Latest Odisha News

BREAKING NEWS

ଆପ ଚାପରେ, କଂଗ୍ରେସ ଚେପା !

ଭୁବନେଶ୍ୱର: ବିରୋଧୀ ଦଳଗୁଡିକର ଦ୍ଵିତୀୟ ବୈଠକ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି। ଏହି ବୈଠକର ନେତୃତ୍ୱ କଂଗ୍ରେସ ନେଉଥିବାରୁ ଦଳ ବେଶ ତତ୍ପର ହୋଇଛି।

ସେଥିପାଇଁ କିଭଳି ବିରୋଧୀ ମାନେ ଗୋଟିଏ ମଞ୍ଚରେ ପୁଣିଥରେ ଏକାଠି ହେବେ ସେଥିପାଇଁ ଉଦ୍ୟମ ଜୋରଦାର ହେଉଛି। ପାଟନା ବୈଠକରେ ବିରୋଧୀ ଏକାଠି ହୋଇଥିଲେ ମଧ୍ୟ ଏବେ ସ୍ଥିତି ବଦଳିଛି।

ଆମ ଆଦମୀ ପାର୍ଟି ଦିଲ୍ଲୀ ଅଧ୍ୟାଦେଶ ପ୍ରସଙ୍ଗକୁ ନେଇ କଂଗ୍ରେସ ଉପରେ ଖପ୍ପା। ସେପଟେ ତୃଣମୂଳ କଂଗ୍ରେସ ମଧ୍ୟ କଂଗ୍ରେସ ଉପରେ ଅସନ୍ତୁଷ୍ଟ ଥିବା କୁହାଯାଉଛି।

ଏପରିକି ତେଲେଙ୍ଗାନାରେ କଂଗ୍ରେସର ଦମଦାର ଲଢ଼େଇର ଆଭିମୁଖ୍ୟକୁ ନେଇ ବିଆରଏସ ଟେନସନରେ ଥିବାବେଳେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ ମଧ୍ୟ ବିଆରଏସ ମୁଖ୍ୟ କେସିଆରଙ୍କୁ ଭେଟିଥିଲେ।

ତେଣୁ ଏଭଳି ସ୍ଥିତିରେ ସମସ୍ତଙ୍କୁ କିଭଳି ପୁଣିଥରେ ଗୋଟିଏ ମଞ୍ଚରେ ଏକାଠି କରିହେବ ସେଥିପାଇଁ କଂଗ୍ରେସ ଉଦ୍ୟମକୁ ଜୋରଦାର କରିଛି। ଆମ ଆଦମୀ ପାର୍ଟିର ଦିଲ୍ଲୀ ଅଧ୍ୟାଦେଶ ପ୍ରସଙ୍ଗରେ କଂଗ୍ରେସ ଖୁବ ଶୀଘ୍ର ନିଷ୍ପତ୍ତି ନେବ।

ଆସନ୍ତା ୨୦ ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବାରୁ କଂଗ୍ରେସ ଏହାର ଯଥେଷ୍ଟ ପୂର୍ବରୁ ଦିଲ୍ଲୀ ଅଧ୍ୟାଦେଶ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବ। କଂଗ୍ରେସର ସମସ୍ତ ୩୧ ଜଣ ରାଜ୍ୟସଭା ସାଂସଦ ଦିଲ୍ଲୀ ଅଧ୍ୟାଦେଶକୁ ବିରୋଧ କରିବାକୁ ଆପ ଚାହୁଁଛି।

କଂଗ୍ରେସ ମଧ୍ୟ ଏ ନେଇ ଦିନେ ମଧ୍ୟରେ ନିଷ୍ପତ୍ତି ନେବ ବୋଲି କୁହାଯାଉଛି। ତେଣୁ ବିରୋଧୀ ଏକତା ବୈଠକରେ ଆପ ସାମିଲ ହେବ ବୋଲି ସ୍ପଷ୍ଟ ହେଉଛି।

ସେପଟେ ପଶ୍ଚିମବଙ୍ଗରେ ପଂଚାୟତ ନିର୍ବାଚନ ବେଳେ କଂଗ୍ରେସ ଓ ଟିଏମସି ମଧ୍ୟରେ କଥା କଟାକଟି ଦେଖିବାକୁ ମିଳିଥିଲେ ମଧ୍ୟ ମମତା ବାନାର୍ଜୀ ବୈଠକରେ ଯୋଗ ଦେବେ ବୋଲି ଆଲୋଚନା ହେଉଛି।

ଏପରିକି ଏଥର ସୋନିଆ ଗାନ୍ଧୀ ବୈଠକରେ ଯୋଗ ଦେବାକୁ ଥିବାବେଳେ ୨୪ ଟି ଦଳ ଯୋଗ ଦେବେ। ଆଗାମୀ ନିର୍ବାଚନରେ ବିଜେପି ବିରୋଧରେ ଲଢ଼ିବା ନେଇ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ ହେବା ସହ ସିଟ ଭାଗବଣ୍ଟା ଫର୍ମୁଲା ମଧ୍ୟ ପ୍ରସ୍ତୁତ ହେବ।

ତେଣୁ ବିରୋଧୀ ମାନଙ୍କର ଏହି ବୈଠକ ଅତି ଅଧିକ ଗୁରୁତ୍ୱ ରଖୁଥିବା ବେଳେ କଂଗ୍ରେସ ପାଇଁ ଏହି ବୈଠକ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।

Leave A Reply

Your email address will not be published.