Latest Odisha News

BREAKING NEWS

ରାହୁଲ କରିବେ ହିସାବନିକାଶ

ଭୁବନେଶ୍ୱର: କର୍ଣ୍ଣାଟକରେ ଯାହା ଗ୍ୟାରେଣ୍ଟି ଦେଇଥିଲେ ତାର ହିସାବ ନେବେ ରାହୁଲ ଗାନ୍ଧୀ। ନିର୍ବାଚନ ସମୟରେ କର୍ଣ୍ଣାଟକବାସୀଙ୍କୁ ରାହୁଲ ୫ ଟି ଗ୍ୟାରେଣ୍ଟି ଦେଇଥିବାବେଳେ ପ୍ରଥମ କ୍ୟାବିନେଟ ବୈଠକରେ ହିଁ ସବୁ ପ୍ରତିଶ୍ରୁତି ପାଳନ ହେବ ବୋଲି କହିଥିଲେ।

ଲୋକେ ମଧ୍ୟ କଂଗ୍ରେସକୁ ସମର୍ଥନ ଦେବା ସହ ବହୁ ସିଟରେ ଜିତାଇ ସରକାରକୁ ଆଣିଲେ। ତା ପରେ କଂଗ୍ରେସର ସବୁ ଗ୍ୟାରେଣ୍ଟି ଧୀରେ ଧୀରେ ପୂରଣ ହେଉଛି। ସେଥିପାଇଁ ସିଦ୍ଦରମେୟା ସରକାର ସବୁ ପଦକ୍ଷେପ ନେଉଛନ୍ତି।

କିନ୍ତୁ ବର୍ତ୍ତମାନ ଏସବୁର ହିସାବ ନେବେ ରାହୁଲ। କଂଗ୍ରେସ ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲା ତାହା ଠିକ ଢଙ୍ଗରେ ପାଳନ ହେଉଛି କି ନାହିଁ। ସରକାରର ବିଭିନ୍ନ ବିଭାଗ କିଭଳି କାର୍ଯ୍ୟ କରୁଛି। ଲୋକଙ୍କ ସେବା କ୍ଷେତ୍ରରେ କିଛି ଅବହେଳା ହେଉଛି କି। ଏସବୁକୁ ତଦାରଖ କରିବେ ରାହୁଲ।

ସେଥିପାଇଁ କର୍ଣ୍ଣାଟକରେ ରାହୁଲ ଆସନ୍ତା ସପ୍ତାହରେ ସିଦ୍ଦରମେୟା ସରକାରର ସବୁ ମନ୍ତ୍ରୀଙ୍କ ସହ ବୈଠକ କରିବେ। ରାହୁଲଙ୍କ ସମେତ ବୈଠକରେ କଂଗ୍ରେସର ବରିଷ୍ଠ ନେତାମାନେ ସାମିଲ ହେବେ।

ଆସନ୍ତା ୧୭ ଓ ୧୮ ତାରିଖରେ କଂଗ୍ରେସର କେନ୍ଦ୍ରୀୟ ନେତୃତ୍ୱ ବିରୋଧୀ ଏକତାର ଦ୍ଵିତୀୟ ବୈଠକ ପାଇଁ ବେଙ୍ଗଲୁରୁରେ ଏକାଠି ହେବେ। ତେଣୁ ଏହି ସମୟରେ ହିଁ କର୍ଣ୍ଣାଟକ ସରକାରର ମନ୍ତ୍ରୀ ଓ ବରିଷ୍ଠ ନେତାମାନଙ୍କ ସହ ବୈଠକ ହେବ।

ବୈଠକରେ ସରକାରଙ୍କ କାର୍ଯ୍ୟ ସହ ସଂଗଠନକୁ ନେଇ ଆଲୋଚନା ହେବ। ବିଜେପିର ଦୁର୍ନୀତିକୁ ଅସ୍ତ୍ର କରି ଦଳ କର୍ଣ୍ଣାଟକରେ ଜିତିଛି। ତେଣୁ କଂଗ୍ରେସର ନେତା ଏସବୁରୁ ଉର୍ଧ୍ଵରେ ରହିବା ସମ୍ପର୍କରେ ଫୋକସ କରାଯିବ।

ଏପରିକି ଆଗକୁ ଲୋକସଭା ନିର୍ବାଚନ ଥିବାରୁ କଂଗ୍ରେସ ଲୋକଙ୍କ ପାଖରେ ନିଜର ଲୋକପ୍ରିୟତା ଆହୁରି ବଢାଇବାକୁ ଚାହୁଁଛି। ବିଧାନସଭା ନିର୍ବାଚନରେ କଂଗ୍ରେସ ବଡ଼ ବିଜୟ ହାସଲ କରିଥିଲେ ମଧ୍ୟ କର୍ଣ୍ଣାଟକର ୨୫ ଟି ଲୋକସଭା ସିଟ ବିଜେପି ହାତରେ ରହିଛି।

ତେଣୁ ଏସବୁକୁ ହାତେଇବା ପାଇଁ ଦଳ ସବୁ ପ୍ରକାର ପ୍ରସ୍ତୁତିକୁ ଫୋକସ କରୁଛି। ତେଣୁ ଆଗାମୀ ଲୋକସଭା ପାଇଁ ମନ୍ତ୍ରୀମାନେ ମଧ୍ୟ ଅଧିକ ଆକ୍ଟିଭ ହେବାକୁ କୁହାଯିବ।

ନିଜ ନିର୍ବାଚନ ମଣ୍ଡଳୀର ଥିବାବେଳେ ଲୋକଙ୍କ ସହ ସମ୍ପର୍କ ମଜବୁତ କରିବାକୁ ରାହୁଲ ପରାମର୍ଶ ଦେଇପାରନ୍ତି ବୋଲି କୁହାଯାଉଛି। ରାହୁଲଙ୍କ ଏହି ବୈଠକ ପୂର୍ବରୁ କର୍ଣ୍ଣାଟକ କଂଗ୍ରେସ ଚଳଚଞ୍ଚଳ ହୋଇଉଠିଛି।

Comments are closed.