Latest Odisha News

BREAKING NEWS

୨୭ବର୍ଷର ପ୍ରେରଣାଦାୟୀ କାର୍ଯ୍ୟ ପାଇଁ ରାମନଗରୀ ଅଯୋଧ୍ୟାର ଶରୀଫଙ୍କୁ ମିଳିଲା ପଦ୍ମଶ୍ରୀ ସମ୍ମାନ

ଅଯୋଧ୍ୟା: ଅଜଣା ବ୍ୟକ୍ତିର ମୃତଦେହକୁ ଅନ୍ତିମ ସଂସ୍କାର କରିବାକୁ ସର୍ବଦା ଆଗେଇ ଆସିଥାନ୍ତି ମହମ୍ମଦ ଶରୀଫ୍। ଏଥିପାଇଁ ସେ ବେଶ୍ ପରିଚିତ ହୋଇପାରିଛନ୍ତି। ଏହି ପ୍ରେରଣାଦାୟୀ କାର୍ଯ୍ୟ ପାଇଁ ସୋମବାର ତାଙ୍କୁ ଦିଲ୍ଲୀରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି। ପୁଅର ମୃତ୍ୟୁ ଏବଂ ପରେ ଅଜ୍ଞାତ ପରି କରାଯାଇଥିବା ତାଙ୍କର ଅନ୍ତିମ ସଂସ୍କାର ଶରୀଫଙ୍କ ମନକୁ ଦୋହଲାଇ ଦେଇଥିଲା। ଏହାପରଠାରୁ ନିଜ ଦୁଃଖକୁ ମନ ଭିତରେ ଚାପି ରଖି ମାନବସେବା ପାଇଁ ଆଗେଇ ଆସିଥିଲେ। ଯାହା ଏବେ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଯାଇଛି। ଶରୀଫଙ୍କ ଉପଲବ୍ଧିରେ ରାମନଗରବାସୀ ମଧ୍ୟ ଗର୍ବିତ। ପାଖାପାଖି ୨୭ବର୍ଷ ହେଲା ଶରୀଫ ସଂକଳ୍ପ ନେଇ ଆଗେଇ ଚାଲିଛନ୍ତି।

୧୯୯୩ରେ ତାଙ୍କ ପୁଅ ମହମ୍ମଦ ରଇସ ମେଡ଼ିସନ୍ ଆଣିବା ପାଇଁ ସୁଲତାନପୁର ଯାଇଥିବାବେଳେ ଏକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପୁଅକୁ ଖୋଜିବା ପାଇଁ ମହମ୍ମଦ ଶରୀଫ୍ ବହୁ ଦିନ ଯାଏଁ ଖୋଜାଖୋଜି କରିଥିଲେ। କିନ୍ତୁ ପୁଅର କୌଣସି ସନ୍ଧାନ ମିଳିଲାନି। ପାଖାପାଖି ୧ମାସ ପରେ ସୁଲତାନପୁରରୁ ପୁଅର ମୃତ୍ୟୁ ଖବର ଆସିଥିଲା। ଅନାଥ ଭଳି ତାଙ୍କର ମୃତଦେହକୁ ଅନ୍ତିମ ସଂସ୍କାର କରାଯାଇଥିଲା।

ରଇସଙ୍କ ପରିଚୟ ତାଙ୍କର ସାର୍ଟ ଉପରେ ଲାଗିଥିବା ଦର୍ଜୀର ଟ୍ୟାଗରୁ ଜଣାପଡ଼ିଥିଲା। ଟ୍ୟାଗରୁ ପୋଲିସ ଟେଲରକୁ ଖୋଜି ବାହାର କଲାପରେ ଶରୀଫ ମୃତକଙ୍କ ପରିଚୟ ନିଜ ପୁଅ ବୋଲି କହିଥିଲେ। ଏହାପରେ ଶରୀଫ୍ ସଂକଳ୍ପ ନେଇଥିଲେ ଯେ, ବ୍ୟକ୍ତିଜଣକ କୌଣସି ଧର୍ମର ହେଉ ନା କାହିଁକି ତାଙ୍କର ଅନ୍ତିମ ସଂସ୍କାର ଅନାଥଭାବେ ହେବନାହିଁ।

ଶରୀଫ ସଂକଳ୍ପ ନେଇଥିଲେ ଯେ, ପ୍ରତ୍ୟେକ ଅଜଣା ବ୍ୟକ୍ତିଙ୍କ ମୃତଦେହ ଅନ୍ତିମ ସଂସ୍କାର ତାର ଧର୍ମର ରୀତିନୀତି ଅନୁସାରେ କରିବେ। ୨୭ବର୍ଷ ମଧ୍ୟରେ ସେ ପାଖାପାଖି ୨୫ହଜାର ଅଚିହ୍ନା ମୃତଦେହର ଅନ୍ତିମ ସଂସ୍କାର କରିସାରିଛନ୍ତି। ୮୦ବର୍ଷ ବୟସରେ ବି ନିଜ ସଂକଳ୍ପ ପଥରେ ଚାଲିଛନ୍ତି। ମୋହଲ୍ଲା ଖିଡ଼କି ଅଲ୍ଲି ବେଗ୍ ନିବାସୀ ମହମ୍ମଦ ଶରୀଫ ପେସାରେ ସାଇକ୍ଲିଷ୍ଟ ମିସ୍ତ୍ରୀ। ତାଙ୍କ ୪ଜଣ ପୁଅଙ୍କ ମଧ୍ୟରୁ ୨ଜଣଙ୍କ ମୃତ୍ୟୁ ହୋଇସାରିଛି। ସେମାନଙ୍କ ଭିତରେ ମହମ୍ମଦ ରଇସ ମଧ୍ୟ ଥିଲେ। ତାଙ୍କ ପୁଅ ଅଶରଫ ଏବଂ ମହମ୍ମଦ ସଗୀର ଅଛନ୍ତି।

Leave A Reply

Your email address will not be published.