Latest Odisha News

BREAKING NEWS

କଲେଜ ଛାତ୍ର ହତ୍ୟା ଘଟଣାର ପର୍ଦ୍ଦାଫାସ, ୩ ଅଭିଯୁକ୍ତଙ୍କୁ ଗିରଫ କଲା ରାୟଗଡ଼ ପୁଲିସ

ରାୟଗଡ଼ା: ଗତକାଲି ରାୟଗଡ଼ା ସହରରେ ହୋଇଥିବା କଲେଜ ଛାତ୍ର ହତ୍ୟା ଘଟଣାର ଆଜି ପର୍ଦ୍ଦାଫାସ କରିଛି ପୁଲିସ। ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ ସୂଚନା ଦେଇଛି। ରାୟଗଡ଼ା ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଏସଡିପିଓ ରଶ୍ମି ରଞ୍ଜନ ସେନାପତି ଓ ଆଇଆଇସି କେକେବିକେ କହଁର। ହତ୍ୟା ଘଟଣାରେ ଜଡ଼ିତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗିରଫ ଯୁବକମାନେ ହେଲେ ରାୟଗଡ଼ା ବ୍ଲକ ଖିଲମିସଗୁଡ଼ା ଗ୍ରାମର ଦୀପନ କୁମାର ହିମିରିକା(୨୬), ମୁରଲି କଣ୍ଡାଗରି(୨୪) ଓ ହେମନ୍ତ ଜିଲାକାରା(୨୪) । ସେମାନଙ୍କ ଠାରୁ ଗୋଟିଏ ରକ୍ତ ଲଗା ଛୁରୀ, ଗୋଟିଏ ମୋବାଇଲ ଏବଂ ସ୍କୁଟି ଜବତ କରିଛି ପୁଲିସ ।

ସୂଚନା ଅନୁସାରେ, ପ୍ରେମ ବ୍ୟାପାରକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ଦେଇଛି ପୁଲିସ । ଦୀପନଙ୍କ ଭଉଣୀ ଓ ପ୍ରମୋଦଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା । ଉଭୟ ପରିବାର ମଧ୍ୟରେ ପୂର୍ବରୁ ଶତୃତା ରହିଥିବା କାରଣରୁ ଦୀପନଙ୍କ ପରିବାର ଏହି ସମ୍ପର୍କକୁ ବିରୋଧ କରୁଥିଲେ। ତେବେ ବିରୋଧ ଉଭୟ ପ୍ରେମୀଯୁଗଳ ବିବାହ କରିବାକୁ ପ୍ରସ୍ତୁତି ମଧ୍ୟ କରିଥିଲେ । ପରିବାରର ଶତୃକୁ ଭଉଣୀ ଭଲ ପାଉଥିବାରୁ ଏହା ଦୀପନଙ୍କ ମନକୁ ଆଘାତ ଦେଇଥିଲା । ଏହାପରେ ପ୍ରମୋଦଙ୍କୁ ହତ୍ୟା କରାଯାଇଥିଲା। ଏହି କାରଣରୁ ହିଁ ହତ୍ୟାକାଣ୍ଡ ଘଟିଥିବା ପୁଲିସ ପ୍ରେସ ବିବୃତିରେ ଉଲ୍ଲେଖ କରିଛି ।

ପ୍ରକାଶ ଥାଉକି, ଗତକାଲି ସକାଳ ପ୍ରାୟ ୧୦ ଟା ସମୟରେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲାଙ୍କ ଝିଅକୁ ସ୍କୁଲରୁ ନେଇ ଫେରୁଥିଲେ ମୃତ ପ୍ରମୋଦ କୁମାର କିଲାକା । ପ୍ରମୋଦ ହେଉଛନ୍ତି ଗଙ୍ଗାଧରଙ୍କ ଭଣଜା । ବାଟରେ ଦୀପନ ହିମିରିକା ଓ ତାଙ୍କ ଦୁଇ ସହଯୋଗୀ ମୃତ ପ୍ରମୋଦଙ୍କୁ ଗୌତମ ନଗର ଠାରେ ଅଟକାଇ କଥାବାର୍ତା ହୋଇଥିଲେ । ଏହି ବାର୍ତାଳାପ ପରବର୍ତି ସମୟରେ ଯୁକ୍ତିତର୍କରେ ପରିଣତ ହୋଇଥିଲା । ଏହାପରେ ଦୀପନ ଓ ତାଙ୍କ ଦୁଇ ସହଯୋଗୀ ପ୍ରମୋଦଙ୍କ ଉପରେ ଆକ୍ରମଣ କରି ଛୁରୀରେ ଭୁସିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ପ୍ରମୋଦଙ୍କ ମୃତ୍ୟୁ ହୋଇଥିଲା । ଘଟଣା ଘଟାଇବା ପରେ ଦୀପନ ଓ ତାଙ୍କ ସହଯୋଗୀ ଫେରାର ହୋଇଯାଇଥିଲେ । ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ପ୍ରମୋଦଙ୍କ ଶବକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ ।

 

Leave A Reply

Your email address will not be published.