Latest Odisha News

BREAKING NEWS

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହୋଇଛି ରାହୁ ରେଖା

ପୁରୀ: ଆଜି ପବିତ୍ର ଭାଦ୍ରବ ମାସ କୃଷ୍ନପକ୍ଷ ପଞ୍ଚମୀ ତିଥି ଅର୍ଥାତ୍ ରେଖା ପଞ୍ଚମୀ । ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହୋଇଛି ରାହୁ ରେଖା । ଶ୍ରୀଜିଉଙ୍କ ଶ୍ରୀମୁଖ ସରସ ଓ ସୁନ୍ଦର ଦେଖାଯିବା ପାଇଁ ସୁନା ଲାଗିଥିବା ପଟିରେ ପ୍ରସ୍ତୁତ ଏହି ରାହୁରେଖାକୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଲାଗି କରାଯାଇଛି । ମହାପ୍ରଭୁଙ୍କର ଅନେକ ଗୁପ୍ତନୀତି ମଧ୍ୟରୁ ଏହା ଅନ୍ୟତମ ଗୁପ୍ତନୀତି ହୋଇଥିବାରୁ ଦଇତାପତି ସେବାୟତ ମାନେ ଗୋଷ୍ଠୀଗତ ଭାବେ ଏହି ନୀତିକୁ ନିଷ୍ଠାର ସହ ସମ୍ପାଦନ କରିଥାଆନ୍ତି ।

ପ୍ରଥମ ଭୋଗ ମଣ୍ଡପ ସରିବା ପରେ ରାହୁରେଖା ଲାଗି ନୀତି ଆରମ୍ଭ ହୋଇଥିଲା । ଏହା ଏକ ଗୁପ୍ତନୀତି ହୋଇଥିବାରୁ ମଧ୍ୟାହ୍ନ ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା । ସ୍ନାନ ପୂର୍ଣ୍ଣମୀ ଦିନ ୧୦୮ ଗରା ଜଳରେ ସ୍ନାନ କରି ଜରରେ ପୀଡ଼ିତ ହେବା ପରେ ଶ୍ରୀଜିଉଙ୍କ ଶ୍ରୀମୁଖରୁ ରାହୁରେଖାକୁ କାଢ଼ି ଦିଆ ଯାଇଥିଲା । ତେବେ ପୁନର୍ବାର ଆଜି ଦେଉଳକରଣ, ତଢଉ କରଣ, ଭଣ୍ଡାର ମେକାପଙ୍କ ଉପସ୍ଥିତିରେ ଭଣ୍ଡାର ଘରୁ ରାହୁରେଖାକୁ କଢ଼ା ଯାଇଥିଲା ।

ପ୍ରଥମ ଭୋଗମଣ୍ଡପ ସରିବା ପରେ ପୁଷ୍ପାଳକ ସେବାୟତ ଝୋବାକଣ୍ଠି ମଇଲମ କରିବା ସହ ମହାଜନ ସେବାୟତ ମାନେ ଭୂଦେବୀ ଏବଂ ଶ୍ରୀଦେବୀଙ୍କୁ ଖଟ ଶେଯ ଘରେ ବିରାଜମାନ କରାଇଥିଲେ । ଏହାପରେ ପତିମହାପାତ୍ର ସେବାୟତ ଏହି ରାହୁରେଖାକୁ ସଂସ୍କାର କରି ସାରିବା ପରେ ୪ ବାଡ଼ର ବାଡଗ୍ରାହୀ ଓଷୁଅ ଏବଂ କନା ଦ୍ୱାରା ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀମୁଖରେ ରାହୁରେଖାକୁ ଲାଗି କରିଥିଲେ । ରାହୁରେଖା ନୀତି ସମାପ୍ତ ପରେ ଠାକୁରଙ୍କୁ ମହାସ୍ନାନ କରାଯିବା ପରେ ପୁନର୍ବାର ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି ।

Leave A Reply

Your email address will not be published.