Latest Odisha News

BREAKING NEWS

ମଙ୍ଗଳାଯୋଡିରେ ଠାବ ହେଲା ବିରଳ ଲିୟୁସିଷ୍ଟିକ ଟେମନିକ୍ସ୍ ଷ୍ଟିଣ୍ଟ ପକ୍ଷୀ

ବାଲୁଗାଁ : ମଙ୍ଗଳାଯୋଡିରେ ଠାବ ହେଲେ ବିରଳ ଲିୟୁସିଷ୍ଟିକ ଟେମନିକ୍ସ୍ ଷ୍ଟିଣ୍ଟ ପ୍ରଜାତିର ପକ୍ଷୀ । ବିହଙ୍ଗଙ୍କ ଭୂସ୍ୱର୍ଗ ପାଲଟିଥିବା ମଙ୍ଗଳାଯୋଡିରେ ଶୀତଦିନେ ପ୍ରତିବର୍ଷ ବହୁ ସଂଖ୍ୟାରେ ବିଦେଶଗତ ପକ୍ଷୀଙ୍କ ସମାଗମ ହୁଏ । ହେଲେ ଆଜି ମଙ୍ଗଳାଯୋଡିରେ ଅତି ବିରଳ ଧଳା ରଙ୍ଗର ଲିୟୁସିଷ୍ଟିକ ଟେମିନିକ ଷ୍ଟଣ୍ଟ ପକ୍ଷୀ ଠାବ ହୋଇଛି । ପ୍ରତିବର୍ଷ ମଧ୍ୟ ଏହି ମଙ୍ଗଳାଯୋଡିକୁ ଲିୟୁସିଷ୍ଟିକ ଟେମିନିକ ଷ୍ଟଣ୍ଟ ପ୍ରଜାତିର ପକ୍ଷୀ  ଏଠାକୁ ଆସୁଥାନ୍ତି ।

ଏହି ପକ୍ଷୀ ଟିର ଦେହର ରଙ୍ଗ ଧଳା ହୋଇଥିବା ବେଳେ ଦୁଇ ପଟ ଡେଣା ରେ ଅତି ଅଳ୍ପ କିଛି କଳା ବା ମାଟିଆ ରଙ୍ଗର ପ୍ୟାଚ ରହିଛି । ଏଇ ବିରଳ ପକ୍ଷୀ ଟିର ଆଖିର ରଙ୍ଗ କଳା ହୋଇଥିବା ବେଳେ ମୁଣ୍ଡଟି ସମ୍ପୂର୍ଣ୍ଣ ଧଳା ରଙ୍ଗର ହୋଇଅଛି । ଏଇ ବିରଳ ଟେମନିକସ୍ ଷ୍ଟିଣ୍ଟ ପକ୍ଷୀଟିକୁ ଠାବ କରିଛନ୍ତି ମଙ୍ଗଳାଯୋଡି କନିରଭେସନ ଟ୍ରଷ୍ଟ ର ଟ୍ରଷ୍ଟି ତଥା ବାର୍ଡ ଗାଇଡ଼ ମଧୁ ବେହେରା ।

ଆଜି ମଙ୍ଗଳାଯୋଡି ରେ ଟୁରିଷ୍ଟ ମାନଙ୍କୁ ନେଇ ଡ଼ଙ୍ଗାରେ ବୁଲାଉ ଥିବା ବେଳେ ବାଲିଆଯୋରି ନାଳ ନିକଟରେ ଏହି ଧଳା ପକ୍ଷୀ ଟି କୁ ଖାଦ୍ୟ ଅନ୍ୱେଷଣ କରୁଥିବାର ଦେଖିବାକୁ ପାଇଥିଲେ ମଧୁ । ନିଜ କ୍ୟାମେରା ରେ କିଛି ଫୋଟୋ ଉଠେଇ ଖୋର୍ଦ୍ଧା ଜିଲ୍ଲାର ଅବୈତନିକ ବନ୍ୟ ପ୍ରାଣୀ ତତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକଙ୍କ ନିକଟକୁ ପଠେଇ ଥିଲେ ।

