ୍କୁ ଦର୍ଶନ କରୁଥିବା ସ୍ଥାନୀୟ ବାସିନ୍ଦାଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିଲା । ଏନେଇ ଅସନ୍ତୋଷ ପ୍ରକାଶ ପାଇବା ପରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଜିଲ୍ଲାପାଳ ଓ ମୁଖ୍ୟ ପ୍ରଶାସକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ଶେଷରେ ପୁରୀବାସୀଙ୍କ ପାଇଁ ଶ୍ରୀମନ୍ଦିରର ପଶ୍ଚିମ ଦ୍ବାର ଖୋଲା ରହିବ । ଏହି ସମୟରେ ପୁରୀ ବାସିନ୍ଦା ଆବଶ୍ୟକୀୟ ପ୍ରମାଣପତ୍ର ଦେଖାଇ ଶ୍ରୀମନ୍ଦିରର ପଶ୍ଚିମ ଦ୍ବାରରେ ପ୍ରବେଶ କରି ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ।

Leave A Reply

Your email address will not be published.