Latest Odisha News

BREAKING NEWS

ରାଜ୍ୟରେ ଏହି ଜିଲ୍ଲାରେ ରହିଛି ରକ୍ତଚନ୍ଦନ ଗଛ

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଜିଲ୍ଲାରେ ଅଛି ମୂଲ୍ୟବାନ ରକ୍ତଚନ୍ଦନ ଗଛ । ଏହି ଜଙ୍ଗଲ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବନଖଣ୍ଡରେ ରହିଛି । ଏକଥା କହିଛନ୍ତି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ମନ୍ତ୍ରୀ ପ୍ରଦୀପ କୁମାର ଅମାତ ।  ମଙ୍ଗଳବାର ବିଧାନସଭାରେ  ବିଜେପି ବିଧାୟକ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ କହିଛନ୍ତି,  ଏହି ବନଖଣ୍ଡର ଲାବଣ୍ୟଗଡ ଜଙ୍ଗଲ ଓ କିଞ୍ଚିଲିଙ୍ଗି ବିଟରେ ଏହି ରକ୍ତଚନ୍ଦନ ଥିବା ଆକଳନ କରାଯାଇଛି । ଏହି ଜଙ୍ଗଲରେ ୩୦ ସେଣ୍ଟିମିଟର ଗୋଲାଇରୁ ଅଧିକ ୧୧୯ଟି ଗଛ ରହିଛି  ।

ବିଜେପି ବିଧାୟକ ଗଣେଶ ରାମ ସିଂ ଖୁଣ୍ଟିଆ ପ୍ରଶ୍ନ କରିଥିଲେ,  ରାଜ୍ୟର କେଉଁ କେଉଁ ଜଙ୍ଗଲରେ ଓ କେଉଁ ଜିଲ୍ଲାରେ କେତେ ରକ୍ତ ଚନ୍ଦନ ଗଛ ଅଛି? ରାଜ୍ୟରେ ରକ୍ତ ଚନ୍ଦନ ଗଛର ସଂଖ୍ୟା କେତେ ଓ ଜଙ୍ଗଲରେ ଥିବା ମୂଲ୍ୟବାନ ଶାଗୁଆନ୍ କାଠ, ଶାଳ କାଠ ଓ ଅନ୍ୟାନ୍ୟ ଗଛକୁ କାଟି ତାର ଚୋରା ଚାଲାଣ ବନ୍ଦ କରିବାକୁ ସରକାର କି ପଦକ୍ଷେପ ନେଇଛନ୍ତି ?

ବିଭାଗୀୟ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଏହାର ଉତ୍ତରରେ କହିଥିଲେ, ରାଜ୍ୟରେ ପାରଳାଖେମୁଣ୍ଡି ବନଖଣ୍ଡର ଲାବଣ୍ୟଗଡ ଜଙ୍ଗଲ ଓ କିଞ୍ଚିଲିଙ୍ଗି ବିଟରେ ଏହି ଗଛ ରହିଛି । ଏହାବ୍ୟତୀତ ବନଖଣ୍ଡର ଅନ୍ୟାନ୍ୟ ସ୍ଥାନମାନଙ୍କରେ ମଧ୍ୟ ବିକ୍ଷିପ୍ତ ଭାବେ ରକ୍ତ ଚନ୍ଦନ ଅଳ୍ପ ମାତ୍ରରେ ଅଛି ଯାହାର ଆକଳନ କରାଯାଇ ନାହିଁ ବୋଲି ମନ୍ତ୍ରୀ କହିଥିଲେ ।

ସେହିପରି ରାଜ୍ୟରେ ଜଙ୍ଗଲ ଓ ବନ୍ୟଜନ୍ତ ସୁରକ୍ଷା ପାଇଁ ଅଦ୍ୟାବଧି ୫୧ ବନଖଣ୍ଡ ଅନ୍ତର୍ଗତ ୩୭ଟି କ୍ଷେତ୍ରୀୟ ବନଖଣ୍ଡ ଏବଂ ୧୪ଟି ବନ୍ୟପ୍ରାଣୀ ବନଖଣ୍ଡ ବନାଞ୍ଚଳ, ୨୮୭ଟି ବନାଞ୍ଚଳ ଏବଂ ୩୬୮୩ ବିଟରେ ସରକାର କର୍ମଚାରୀ ନିୟୋଜିତ କରିଛନ୍ତି । ରାଜ୍ୟର ୧୬, ୧୨୮ଟି ବନ ସୁରକ୍ଷା ସମିତି ଗଠନ କରି ସେଗୁଡିକର ସଦସ୍ୟମାନଙ୍କୁ ସମୁଦାୟ  ୧୩, ୮୫, ୬୨୩ ହେକ୍ଟର ପରିମିତ ଜଙ୍ଗଲ ଅଞ୍ଚଳର ସୁରକ୍ଷା ଦାୟିତ୍ୱ ଦିଆଯାଇଛି ।

Leave A Reply

Your email address will not be published.