Latest Odisha News

ସାବଧାନ୍

ସାବଧାନ୍

ସଂଘମିତ୍ରା ରାଏଗୁରୁ

ଅମୃତ କ’ଣ ବାରବାର ମିଳେ
କାହାଣୀ ପେଡିରୁ ନାଗମଣି
କ’ଣ ସତ ହୋଇ ଫେରେ

ତଥାପି ମୁଁ
ଖୋଜୁଛି ସେ ରାତି
ଖୋଜୁଛି,
ରାତିକୁ ୠତୁ କରି
ମୋ ଅଗଣାରେ ଟାଂଗୁଥିବା ନୀଳ ମହୁମାଛି

ତାରାରେ ତିଆରିବ ଘର
ଜହ୍ନକୁ କରିବ ଝରକା
ଦିନେ ଦେଇଥିଲା କଥା
ଅଧା ରାସ୍ତାରେ ଜହ୍ନ ଥୋଇ
ରଙ୍ଗ ବଜାରର ଏବେ ମଙ୍ଗ ସମ୍ଭାଳୁଛି
ଉଲ୍କାକୁ ତାରାପରି ପିନ୍ଧିବାର ମୋହ
ଏଯାଏଁ ଉଜ୍ଜୀବିତ ମୋର
ଦେଖ! କେଡିକି ଅଲାଜୁକି ମୁଁ
ଆଖିଏ ଉପେକ୍ଷାକୁ
ନିଶବ୍ଦର କଇଁଚିରେ କାଟି
ଶବ୍ଦରେ ଅପେକ୍ଷା ଲେଖୁଛି

କିଏ କେମିତି ଉଧୁରେ….
ଶିଉଳିରେ ପାଦ ଖସିଗଲେ
ପଟେ ପାଉଁଞ୍ଜୀ ହଜିଲେ
ପଦ୍ମ ଘୁଞ୍ଚି ଘୁଞ୍ଚି ଗଲେ
ଖରାରେ ଝାଇଁ ମାରିଗଲେ
ଚିହ୍ନା ନଇ ଅଚିହ୍ନା ସାଜିଲେ

ହାଏରେ,
ଧାପେ ଛିଟାରେ ଉଛନ୍ନ ଜୀବନ
ଆଉ
ସେ ଧାପକ ଛିଟାକୁ ମୁଁ ମୋ ଆକାଶ କରେ

ଏପ୍ରିଲ-ମେର ରାଜୁତି
ପ୍ରତି ମାସର ନିୟତି ଏଠି
ମୁଁ ସମୁଦ୍ରୀ ଛାତିରୁ
ହଜିଲା ଭଉଁଁରୀ ଅଣ୍ଡାଳେ
ଯେଉଁଁଠି,
ନଟେଇରୁ କଟିଗଲା ଗୁଡି
ସ୍ୱପ୍ନ ଗଲେ ଆତ୍ମହତ୍ୟା କରି
ଫୁଲ ପାଲଟିଲେ ବର୍ଷା ଘଡଘଡି
ପ୍ରେମ, ପ୍ରେମର ଶିକାରୀ
ସେଇଠି ମୁଁ ଛକିଶୂନ ଖେଳେ
ଘୋର ବିପରୀତ ବେଳେ
ନିଜେ ପ୍ରଶ୍ନ ହୋଇ
ସମ୍ଭାବ୍ୟ ଉତ୍ତରଙ୍କୁ ତୋଳେ;

କ’ଣ ଫେରିବ!
ସେ ଫେରାର୍ ପ୍ରେମିକ
ମହକିବ ପଦ୍ମର କୋରକ
ସ୍ନିଗ୍ଧତାରେ ମହକିବେ ଏ ଆଖି ହଳକ
ପ୍ରଶ୍ନରେ ପ୍ରଶ୍ନରେ
ମୋ ପରି କେହିଜଣେ
ଟେକା ପରେ ଟେକା ମୋତେ ମାରେ

କହେ, ଯା…ମ ଥାଉ
ଯାହା ମିଳିଲା
ଯେତିକି ମିଳିଲା ପ୍ରେମରେ
-ଖଣ୍ଡେ ଅଧେ ଖପରା
-ଅରାଏ ଘାସ
-କ୍ଷତାକ୍ତ ମାଟି
ଖର୍ଚ୍ଚି ଦେ,ଝାଟିମାଟି ଘର
ନହେଲେ କାଗଜଡ଼ଙ୍ଗାରେ

ସାବଧାନ୍ !
ଜହର ହାତ ଲାଗିପାରେ
କ୍ଷଣକ୍ଷଣ ସମୁଦ୍ର ମନ୍ଥିଲେ

…………………………..
ରାଏପୁର୍, ଛତିଶଗଡ଼
7693886355

ଆମାଜନରେ ମିଳୁଛି ସଂଘମିତ୍ରା ରାଏଗୁରୁଙ୍କ କବିତା ସଂକଳନ ‘ଚାଲ ଦୀପଟେ ଜାଳିବା

Comments are closed.