Latest Odisha News

BREAKING NEWS

ରାହୁଲ ନଥିଲେ; ଏସଏଫଆଇ ଛାତ୍ର ତାଙ୍କ ଅଫିସରେ ପଶି ଭଙ୍ଗାରୁଜା କଲେ

ତ୍ରିଭେନ୍ଦ୍ରମ: ଶୁକ୍ରବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଅଫିସରେ ଭଙ୍ଗାରୁଜା ହୋଇଛି । ଏସଏଫଆଇ ଛାତ୍ର ସଂଗଠନର ସଦସ୍ୟ ମାନେ ଏକ ବିରୋଧ ପ୍ରଦର୍ଶନ କରିବାକୁ ଯାଇ ୱାଏନାଡ ସ୍ଥିତ ରାହୁଲଙ୍କ ଅଫିସକୁ ଜବରଦସ୍ତି ପଶିଥିଲେ । ତା ପରେ ଅଫିସ ଭିତରେ ପଶି ଭଙ୍ଗାରୁଜା କରିଥିଲେ ।

କେରଳ ସରକାରରେ ଥିବା ସିପିଏମର ଏହି ଛାତ୍ର ସଂଗଠନ ଅଫିସ ଭିତର ଜିନିଷ ଭଙ୍ଗାରୁଜା କରିବା ସହ ଉପସ୍ଥିତ କର୍ମଚାରୀଙ୍କୁ ମାଡ଼ ମାରିଥିଲେ । ଅଫିସ ଭିତରକୁ ପାଚେରୀ ଡେଇ, ଗେଟ ଭାଙ୍ଗି ପଶିଥିଲା ଛାତ୍ର ସଂଗଠନ ।

ସୁପ୍ରିମକୋର୍ଟଙ୍କ ଏକ ଶୁଣାଣିକୁ ନେଇ ଉଠିଥିବା ବିବାଦରେ ରାହୁଲଙ୍କ ହସ୍ତକ୍ଷେପ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରୁଥିଲା ଏସଏଫଆଇ । ରାହୁଲଙ୍କ ଅଫିସ ଆଡ଼କୁ ଏହି ମୋର୍ଚ୍ଚା ମୁହାଁଇଥିଲା । ଉତ୍ୟକ୍ତ ଛାତ୍ର ରାହୁଲଙ୍କ ଅଫିସ ଭିତରକୁ ପଶିଥିଲେ ଏବଂ କର୍ମଚାରୀଙ୍କୁ ମାଡ଼ ମାରିବା ସହ ଜିନିଷ ପତ୍ର ଭଙ୍ଗାରୁଜା ଆରମ୍ଭ କରିଥିଲେ ।

ଏହି ଘଟଣାରେ କେରଳ ବିରୋଧୀ ଦଳ ନେତା ଭିଡି ସଥୀଶନ କହିଛନ୍ତି ଯେ- “ଏହା ରାଜ୍ୟର ଅରାଜକତାର ପ୍ରଦର୍ଶନ । ଶାସକ ଦଳ ସିପିଏମ ଏକ ସଂଗଠିତ ମାଫିଆ ଭଳି କାର୍ଯ୍ୟ କରୁଛି ।”

ଏହି ଘଟଣାର ପ୍ରତିବାଦ କରିବାକୁ ଯାଇ କଂଗ୍ରେସ ପକ୍ଷରୁ ଜାତୀୟ ରାଜପଥ ଅବରୋଧ କରାଯାଇଥିଲା । ସେପଟେ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ଏବଂ କହିଛନ୍ତି ଅଭିଯୁକ୍ତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ନେଶନାଲ ହେରାଲ୍ଡ ମାମଲାରେ ଇଡି ରାହୁଲଙ୍କୁ ଜେରା କରୁଛି । ସେ ଏବେ ଦିଲ୍ଲୀରେ ଅଛନ୍ତି । ବିଦେଶ ଗସ୍ତରେ ଥିବା ବେଳେ ଇଡିକୁ ଅଧିକ ସମୟ ମାଗିଥିଲେ । ଏବେ ହାଜର ହେବା ପରେ ତିନି ଥର ତାଙ୍କୁ ଇଡି ଜେରା କରିସାରିଛି ।

Leave A Reply

Your email address will not be published.