Latest Odisha News

BREAKING NEWS

ନୀତି ବିଳମ୍ବ; ରଥ ଉପରେ ଭୋକରେ ବସିଛନ୍ତି ମହାପ୍ରଭୁ

ପୁରୀ: ରଥଯାତ୍ରାରେ ବିଭ୍ରାଟ । ରଥ ଉପରେ ଭୋକରେ ରହିଛନ୍ତି ମହାପ୍ରଭୁ । ନିର୍ଦ୍ଧାରିତ ସମୟ ଭିତରେ ହୋଇ ପାରିନି ଗୋପାଳବଲ୍ଲଭ ନୀତି । ଅବକାଶ ନୀତି ସରିଥିଲେ ହେଁ ଏ ଯାଏ ଗୋପାଳବଲ୍ଲଭ ନୀତି ହୋଇପାରି ନାହିଁ ।

ଗତକାଲି ରଥଯାତ୍ରା ଦିନ ପ୍ରଭୁ ବଳଭଦ୍ରଙ୍କ ରଥ ଶରଧାବାଲିରେ ପହଞ୍ଚିଥିଲେ ହେଁ ଦର୍ପଦଳନ ଏବଂ ନନ୍ଦିଘୋଷ ଅଧାରେ ଅଟକି ରହିଥିଲା । ଆଜି ସକାଳୁ ସକାଳୁ ହୋଇଥିଲା ରଥଟଣା । ତିନି ଠାକୁର ଶରଧାବାଲିରେ ପହଞ୍ଚିବା ପରେ ମଙ୍ଗଳ ଆଳତି ଓ ଅବକାଶ ନୀତି ହୋଇଥିଲା । ହେଲେ ତା ପରବର୍ତ୍ତୀ ନୀତି ଏ ଯାଏ ବଢିନି । ତେଣୁ ଉପାସରେ ଅଛନ୍ତି ମହାପ୍ରଭୁ । ତେବେ କାହିଁକି ନୀତି ବଢି ପାରିନି ତାହା ସ୍ପଷ୍ଟ କରିପାରିନି ପ୍ରଶାସନ । ତେବେ ସମନ୍ୱୟ ଅଭାବ ଯୋଗୁ ନୀତିରେ ବିଳମ୍ବ ହେଉଥିବା କୁହାଯାଉଛି।

ଅନ୍ୟପକ୍ଷେ ଗତକାଲି ଠିକ ସମୟରେ ନୀତିକାନ୍ତି ଶେଷ ହୋଇଥିଲେ ହେଁ ରଥ କାହିଁକି ଗୁଣ୍ଡିଚା ଘରେ ପହଞ୍ଚି ପାରିଲା ନାହିଁ  ତାକୁ ନେଇ ଚାଲିଛି ଚର୍ଚ୍ଚା । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ  କହିଛନ୍ତି ମା’ ସୁଭଦ୍ରାଙ୍କ ରଥ ବଳଗଣ୍ଡି ଛକରେ ଅଟକି ରହିଥିଲା । ନନ୍ଦିଘୋଷ ରଥ ବଗଲା ଧର୍ମଶାଳା ପାଖରେ ଅଟକି ରହିଥିଲା । ଆଜି ସକାଳେ ରଥଟଣା ଆରମ୍ଭ ହୋଇ ଗୁଣ୍ଡିଚା ମନ୍ଦିର ଶରଧାବାଲିରେ ପହଞ୍ଚିଛି ୩ ରଥ । ଆଜି ଠାକୁର ରାତିରେ ରହିବେ । ଆସନ୍ତାକାଲି ସନ୍ଧ୍ୟାରେ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯିବେ ।

ସୂଚନାଥାଉ କି,  ପରମ୍ପରା ଅନୁଯାୟୀ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ତିନି ରଥ ଲାଗିବାର ପରଦିନ ଆଡ଼ପ ମଣ୍ଡପ ବିଜେ ନୀତି ହୋଇଥାଏ। ତେଣୁ ଆଜି ରଥ ଉପରେ ତିନି ଦିଅଁ ଅବସ୍ଥାନ କରିବେ। ରଥ ଉପରେ ସମସ୍ତେ ନୀତିକାନ୍ତି ଅନୁଷ୍ଠିତ ହେବ। ରଥ ଉପରେ ଅନ୍ନ ଭୋଗ କରାନଯାଇ ଖଇ କୋରା ଭୋଗ ହେବ।

ଅନ୍ୟପକ୍ଷେ ଆସନ୍ତାକାଲି ସକାଳୁ ମହାପ୍ରଭୁଙ୍କ ମଙ୍ଗଳ ଆଳତୀଠାରୁ ସଂଧ୍ୟା ଧୂପ ପର୍ଯ୍ୟନ୍ତ ସମସ୍ତ ନୀତି କାନ୍ତି ରଥ ଉପରେ ଅନୁଷ୍ଠିତ ହେବ। ଦିନ୩ଟା ସୁଦ୍ଧା ସବୁ ନୀତି ସରିବା ପରେ ରଥରୁ ଘୋଡ଼ା ଖୋଲାଯାଇ ଚାରମାଳ  ଲଗାଯିବା। ପରେ ମହାପ୍ରଭୁ ଙ୍କ ପୁଷ୍ପାଞ୍ଜଳି ନୀତି ପରେ ତିନି ଦିଅଁଙ୍କ ଆଡ଼ପ ମଣ୍ଡପ ବିଜେ ଅନୁଷ୍ଠିତ ହେବ।   ଶୁକ୍ରବାର ଠାରୁ ଭକ୍ତ ମାନେ ମହାପ୍ରଭୁଙ୍କୁ ଗୁଣ୍ଡିଚା ମନ୍ଦିରରେ ଦର୍ଶନ କରିବା ସହ ଆଡ଼ପ ଅବଢ଼ା ପାଇବେ।

Leave A Reply

Your email address will not be published.