VIROSH: ଭିଡ଼ ଭିତରେ ପତ୍ନୀଙ୍କୁ ଏମିତି ବାଟ କଢେଇଲେ ବିଜୟ, ଲାଜେଇ ଗଲେ ରଶ୍ମିକା…ତିରୁମାଲା ମନ୍ଦିରରୁ ଭାଇରାଲ୍ ହେଲା ବିରୋଶଙ୍କ ଭିଡିଓ!
ତିରୁମାଲା: ଭିଡ଼ ଭିତରେ ପତ୍ନୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଲେ ଅଭିନେତା ବିଜୟ ଦେବରକୋଣ୍ଡା। ଦକ୍ଷିଣ ଭାରତୀୟ ସିନେମାର ଚର୍ଚ୍ଚିତ ଯୋଡ଼ି ରଶ୍ମିକା ମନ୍ଦାନା ଓ ବିଜୟ ଦେବରକୋଣ୍ଡା ମଙ୍ଗଳବାର ସକାଳେ ତିରୁମାଲା ମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଦର୍ଶନ ସାରି ମନ୍ଦିରରୁ ବାହାରକୁ ଆସିବା ସମୟରେ ପ୍ରଶଂସକଙ୍କ ଭିଡ଼ ଉଭୟଙ୍କୁ ଘେରି ଯାଇଥିଲା। ଏହି ସମୟରେ ବିଜୟ ରଶ୍ମିକାଙ୍କୁ ଭିଡ଼ ଭିତରୁ ସୁରକ୍ଷିତ ଭାବେ ବାହାରକୁ ନେଉଥିବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି।
ମନ୍ଦିର ଦର୍ଶନ ପାଇଁ ରଶ୍ମିକା ଓ ବିଜୟ ପାରମ୍ପରିକ ପୋଷାକ ପିନ୍ଧିଥିଲେ। ବିଜୟ ଧଳା ରଙ୍ଗର ସିଲ୍କ କୁର୍ତ୍ତା ଓ ଧୋତି ପିନ୍ଧିଥିବା ବେଳେ ରଶ୍ମିକା ହଳଦିଆ ସିଲ୍କ ଶାଢ଼ି ସହ ଗୋଲାପୀ ରଙ୍ଗର ବ୍ଲାଉଜ୍ ପିନ୍ଧିଥିଲେ। ଉଭୟଙ୍କୁ ଏହି ପାରମ୍ପରିକ ଅବତାରରେ ଦେଖିବାକୁ ପ୍ରଶଂସକଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଥିଲା। ମନ୍ଦିର ପରିସରକୁ ପ୍ରବେଶ କରିବା ସମୟରେ ଉଭୟଙ୍କ ସହ ସେମାନଙ୍କ ଟିମ୍ର ସଦସ୍ୟ ଓ ମନ୍ଦିର ଅଧିକାରୀମାନେ ମଧ୍ୟ ଥିଲେ। ଦର୍ଶନ ସମୟରେ ବିଶେଷ ଅସୁବିଧା ହୋଇନଥିଲେ ମଧ୍ୟ ବାହାରକୁ ଆସିବା ପରେ ପ୍ରଶଂସକଙ୍କ ଭିଡ଼ ବଢ଼ିଯାଇଥିଲା। ଅନେକ ଲୋକ ଉଭୟଙ୍କ ସହ ଫଟୋ ଉଠାଇବାକୁ ଆଗକୁ ଆସିଥିଲେ।

ଏହି ସମୟରେ ବିଜୟ ରଶ୍ମିକାଙ୍କୁ ନିଜ ପାଖରେ ଜାବୁଡି ରଖି ଗଲ୍ଫ କାର୍ଟ ପର୍ଯ୍ୟନ୍ତ ନେଇଯାଇଥିଲେ। ଏହି ସମୟରେ ରଶ୍ମିକା ଲାଜେଇ ଯାଇଥିବାର ନଜର ଆସିଥିଲେ । ସେମାନଙ୍କ ଟିମ୍ ମଧ୍ୟ ଭିଡ଼କୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଥିଲା। ରଶ୍ମିକା କିଛି ପ୍ରଶଂସକଙ୍କ ସହ ହାତ ମିଳାଇ ସେମାନଙ୍କ ଅଭିବାଦନ ଗ୍ରହଣ କରିଥିଲେ। ଏହାପରେ ଉଭୟ ଗଲ୍ଫ କାର୍ଟରେ ସେଠାରୁ ଚାଲିଯାଇଥିଲେ।
