ଶ୍ରୀନଗର: ଆଉ ଦିନକ ପରେ ଜମ୍ମୁ ଏବଂ କାଶ୍ମୀରର ପହଲଗାମ ଆତଙ୍କବାଦୀ ଘଟଣାକୁ ବର୍ଷେ ପୁରିବ । ୨୨ ଏପ୍ରିଲ୍ ୨୦୨୫ରେ ଆତଙ୍କବାଦୀମାନେ ପର୍ଯ୍ୟଟକୁ ତାଙ୍କ ଧର୍ମ ପଚାରି ଗୁଳି କରିଥିଲେ । ଯେଉଁଥିରେ ୨୫ ଜଣ ପର୍ଯ୍ୟଟକ ଏବଂ ଜଣେ ସ୍ଥାନୀୟ ବାସିନ୍ଦାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ଜମ୍ମୁ ଏବଂ କାଶ୍ମୀର କର୍ତ୍ତୃପକ୍ଷ ପହଲଗାମ ଏବଂ ଉପତ୍ୟକାର ଅନ୍ୟାନ୍ୟ ପ୍ରମୁଖ ପର୍ଯ୍ୟଟନ ସ୍ଥଳଗୁଡ଼ିକରେ ପର୍ଯ୍ୟଟକଙ୍କ ସୁରକ୍ଷା ବୃଦ୍ଧି ପାଇଁ ଏକ ଅନନ୍ୟ କ୍ୟୁଆର୍ କୋଡ୍-ଆଧାରିତ ଚିହ୍ନଟକରଣ ବ୍ୟବସ୍ଥା ଆନୁଷ୍ଠାନିକ ଭାବରେ ପ୍ରଚଳନ କରିଛନ୍ତି ।
ଏହି ସିଷ୍ଟମର ଲକ୍ଷ୍ୟ ହେଉଛି ପର୍ଯ୍ୟଟନ ଇକୋସିଷ୍ଟମ ମଧ୍ୟରେ କାମ କରୁଥିବା ବ୍ୟକ୍ତିବିଶେଷଙ୍କ ରିଅଲ୍-ଟାଇମ୍ ଡିଜିଟାଲ୍ ଯାଞ୍ଚ୍କୁ ସକ୍ଷମ କରିବା । କାଶ୍ମୀରର ପ୍ରମୁଖ ପର୍ଯ୍ୟଟନ ସ୍ଥାନ ଗୁଡ଼ିକରେ ତଟୁ ଘୋଡ଼ା ଅପରେଟର, ଫଟୋଗ୍ରାଫର, ହକର, ବ୍ୟବସାୟ ମାଲିକ ଏବଂ ବାହ୍ୟ ବିକ୍ରେତାଙ୍କ ସମେତ ପ୍ରାୟ ୨୫ ହଜାର ସେବା ପ୍ରଦାନକାରୀଙ୍କୁ ଏହାର ପରିସରଭୁକ୍ତ କରାଯାଇଛି ।
କର୍ତ୍ତୃପକ୍ଷ ପହଲଗାମରେ ୧୭-୧୮ଟି ଅଧିକ ଟ୍ରାଫିକ୍ ହଟସ୍ପଟ୍ ଚିହ୍ନଟ କରିଛନ୍ତି, ଏବଂ ଅନ୍ୟାନ୍ୟ ପର୍ଯ୍ୟଟନସ୍ଥଳୀରେ ସମାନ ସଂଖ୍ୟକ ଚେକପୋଷ୍ଟ ମଧ୍ୟ ଚିହ୍ନଟ କରିଛନ୍ତି । ଯେଉଁଠାରେ ଅନଧିକୃତ ପ୍ରବେଶକୁ ରୋକିବା ପାଇଁ କଡ଼ାକଡ଼ି କ୍ୟୁଆର୍ କୋଡ୍ ଯାଞ୍ଚ୍ ଲାଗୁ କରାଯାଇଛି ।
ଏହି ପଦକ୍ଷେପ ଅନୁଯାୟୀ, ପ୍ରତ୍ୟେକ ସେବା ପ୍ରଦାନକାରୀଙ୍କୁ ଏକ ଅନନ୍ୟ କ୍ୟୁଆର୍ କୋଡ୍ ଜାରି କରିବା ପୂର୍ବରୁ ଆଧାର-ଲିଙ୍କ୍ଡ ପଞ୍ଜିକରଣ ସହିତ ଏକ କଡ଼ା ପୁଲିସ ଯାଞ୍ଚ୍ କରାଯାଉଛି । ମୋବାଇଲ୍ ଫୋନ୍ ବ୍ୟବହାର କରି ପର୍ଯ୍ୟଟକମାନେ ସ୍କାନ କଲେ, କୋଡ୍ ପ୍ରଦାତାଙ୍କ ସମ୍ପୂର୍ଣ୍ଣ ନାମ, ମୋବାଇଲ୍ ନମ୍ବର, ଠିକଣା, ପଞ୍ଜିକରଣ ସ୍ଥିତି ଏବଂ ପୁଲିସ ଯାଞ୍ଚ୍ ସ୍ଥିତି ଭଳି ପ୍ରମୁଖ ବିବରଣୀ ପ୍ରଦର୍ଶନ କରିବ ।