ଶୁଭେନ୍ଦୁ ଏଇ ପକ୍ଷୀ ଟିକୁ ଟେମନିକସ୍ ଷ୍ଟିଣ୍ଟ ବୋଲି ଚିହ୍ନଟ କରିବା ସହ ଓଡ଼ିଶାରେ ଏଇ ପକ୍ଷୀର ଏଇ ଭଳି ଲିୟୁସିଷ୍ଟିକ ମ୍ୟୁଟେସନ ଦେଖା ଯିବା ପ୍ରଥମ ଓ ସାରା ଭାରତରେ ଦ୍ଵିତୀୟ ଘଟଣା ବୋଲି କହିଥିଲେ ।୨୦୨୦ ମସିହାରେ ଛତିଶଗଡ଼ ରେ ଏକ ଲିୟୁସିଷ୍ଟିକ ଟେମନିକସ୍ ଷ୍ଟିଣ୍ଟ ପକ୍ଷୀ ଦେଖାଯାଇଥିଲା ।ଏଇ ଟେମନିକସ୍ ଷ୍ଟିଣ୍ଟ ପକ୍ଷୀ ମାନେ ସାଧାରଣତଃ ଉତ୍ତର ୟୁରୋପ ଏବଂ ଏସିଆ ଦେଶ ମାନଙ୍କରେ ବାସ କରିଥାନ୍ତି । ଭାରତ ଓ ଓଡ଼ିଶାକୁ କେବଳ ଶୀତ ଦିନରେ ହିଁ ଆସିଥାନ୍ତି, । ଦକ୍ଷିଣ ସ୍କାଣ୍ଡିନେଭିଆ, ରୁଷିଆ, ନରୱେ, ଫିନଲାଣ୍ଡ, ସ୍ଵିଡେନ ଆଦି ଦେଶ ରେ ଏଇ ପକ୍ଷୀମାନେ ନିଜର ପ୍ରଜନନ କରିଥାନ୍ତି ।

ଚଢେଇ ମାନଙ୍କ କ୍ଷେତ୍ରରେ ବର୍ଣ୍ଣ ଗତ ମ୍ୟୁଟେସନ କୁ ଚିହ୍ନଟ କରିବା କଷ୍ଟ ସାଧ୍ୟ ହୋଇଥାଏ । ଏଇ ଭଳି ଧଳା ରଙ୍ଗ ବିଶିଷ୍ଟ ମ୍ୟୁଟେସନ ଡାଇଲୁସନ ଏବଂ ପ୍ରୋଗ୍ରେସିଭ ଗ୍ରେଇଂ ଯୋଗୁଁ ମଧ୍ୟ ହୋଇଥାଏ । ଯେହେତୁ ଏଇ ଟେମନିକସ୍ ଷ୍ଟିଣ୍ଟ କ୍ଷେତ୍ରରେ ତାର ଇତିହାସ ବା ପିଲାଦିନ ର ରଙ୍ଗ ବିଷୟରେ ଯେହେତୁ କିଛି ତଥ୍ୟ ନାହିଁ, ଏଣୁ ଏଇ ପକ୍ଷୀ ଟିକୁ ଆମେ ଲିୟୁସିଷ୍ଟିକ ବୋଲି କହି ପାରିବା ବୋଲି ଶୁଭେନ୍ଦୁ ମଲ୍ଲିକ କହିଛନ୍ତି ।

ସୂଚନା ଅନୁସାରେ ଗତ ବର୍ଷ ମଧୁ ବେହେରା ମଙ୍ଗଳାଯୋଡି ରେ ଅନ୍ୟ ଦୁଇଟି ପକ୍ଷୀ ପ୍ରଜାତିଙ୍କର ବିରଳ ଲିୟୁସିଷ୍ଟିକ ମ୍ୟୁଟେସନ ଠାବ କରିଥିଲେ ।  । କରୋନା କଟକଣା ହ୍ରାସ ପାଇବା ପରେ ମଙ୍ଗଳାଯୋଡି କୁ କିଛି ପକ୍ଷୀ ପ୍ରେମୀ ଖାସ ଏଇ ଲିୟୁସିଷ୍ଟିକ ଟେମନିକସ୍ ଷ୍ଟିଣ୍ଟ ପକ୍ଷୀ କୁ ଦେଖିବା ଏବଂ ତାର ଫୋଟୋ ଉଠେଇବା ପାଇଁ ନିହାତି ଆସିବେ ବୋଲି ଆମେ ଆଶାବାଦୀ ବୋଲି ମଧୁ କହିଛନ୍ତି ।

Comments are closed, but trackbacks and pingbacks are open.