ଅନ୍ୟପଟେ ରଶ୍ମିକା ଏବେ ନିଜର ଆଗାମୀ ଫିଲ୍ମ ‘ରଣବାଲି’ର ପ୍ରମୋସନ୍ରେ ବ୍ୟସ୍ତ ଅଛନ୍ତି। ଗତ ଗୁରୁବାର ହାଇଦ୍ରାବାଦରେ ଫିଲ୍ମର ଟ୍ରେଲର ଲଞ୍ଚ୍ କାର୍ଯ୍ୟକ୍ରମ ହୋଇଥିଲା। କିନ୍ତୁ ସେହି ସମୟରେ ରଶ୍ମିକା ମୁମ୍ବାଇରେ ଅନ୍ୟ ଏକ ଫିଲ୍ମର ସୁଟିଂ କରୁଥିବାରୁ କାର୍ଯ୍ୟକ୍ରମରେ ଯୋଗ ଦେଇପାରିନଥିଲେ। ବିଜୟ ଦେବରକୋଣ୍ଡା ଓ ଫିଲ୍ମର ଅନ୍ୟ ସଦସ୍ୟମାନେ ଟ୍ରେଲର ଲଞ୍ଚ୍ରେ ସାମିଲ ହୋଇଥିଲେ।
ମୁମ୍ବାଇରୁ ଫେରିବା ପରେ ରଶ୍ମିକା ଫିଲ୍ମର ପ୍ରମୋସନ୍ରେ ବିଜୟଙ୍କ ସହ ଯୋଡ଼ି ହୋଇଛନ୍ତି। ଏହି କାର୍ଯ୍ୟକ୍ରମର ଅଂଶ ଭାବେ ଉଭୟ ସୋମବାର ସନ୍ଧ୍ୟାରେ ଚେନ୍ନାଇରେ ପହଞ୍ଚିଥିଲେ। ସେଠାରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟଙ୍କ ସହ ସାକ୍ଷାତ କରିଥିଲେ।
ଏହି ସାକ୍ଷାତର ଫଟୋ ବିଜୟ ସୋସିଆଲ ମିଡିଆରେ ସେୟାର କରିଥିଲେ। ସେ ଲେଖିଥିଲେ ଯେ ବ୍ୟସ୍ତବହୁଳ ଦିନ ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ଉଭୟଙ୍କୁ ଆତ୍ମୀୟତାର ସହ ସ୍ୱାଗତ କରିଥିଲେ। ଜୀବନ, କାମ ଓ ଦୁନିଆ ସମ୍ପର୍କରେ ନିଜର ଅନୁଭୂତି ବାଣ୍ଟିଥିଲେ। ବିଜୟ ଏହି ସାକ୍ଷାତକୁ ସ୍ମରଣୀୟ ବୋଲି କହିବା ସହ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ସମ୍ମାନ ଜଣାଇଥିଲେ। ରଶ୍ମିକା ମଧ୍ୟ ଫଟୋ ସେୟାର କରି ତାଙ୍କୁ ଭେଟି ଖୁସି ହୋଇଥିବା କହିଥିଲେ।
ବିଜୟ ଓ ରଶ୍ମିକାଙ୍କ ଆଗାମୀ ଫିଲ୍ମ ‘ରଣାବଳ୍ଲୀ’ର ନିର୍ଦ୍ଦେଶନା ଦେଇଛନ୍ତି ରାହୁଲ ସାଙ୍କୃତ୍ୟାୟନ। ମାଇଥ୍ରି ମୁଭି ମେକର୍ସ ବ୍ୟାନରରେ ନବୀନ ୟେର୍ନେନି ଓ ୱାଇ. ରବି ଶଙ୍କର ଏହାର ନିର୍ମାଣ କରିଛନ୍ତି। ଟି-ସିରିଜ୍ ଫିଲ୍ମସ୍ ଏହାକୁ ଉପସ୍ଥାପନ କରୁଛି। ଫିଲ୍ମର କାହାଣୀ ୧୯ଶ ଶତାବ୍ଦୀର ଭାରତରେ ବ୍ରିଟିଶ ଔପନିବେଶିକ ଶାସନ ସମୟରେ ଦେଖାଦେଇଥିବା ଦୁର୍ଭିକ୍ଷର ପୃଷ୍ଠଭୂମି ଉପରେ ଆଧାରିତ। ଅଭିନେତା ଆର୍ନୋଲ୍ଡ ଭୋସଲୁ ଏଥିରେ ଖଳନାୟକ ଭୂମିକାରେ ନଜର ଆସିବେ। ଫିଲ୍ମଟି ଅକ୍ଟୋବର ୧୬ ତାରିଖରେ ସିନେମା ହଲ୍କୁ ଆସିବ। ଅନ୍ୟପଟେ ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର୍ ୨’ ଅକ୍ଟୋବର ୧୫ ତାରିଖରେ ରିଲିଜ୍ ହେବାକୁ ଥିବାରୁ ବକ୍ସ ଅଫିସ୍ରେ ଦୁଇ ଫିଲ୍ମ ମଧ୍ୟରେ ପ୍ରତିଯୋଗିତା ଦେଖିବାକୁ ମିଳିପାରେ।
ତେବେ ଏହି ନିକଟରେ ଦୁହେଁ ବିବାହ କରିଥିବା ଏବେ ତିରୁମାଲା ମନ୍ଦିରରେ ରଶ୍ମିକା ଓ ବିଜୟଙ୍କ ଦର୍ଶନ ଏବଂ ପ୍ରଶଂସକଙ୍କ ଭିଡ଼ ଭିତରେ ପରସ୍ପରଙ୍କ ପ୍ରତି ସେମାନଙ୍କ ବ୍ୟବହାର ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।

