ରାଉରକେଲା: ସ୍ଥାନୀୟ ରେଳ ଷ୍ଟେସନରେ ଏକ ଅତ୍ୟନ୍ତ ଲଜ୍ଜାଜନକ ତଥା ସ୍ପର୍ଶକାତର ଘଟଣା ସାମ୍ନାକୁ ଆସିଛି । ବେଙ୍ଗାଲୁରୁ ଯିବା ପାଇଁ ଟ୍ରେନ୍କୁ ଅପେକ୍ଷା କରିଥିବା ଜଣେ ଯୁବତୀଙ୍କୁ ଷ୍ଟେସନ ପରିସରରେ ଦୁଷ୍କର୍ମ କରାଯାଇଥିବା ନେଇ ସଙ୍ଗିନ ଅଭିଯୋଗ ହୋଇଛି । ଖୋଦ୍ ଜଣେ ରେଳବାଇ କର୍ମଚାରୀ ଏହି ଜଘନ୍ୟ କାଣ୍ଡ ଭିଆଇଥିବା ଜଣାପଡିଛି । ଅଭିଯୋଗକୁ ଭିତ୍ତି କରି ସରକାରୀ ରେଳବାଇ ପୋଲିସ (ଜିଆରପି) ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତ କର୍ମଚାରୀଙ୍କୁ ଗିରଫ କରିଛି ।
ପୋଲିସରେ ଦିଆଯାଇଥିବା ଏତଲା ଅନୁଯାୟୀ, ଗୁରୁବାର ଦିନ ଉକ୍ତ ଯୁବତୀ ଜଣକ କର୍ଣ୍ଣାଟକର ବେଙ୍ଗାଲୁରୁ ଯିବା ପାଇଁ ରାଉରକେଲା ରେଳ ଷ୍ଟେସନରେ ପହଞ୍ଚି ନିଜ ଟ୍ରେନ୍ ଆସିବା ବାଟକୁ ଅପେକ୍ଷା କରି ବସିଥିଲେ । ଏହି ସମୟରେ ରେଳବାଇ ବିଭାଗର ଜଣେ କର୍ମଚାରୀ ତାଙ୍କ ନିକଟକୁ ଆସି ଯାତ୍ରା ସମ୍ପର୍କରେ ପଚାରି ବୁଝିଥିଲେ । ଟ୍ରେନ୍ରେ ଏକ କନଫର୍ମ ଟିକେଟ୍ କରାଇଦେବାର ପ୍ରଲୋଭନ ଦେଖାଇ ସେ ପ୍ରଥମେ ଯୁବତୀଙ୍କ ସହ କଥାବାର୍ତ୍ତା କରି ବିଶ୍ୱାସ ଜନ୍ମାଇଥିଲେ । ପରେ କୌଶଳ କ୍ରମେ ସେ ଉକ୍ତ ଯୁବତୀଙ୍କୁ ୧ ନମ୍ବର ପ୍ଲାଟଫର୍ମ ନିକଟରେ ଥିବା ଏକ ଭଲ୍ଭ ରୁମ୍କୁ ଡାକି ନେଇଥିଲେ। ସେଠାରେ ସମ୍ପୃକ୍ତ କର୍ମଚାରୀ ଜଣକ ତାଙ୍କ ସହ ବଳପୂର୍ବକ ଦୁଷ୍କର୍ମ କରିଥିଲେ ବୋଲି ପୀଡ଼ିତା ନିଜ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ।
ଏହି ଆକସ୍ମିକ ଘଟଣା ପରେ ଯୁବତୀ ଜଣକ ଅତ୍ୟନ୍ତ ଭୟଭୀତ ହୋଇପଡିଥିଲେ ସୁଦ୍ଧା ସାହସ ଜୁଟାଇ ନ୍ୟାୟ ଆଶାରେ ସ୍ଥାନୀୟ ଜିଆରପି ଥାନାର ଦ୍ୱାରସ୍ଥ ହୋଇଥିଲେ। ସେ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି ଲିଖିତ ଅଭିଯୋଗ କରିଥିଲେ। ପୋଲିସ ତୁରନ୍ତ ମାମଲାର ଗମ୍ଭୀରତାକୁ ବିଚାରକୁ ନେଇ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲା। ଜିଆରପି ଦ୍ୱାରା ଗିରଫ ହୋଇଥିବା ଏହି ବ୍ୟକ୍ତି ଜଣକ ରାଉରକେଲା ରେଳବାଇ ପମ୍ପ ହାଉସ୍ରେ କାର୍ଯ୍ୟରତ କପିଳେଶ୍ୱର ସିଂହ ବୋଲି ଜଣାପଡ଼ିଛି ।
ପ୍ରାଥମିକ ତଦନ୍ତ ଏବଂ ଆବଶ୍ୟକୀୟ ଆଇନଗତ ପ୍ରକ୍ରିୟା ଶେଷ ହେବା ପରେ ପୋଲିସ ତାଙ୍କୁ ବିଧିବଦ୍ଧ ଭାବେ କୋର୍ଟ ଚାଲାଣ କରିଛି । ରେଳ ଷ୍ଟେସନ ଭଳି ଏକ ସର୍ବସାଧାରଣ ତଥା ସୁରକ୍ଷିତ ମନେ କରାଯାଉଥିବା ସ୍ଥାନରେ, ବିଶେଷକରି ଯାତ୍ରୀଙ୍କୁ ସାହାଯ୍ୟ କରିବା ବଦଳରେ ଜଣେ ବିଭାଗୀୟ କର୍ମଚାରୀଙ୍କ ଦ୍ୱାରା ଏଭଳି କାଣ୍ଡ ଘଟିବା ଯାତ୍ରୀମାନଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

