Latest Odisha News

ବିଜେଡିରେ ମିଶିଲେ ପ୍ୟାରୀଙ୍କ ଝିଅ ସିକ୍ତା

ଭୁବନେଶ୍ୱର: ବିଜେଡିର ପୂର୍ବତନ ସାଂସଦ ତଥା ଦିବଂଗତ ନେତା ପ୍ୟାରୀମୋହନ ମହାପାତ୍ରଙ୍କ ଝିଅ ସିକ୍ତା ପତି ରବିବାର ଦିନ ଆନୁଷ୍ଠାନିକ ଭାବେ ବିଜେଡିରେ ଯୋଗ ଦେଇଛନ୍ତି ।

ସେ ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ଶାସକ ଦଳ ବିଜେଡି (ବିଜୁ ଜନତା ଦଳ)ରେ ସାମିଲ ହୋଇଛନ୍ତି ।

ଦଳରେ ସିକ୍ତାଙ୍କୁ ସ୍ୱାଗତ କରିବା ସହ ତାଙ୍କ ଯୋଗଦାନ ବିଜେଡିକୁ ଅଧିକ ମଜଭୁତ କରିବ ବୋଲି ନବୀନ ପ୍ରକାଶ କରିଛନ୍ତି ।

ଜଣେ ବ୍ୟୁରୋକ୍ରାଟରୁ ରାଜନେତା ପାଲଟିଥିବା ପ୍ୟାରୀମୋହନ ମହାପାତ୍ରଙ୍କ ବଡ ଝିଅ ହେଉଛନ୍ତି ସିକ୍ତା । ସ୍ୱର୍ଗତଃ ମହାପାତ୍ର ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରମୁଖ ରାଜନୈତିକ ପରାମର୍ଶଦାତା ଭାବେ ରହିଥିଲେ ।

ସିକ୍ତା ଶାସକ ଦଳ ବିଜେଡିରେ ଯୋଗଦାନ କରିବା ପରେ ନିଜ ପ୍ରତିକ୍ରିୟାରେ କହିଥିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ପ୍ରଶାସନ ଓ ବିକାଶବାଦୀ ଚିନ୍ତାଧାରା ତାଙ୍କୁ ଏହି ଦଳ ପ୍ରତି ଆକୃଷ୍ଟ କରିଥିଲା ।

ଅର୍ଥଶାସ୍ତ୍ରରେ ଏମଏ୍ କରିଥିବା ସିକ୍ତା ଏମବିଏ ଡିଗ୍ରୀଧାରୀ ମଧ୍ୟ । ୨୦୧୭ ମସିହା ମାର୍ଚ୍ଚ ୧୯ ତାରିଖରେ ପ୍ୟାରୀମୋହନଙ୍କ ଦେହାନ୍ତ ପରେ ପିତାଙ୍କ ଦ୍ୱାରା ସ୍ଥାପିତ ହୋଇଥିବା ଓଡିଶା ଜନମୋର୍ଚ୍ଚା (ଓଜେଏମ୍)ର ମହାସଚିବ ଭାବେ ନିଯୁକ୍ତ ହୋଇଥିଲେ ।

ଉଲ୍ଲେଖଯୋଗ୍ୟ, ଶ୍ରୀ ମହାପାତ୍ର ୨୦୦୦ ମସିହାରୁ ୨୦୧୨ ଯାଏଁ ବିଜେଡିର ପ୍ରମୁଖ ରାଜନୈତିକ ପରାମର୍ଶଦାତା ଭାବେ ରହିଥିଲେ । ପରେ ୨୦୧୨ ମସିହାରେ ନବୀନଙ୍କ ବିଦେଶ ଗସ୍ତ ସମୟରେ ପ୍ୟାରୀ ତାଙ୍କ ବିରୋଧରେ କରିଥିବା ଦଳ ବିରୋଧି କାର୍ଯ୍ୟ ତଥା ବିଶ୍ୱାସଘାତକତା ଯୋଗୁଁ ପାର୍ଟିରୁ ବହିଷ୍କାର ହୋଇଥିଲେ ।

ଦଳରୁ ବହିଷ୍କୃତ ହେବାପରେ ସେ ଓଡିଶା ଜନମୋର୍ଚ୍ଚାର ସ୍ଥାପନା କରିଥିଲେ । ଯାହା ୨୦୧୪ ଲୋକସଭା ଓ ବିଧାନସଭା ନିର୍ବାଚନରେ ଏତେଟା ପ୍ରଭାବ ପକାଇ ପାରିନଥିଲା ।

Leave A Reply

Your email address will not be published.