ପୁରୀ : ହକି ବିଶ୍ୱକପର ଉଦଘାଟନ କାର୍ଯ୍ୟକ୍ରମ ଆଜି ଅପରାହ୍ନରେ ଆରମ୍ଭ ହୋଇଛି । ପୁରୀ ଭିକ୍ଟୋରିଆ ହୋଟେଲ ସମ୍ମୁଖ ବେଳାଭୂମି “ସିଟି ଫେଷ୍ଟ ଇନ ଓଲିସ୍ ଲ୍ୟାଣ୍ଡ”ରେ ଏକ ଏଲଇଡି ଟିଭି ମାଧ୍ୟମରେ ଏହି ଉଦଘାଟନ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯାଇଥିଲା । ଜିଲ୍ଲାପାଳ ସମର୍ଥ ବର୍ମା ଓ ଦଇତାପତି ନିଯୋଗର ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ର ଏହାକୁ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ । ପ୍ରଦୀପ ପ୍ରଜ୍ୱଳନ ସମୟରେ ବେଦଧ୍ୱନି ଓ ଶଙ୍ଖ ନାଦରେ ପରିବେଶ ପ୍ରକମ୍ପିତ ହୋଇଥିଲା । ହଜାର ହଜାର ଦର୍ଶକ ଉପସ୍ଥିତ ରହି ଏହି ଉଦଘାଟନ କାର୍ଯ୍ୟକ୍ରମକୁ ଉପଭୋଗ କରିବା ସହ ସଙ୍ଗୀତ ଓ ନୃତ୍ୟ ର ତାଳେ ତାଳେ ଚକ ଦେ ଇଣ୍ଡିଆ ଧ୍ୱନି ଦେଇ ଝୁମିଥିଲେ । ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟକ ମାନେ ଯୋଗ ଦେଇ ଭରପୁର ମଜା ନେଇଥିଲେ ।
କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ କୈଳାସ ଚନ୍ଦ୍ର ନାୟକ, ଜ୍ୟୋତି ଶଙ୍କର ମହାପାତ୍ର, ସରୋଜ କୁମାର ସ୍ୱାଇଁ, ଜିତେନ୍ଦ୍ର ପାତ୍ର , ରାକେଶ କୁମାର ପଣ୍ଡା, ମନୋଜ କୁମାର ବେହେରା, ସରୋଜ କୁମାର ପ୍ରଧାନ, ସନ୍ତୋଷ କୁମାର ସେଠୀ, ଚନ୍ଦନ ସାହୁ, ହେମନ୍ତ ବେହେରା, ଓଡ଼ିଶା ମୋ ପରିବାର ସଂଯୋଜକ ସୁବାଶିଷ ଖୁଣ୍ଟିଆ, ଜିଲ୍ଲା କ୍ରିଡା ସଂସଦର ସମ୍ପାଦକ ରବି ଶଙ୍କର ପ୍ରତିହାରୀ ପ୍ରମୁଖ ଯୋଗ ଦେଇଥିଲେ । ଶ୍ୟାମ ପ୍ରକାଶ ସେନାପତି ମଞ୍ଚ ପରିଚାଳନା କରିଥିଲେ।
Comments are closed.