ମାଲକାନଗିରି: ଗଭୀର ଅବପାତ ପ୍ରଭାବରେ ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ବର୍ତ୍ତମାନ ବନ୍ୟା ସ୍ଥିତିରେ କିଛିଟା ସୁଧୁରିବାରେ ଲାଗିଛି। ଜିଲ୍ଲାରେ ଲଗାଣ ବର୍ଷା କମିଛି, ମାତ୍ର ଧୋଇଯାଇଛି ରାସ୍ତା। ଭୂସ୍ଖଳନ ସହ ରାସ୍ତା ଧୋଇଯିବାରୁ ଅନେକ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ତେଲେରାଇ ପଞ୍ଚାୟତର ମାନବକୁଣ୍ଡା, କୁର୍ମାନୁର ପଞ୍ଚାୟତ ଅଧିକ କ୍ଷତିଗ୍ରସ୍ତ ହୋଇଛି।
ମାନବକୁଣ୍ଡାରୁ ସାଇଲ ରାସ୍ତାର ପ୍ରାୟ ୫୦ରୁ ୬୦ ମିଟର ଧୋଇଯାଇଛି। ସେହିପରି କୁର୍ମାନୁର ଯିବା ରାସ୍ତାର ମାଛଘାଟି ନିକଟରେ ପ୍ରାୟ ୧୦୦ ମିଟର ଧୋଇଯାଇଛି। ରାଜଲକୋଣ୍ଡାରୁ ଏଲକାନୁର ଯିବା ରାସ୍ତାରେ ମଧ୍ୟ ୫୦ ମିଟର ଧୋଇଯାଇଛି। ପାଖାପାଖି ୨୦ରୁ ୨୫ଟି ଗାଁକୁ ଏବେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ସୂଚନା ଥାଉକି ପ୍ରବଳ ବର୍ଷା କାରଣରୁ ପୋଟେରୁ, କାଙ୍କୁରୁକୋଣ୍ଡା ବ୍ରିଜ୍ ସମେତ ବିଭିନ୍ନ ପୋଲ ବୁଡ଼ିଯିବା ଯିବାଆସିବା ବାଧାପ୍ରାପ୍ତ ହୋଇଥିଲା। ୩୨୬ ନମ୍ବର ଜାତୀୟ ରାଜପଥରେ ପାଣି ଚାଲିଥିଲା।
ବର୍ଷା ଓ ବନ୍ୟା ପ୍ରଭାବିତ ଅଞ୍ଚଳରୁ ପ୍ରାୟ ୧୧ଶହରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବର୍ଷା ପରିମାଣ କମିଥିବାରୁ ଏବେ ବନ୍ୟା ପରିସ୍ଥିତି କ୍ରମଶଃ ସୁଧୁରୁଛି। ଏହା ସହିତ ବନ୍ୟା ପରିସ୍ଥିତିରେ ଧୀରେ ଧୀରେ ସୁଧାର ଆସୁଛି। ଲଗାଣ ବର୍ଷା ହ୍ରାସ ପାଇବା ପରେ ବିଭିନ୍ନ ପୋଲ ଓ ବ୍ରିଜ୍ ଉପରେ ଚାଲୁଥିବା ବନ୍ୟା ପାଣି ଏବେ କମିବାରେ ଲାଗିଛି।


Comments are closed.