Latest Odisha News

BREAKING NEWS

ଜୁଲାଇ ୭ରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା, ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରଥମ ବୈଠକ

ପୁରୀ: ଜୁଲାଇ ୭ ତାରିଖରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ତେବେ ଚଳିତ ବର୍ଷ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳା ଓ ସୁରୁଖୁରୁରେ ଶେଷ କରିବା ପାଇଁ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ପ୍ରାରମ୍ଭିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ରଥଯାତ୍ରାରେ ହୋଇଥିବା ତ୍ରୁଟି ବିଚ୍ୟୁତି ଓ ସମସ୍ୟାକୁ ସୁଧାରି ସମସ୍ତ ବିଭାଗ ନିଜ ନିଜ ପ୍ରସ୍ତୁତି ଓ ଆକ୍ସନ ପ୍ଲାନ ଚୁଡ଼ାନ୍ତ କରିବାକୁ ପୁରୀ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଅକ୍ଷୟ ତୃତୀୟା ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ନୀତି କାନ୍ତି, ଜନଗହଳି ନିୟନ୍ତ୍ରଣ, ପାନୀୟ ଜଳ ଯୋଗାଣ, ସ୍ବାସ୍ଥ୍ୟ ଓ ପରିମଳ ସହ ଆଇନ ଶୃଙ୍ଖଳା ନେଇ ଆଜିର ଏହି ପ୍ରସ୍ତୁତି ବୈଠକରେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି। ତେବେ ବିଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ପରିକ୍ରମା ପ୍ରକଳ୍ପ ଯୋଗୁ ଦ୍ବିଗୁଣା ଭକ୍ତଙ୍କ ସମାଗମ ହେବ ବୋଲି ପ୍ରଶାସନ ଆକଳନ କରିଛି।

ଆସନ୍ତା ମେ ୧୦ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା ଏବଂ ଜୁନ୍ ୨୨ ରେ ଦେବସ୍ନାନ ପୂର୍ଣ୍ଣିମା। ସେହିପରି ଜୁଲାଇ ୭ ରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଜୁଲାଇ ୧୫ ରେ ବାହୁଡା ଏବଂ ୧୭ ତାରିଖରେ ପବିତ୍ର ସୁନାବେଶ ଅନୁଷ୍ଠିତ ହେବ। ତେବେ ୨୦୨୪ ରଥଯାତ୍ରାକୁ ନେଇ ପ୍ରସ୍ତୁତ ହୋଇଥିବା ଦିନ, ନୀତିକୁ ନେଇ ପ୍ରଶାସନିକ ସ୍ତରରେ ଆରମ୍ଭ ହୋଇଛି ପ୍ରସ୍ତୁତି। ସବୁ ବିଭାଗ ନିଜ ନିଜ ମଧ୍ୟରେ ସମନ୍ବୟ ରକ୍ଷା କରି ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିବା ପାଇଁ ପ୍ରଥମ ପ୍ରସ୍ତୁତି ବୈଠକରେ ଆଲୋଚନା କରାଯାଇଛି।

ପ୍ରଚଣ୍ଡ ରୌଦ୍ରତାପ ଓ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପର୍ଯ୍ୟାପ୍ତ ଜଳ ସିଞ୍ଚନ, ପାନୀୟ ଜଳ ଯୋଗାଣ, ଷ୍ଟାଣ୍ଡ ପୋଷ୍ଟ ପ୍ରସ୍ତୁତ ରଖିବାକୁ ଜନସ୍ବାସ୍ଥ୍ୟ ବିଭାଗ ଓ ପୌରପାଳିକାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଶ୍ରୀମନ୍ଦିର ଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ, ବଡ଼ଦାଣ୍ଡ ସମେତ ଏହାକୁ ସଂଯୋଗ କରୁଥିବା ରାସ୍ତା ଗୁଡିକର ଆବଶ୍ୟକୀୟ ମରାମତି, ଡ୍ରେନ୍ ସଫେଇ ନେଇ ପୌର ପାଳିକାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହୋଇଥିବାରୁ ଏହାକୁ ନଜରରେ ରଖି ସମସ୍ତ ନିୟମକୁ ଅନୁପାଳନ କରି କାର୍ଯ୍ୟ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ।

 

Leave A Reply

Your email address will not be published.