Latest Odisha News

ରଥଯାତ୍ରା ଅନୁମତି ନେଇ ପୁଣି ସୁପ୍ରିମକୋର୍ଟରେ ମାମଲା

ଭୁବନେଶ୍ୱର: ପୁରୀ ରଥଯାତ୍ରାକୁ ଅନୁମତି ଦେବାକୁ ନେଇ ସୁପ୍ରିମକୋର୍ଟରେ ତିନି ତିନିଟି ପିଟିସନ ଦାଖଲ ହୋଇଛି । ପକ୍ଷଭୁକ୍ତ ଆବେଦନକାରୀ ନୟାଗଡର ଆଫତାବ ହୁସେନଙ୍କ ଦ୍ୱାରା ମୋଡିଫିକେସନ ପିଟିସନ ଦାଖଲ କରାଯାଇଛି । ନିଜ ଆବେଦନରେ ଆଫତାବ ଦର୍ଶାଇଛନ୍ତି ଯେ, ବିଶ୍ୱପ୍ରସିଦ୍ଧ ପୁରୀର ରଥଯାତ୍ରା କେବଳ ଗୋଟିଏ ରୀତିନୀତି ନୁହେଁ ଏହା ଲୋକଙ୍କର ଭାବାବେଗ ସହିତ ତଥା ହଜାର ହଜାର ବର୍ଷର ପରମ୍ପରା ସହିତ ଜଡିତ । ତେଣୁ ପୁରୀକୁ ସଟଡାଉନ୍ କରି ଅଳ୍ପସଂଖ୍ୟକ ସେବାୟତଙ୍କୁ ନେଇ କେବଳ ପୁରୀରେ ରଥଯାତ୍ରାକୁ ଅନୁମତି ପ୍ରଦାନ କରାଯାଉ ।

ସେପଟେ ରଥଯାତ୍ରା ଆୟୋଜନ ନେଇ ଜଗନ୍ନାଥ ସଂସ୍କୃତି ଜନଜାଗରଣ ମଂଚ ପକ୍ଷରୁ ରିକଲ ଅବେଦନ ଦାଖଲ କରାଯାଇଛି । ଓଡିଶା ବିକାଶ ପରିଷଦ ଦ୍ୱାରା ଦାଖଲ କରାଯାଇଥିବା ମାମଲାରେ ଜଗନ୍ନାଥ ସଂସ୍କୃତି ଜନଜାଗରଣ ମଂଚ ପକ୍ଷଭୁକ୍ତ ଥିଲା । ସାମାଜିକ ଦୂରତା ସହ ଅଳ୍ପସଂଖ୍ୟକ ସେବାୟତଙ୍କୁ ନେଇ କୋଭିଡ ଗାଇଡଲାଇନକୁ ପାଳନ କରି ରଥଯାତ୍ରାକୁ ଅନୁମତି ଦିଆଯାଉ ବୋଲି ଆବେଦନ କରାଯାଇଛି ।

ସେହିପରି ଆଉ ଦୁଇ ଜଣ ଆବେଦକ ସଂଜୀବ କୁମାର ଚିନାରା ଏବଂ ବିଜନ ପାଇକରାୟ ମଧ୍ୟ ରଥଯାତ୍ରା କରିବାକୁ ଅନୁମତି ଲୋଡି ସୁପ୍ରିମକୋର୍ଟରେ ରିଟ ପିଟିସନ ଦାଖଲ କରିଛନ୍ତି । ଓଡିଶା ବିକାଶ ପରିଷଦ ଦ୍ୱାରା ଦାଖଲ କରାଯାଇଥିବା ମୂଳ ମାମଲାରେ ପକ୍ଷଭୁକ୍ତ ହୋଇ ସୁପ୍ରିମକୋର୍ଟଙ୍କ ପୂର୍ବ ରାୟର ପୁନଃବିଚାର କରିବାକୁ ଆବେଦନ କରିଛନ୍ତି ।

Leave A Reply

Your email address will not be published.