Latest Odisha News

BREAKING NEWS

‘ଅଗ୍ନିପଥ’ ଯୋଜନରେ ରେଜିମେଣ୍ଟ ବ୍ୟବସ୍ଥା ଅପରିବର୍ତ୍ତିତ ରହିବ

ଭୁବନେଶ୍ୱର: କେନ୍ଦ୍ର ସରକାର ପ୍ରଣୀତ କରିଥିବା ‘ଅଗ୍ନିପଥ’ ଯୋଜନାକୁ ନେଇ ଅନେକ ଦ୍ୱନ୍ଦ ଏବଂ ଆଶଙ୍କା ଲାଗି ରହିଛି । ସେ ଭିତରେ ଏକ ଗୁରୁତ୍ୱପୂର୍ଣ୍ଣ ଆଶଙ୍କା ହେଉଛି ରେଜିମେଣ୍ଟ ବ୍ୟବସ୍ଥାର ଉଚ୍ଛେଦ । ଏକ ଗୁଜବ ଆଲୋଚନା ହେଉଛି ଯେ, ଭାରତୀୟ ସେନାରୁ ରେଜିମେଣ୍ଟ ବ୍ୟବସ୍ଥା ଉଚ୍ଛେଦ କରାଯାଉଛି । ନୂଆ ନିଯୁକ୍ତି ଯୋଜନା ‘ଅଗ୍ନିପଥ’ରେ ଏହି ବ୍ୟବସ୍ଥା ରହିବନି ବୋଲି ଆଲୋଚନା ହେଉଥିଲା । ଯାହାକୁ ନେଇ ସ୍ପଷ୍ଟୀକରଣ ରଖିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ।

ମଙ୍ଗଳବାର ଖବର ସରବରାହ ସଂସ୍ଥା ‘ଏଏନଆଇ’କୁ ଏକ ସାକ୍ଷାତକାର ଦେଇ ଅଜିତ୍ ରେଜିମେଣ୍ଟ ବ୍ୟବସ୍ଥା ଅପରିବର୍ତ୍ତିତ ରହିବା କଥା ଉଲ୍ଲେଖ କରିଛନ୍ତି । ଯଦି ରେଜିମେଣ୍ଟ ବିଷୟରେ ଆଲୋଚନା ହେଉଛି- ତେବେ ‘ଆର୍ଟିଲେରୀ ରେଜିମେଣ୍ଟ, ଇଲେକ୍ଟ୍ରିକାଲ ରେଜିମେଣ୍ଟ ଏବଂ ମେକାନିକାଲ ରେଜିମେଣ୍ଟ’ ଆଦି ରହିବ । ଆଉ ଏବେ କେତେକ ଜାତି ଭିତ୍ତିକ ରେଜିମେଣ୍ଟ ରହିଛି । ଯାହା ଭାରତର ଉପନିବେଶବାଦର ଛାପ । ଏହି ବ୍ୟବସ୍ଥା ବ୍ରିଟିଶ ଶାସନ କାଳରେ ଆରମ୍ଭ ହୋଇଥିଲା । କାରଣ ସେମାନେ ଚାହୁଁନଥିଲେ କୌଣସି ଜିନିଷ ସର୍ବଭାରତୀୟ ସ୍ତରରେ ଚାଲୁ ।

ଜୁନ୍ ୧୪ରେ କେନ୍ଦ୍ର ସରକାରଙ୍କ କ୍ୟାବିନେଟ ଏହି ‘ଅଗ୍ନିପଥ’ ଯୋଜନାକୁ ଅନୁମୋଦନ କରିଥିଲା । ଏହା ପର ଠାରୁ ସାରା ଦେଶରେ ବିରୋଧ ପ୍ରଦର୍ଶନ ଲାଗି ରହିଛି । ଉତ୍ତରପ୍ରଦେଶ, ହରୟାଣା, ବିହାର, ତେଲେଙ୍ଗାନା, ଓଡ଼ିଶା, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ପଞ୍ଜାବ, ଝାରଖଣ୍ଡ ଏବଂ ଆସାମରେ ଏହି ବିବାଦୀୟ ନିଯୁକ୍ତି ଯୋଜନାକୁ ବିରୋଧ ପ୍ରଦର୍ଶନ ହୋଇଛି ।

ଏହି ବିରୋଧ ମଧ୍ୟରେ ତିନି ସେନାର ମୁଖ୍ୟ ପ୍ରେସକୁ ସୂଚନା ଦେଇ ସ୍ପଷ୍ଟୀକରଣ ଦେଇଛନ୍ତି । ଆଗାମୀ ୪-୫ ବର୍ଷ ଭିତରେ ୧.୨୫ ଲକ୍ଷ ଅଗ୍ନିବୀର ସେନାରେ ଭର୍ତ୍ତି ହେବେ । ଯହିଁରୁ ଚଳିତ ବର୍ଷ ଶେଷ ସୁଦ୍ଧା ୨୫ ହଜାର ନିଯୁକ୍ତି ହେବ । ଆଗାମୀ ବର୍ଷ ଫେବୃୟାରୀ ସୁଦ୍ଧା ୧୫ ହଜାର ନିଯୁକ୍ତି କରାଯିବ ବୋଲି ତିନି ସେନାର ମୁଖ୍ୟ ପ୍ରେସକୁ ସୂଚନା ଦେଇଛନ୍ତି ।

ମାତ୍ରାଧିକ ବିବାଦ ଭିତରେ ଫସିଥିବା ଅଗ୍ନିପଥକୁ ଉଚ୍ଛେଦ ପାଇଁ ପ୍ରବଳ ଦାବି ହେଉଛି । ଏହାକୁ ନେଇ ଅଜିତ୍ କହିଛନ୍ତି- କୌଣସି ବି ସ୍ଥିତିରେ ଏହି ବ୍ୟବସ୍ଥା ଉଚ୍ଛେଦ ହେବନି । ଗୋଟିଏ ଦିନକରେ ଏ ନିଷ୍ପତ୍ତି ନିଆଯାଇନି । ପ୍ରାୟ ଏକ ଦଶନ୍ଧି ଧରି ଏ ବିଷୟରେ ଆଲୋଚନା ହୋଇଛି । ଏପରିକି କାର୍ଗିଲ ସମୀକ୍ଷା କମିଟି ମଧ୍ୟ ଏହି ବ୍ୟବସ୍ଥା ପାଇଁ ପ୍ରସ୍ତାବ ଦେଇଥିଲା । ଏହାକୁ ନେଇ ଯାହା ଦ୍ୱନ୍ଦ ରହିଛି, ସେସବୁକୁ ସ୍ପଷ୍ଟ କରାଯିବ । ବ୍ୟବସ୍ଥାକୁ ନେଇ ଅନେକ ଭୁଲ୍ ବୁଝାମଣା ରହିଛି । ଯେଉଁଥିପାଇଁ ଏତେ ମାତ୍ରାରେ ବିରୋଧ ପ୍ରଦର୍ଶନ କରାଯାଉଛି ବୋଲି ଜାତୀୟ ସୁରକ୍ଷା ପରାମର୍ଶଦାତା କହିଛନ୍ତି ।

Leave A Reply

Your email address will not be published.