Latest Odisha News

BREAKING NEWS

ରାଜ୍ୟସଭା ନିର୍ବାଚନ: ଦେଇଥିବା ପ୍ରତିଶ୍ରୁତି ରଖିପାରିବେ ତ ନବୀନ?

ଭୁବନେଶ୍ୱର : ରାଜ୍ୟସଭାରେ ୩ଟି ସାଂସଦ ସିଟ୍ ଖାଲି ପଡିଥିବା ବେଳେ ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇପଡିଛି । ଏହି ଆସନ ଲାଗି ଭୁବନେଶ୍ୱରର ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଓ ବ୍ରହ୍ମପୁରର ପୂର୍ବତନ ବିଜେଡି ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଆଶାୟୀ ପ୍ରାର୍ଥୀଙ୍କ ତାଲିକାରେ ସବୁଠୁ ଆଗରେ ରହିଥିବା ଚର୍ଚ୍ଚା ହେଉଛି ।

ଏହି ଆସନ ଲାଗି ଜୁଲାଇ ୫ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ ।

ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ନବୀନ ପ୍ରସନ୍ନ ପାଟ୍ଟଶାଣୀ ଏବଂ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ରାଜ୍ୟସଭା ପଠାଇବେ ନା ଆଉ କାହା ଉପରେ ତାଙ୍କର ଶୁଭ ଦୃଷ୍ଟି ପଡିବ, ସେନେଇ ଏବେଠୁ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି । ଶ୍ରୀଯୁକ୍ତ ପାଟ୍ଟଶାଣୀ ଓ ଚ୍ୟାଉ ପଟ୍ଟନାୟକ ଲଗାତାର ୫ଥର ହେବ ନିଜ ନିଜ ନିର୍ବାଚନମଣ୍ଡଳୀରୁ ଜିତି ଆସୁଛନ୍ତି ।

ତେବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ କାହାକୁ ରାଜ୍ୟସଭା ପ୍ରାର୍ଥୀ ଭାବେ ନାମିତ କରିବେ, ତା’ ଉପରେ ସମସ୍ତଙ୍କ ନଜର ରହିଛି ।

ଆହୁରି ମଧ୍ୟ “ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି, ତାହା କରିକି ଦେଖାନ୍ତି । ମୋତେ ଲୋକସଭା ନିର୍ବାଚନରେ ଦଳୀୟ ଟିକେଟରୁ ବଞ୍ଚିତ କରିବା ପରେ ରାଜ୍ୟସଭା ପଠାଇବେ ବୋଲି କହିଥିଲେ । କିନ୍ତୁ ଏଯାବତ୍ ମୋତେ ସେଭଳି କୌଣସି ଖବର ମିଳିନାହିଁ” ବୋଲି ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀଯୁକ୍ତ ପାଟ୍ଟଶାଣୀ କହିଛନ୍ତି ।

ପୂର୍ବତନ ପ୍ରଶାସକ ଅମର ପଟ୍ଟନାୟକ, ବରିଷ୍ଠ ନେତା ପୁଷ୍ପେନ୍ଦ୍ର ସିଂହଦେଓ ଏବଂ ସଞ୍ଜୟ ଦାସ ବର୍ମାଙ୍କ ପରି ଅନେକ ନେତାଙ୍କ ନାମ ଉଠୁଛି । ୨୦୧୯ ନିର୍ବାଚନରେ ପରାଜିତ ହୋଇଥିଲେ ମଧ୍ୟ ଏମାନେ ରାଜ୍ୟସଭା ଆସନ ଲାଗି ଆଶାୟୀ ଭାବେ ରହିଛନ୍ତି । ସେହିପରି ୨୦୧୪ରେ ବିଜେଡିରୁ ବହିଷ୍କୃତ ହୋଇଥିବା ପ୍ରଫୁଲ୍ଲ ଘଡାଇ ପୁନର୍ବାର ଦଳରେ ମିଶିବା ପରେ ତାଙ୍କ ନାମକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି ।

ରାଜନୈତିକ ଅଙ୍କ ଗଣନା ଅନୁଯାୟୀ ସମସ୍ତ ୩ଟି ଆସନରେ ବିଜେଡିର ଆଶାୟୀ ପ୍ରାର୍ଥୀ ଜିତିବେ । ଯେହେତୁ ରାଜ୍ୟ ବିଧାନସଭାରେ ବିଜେଡିର ୧୧୧ ଜଣ ବିଧାୟକ ରହିଛନ୍ତି ଏବଂ ପ୍ରାର୍ଥୀ ଚୟନ ଲାଗି ୩୭ରୁ ୩୮ ବିଧାୟକଙ୍କ ସମର୍ଥନ ଲୋଡାପଡିଥାଏ । ତେଣୁ ଏହି ୩ଟି ଆସନ ବିଜେଡି ପ୍ରାର୍ଥୀ ଅକ୍ତିଆର କରିବାରେ ବିଶେଷ ଅସୁବିଧା ହେବ ନାହିଁ ବୋଲି ରାଜନୀତି ବିଶେଷଜ୍ଞମାନେ ଅନୁମାନ କରିଛନ୍ତି ।

ତେବେ ଅଚ୍ୟୁତ୍ ସାମନ୍ତ, ପ୍ରତାପ କେଶରୀ ଦେବ ଓ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଇସ୍ତଫା ପରେ ଖାଲି ପଡିବାକୁ ଥିବା ସିଟରେ କିଏ ବସିବ, ସେନେଇ ମଧ୍ୟ ଚର୍ଚ୍ଚା ହେଉଛି । ଚଳିତ ନିର୍ବାଚନରେ ଅଚ୍ୟୁତ୍ ସାମନ୍ତ କନ୍ଧମାଳ ଲୋକସଭା ଆସନ ଏବଂ ସୌମ୍ୟରଞ୍ଜନ ଓ ପ୍ରତାପ କେଶରୀ କ୍ରମଶଃ ଖଣ୍ଡପଡା ଓ ଆଳି ବିଧାନସଭା ନିର୍ବାଚନମଣ୍ଡଳୀରୁ ଜିତିଥିଲେ ।

ସୂଚନାଯୋଗ୍ୟ, ଅନୁଭବ ମହାନ୍ତିଙ୍କ ରାଜ୍ୟସଭା କାର୍ଯ୍ୟକାଳ ସରିବାକୁ ୧ବର୍ଷରୁ କମ୍ ସମୟ ଥିବାବେଳେ ନିର୍ବାଚନ ଆୟୋଗ ଉକ୍ତ ସିଟ୍ ଲାଗି ନିର୍ବାଚନ ନକରିବାକୁ ନିଷ୍ପତ୍ତି ନେଇଛନ୍ତି । ଚଳିତ ନିର୍ବାଚନରେ ଅନୁଭବ ଳେନ୍ଦ୍ରାପଡା ଲୋକସଭା ଆସନରୁ ନିର୍ବାଚନ ଲଢି ବିଜୟ ହାସଲ କରିଛନ୍ତି ।

Leave A Reply

Your email address will not be published.