Indian Pilgrims Recall Nepal Horror:’ବନ୍ୟାଜଳ ମାତ୍ର ୧୦୦ ମିଟର ଦୂରରେ ଥିଲା; ଭଗବାନ ବଞ୍ଚାଇଲେ’- ଲୋମଟାଙ୍କୁରା ଅନୁଭୂତି କହିଲେ ଭାରତୀୟ ତୀର୍ଥଯାତ୍ରୀ
ନୂଆଦିଲ୍ଲୀ: ନେପାଳରେ ଆସିଥିବା ଭୟଙ୍କର ବନ୍ୟା ପରେ, ଶହ ଶହ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି। ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ନିରନ୍ତର ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହି ସମୟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ନେପାଳରୁ ଉଦ୍ଧାର ହୋଇ ଭାରତ ଅଣାଯାଇଥିବା ତୀର୍ଥଯାତ୍ରୀମାନଙ୍କ ଏକ ଦଳକୁ ଭେଟିଛନ୍ତି।
ଏହି ଦଳରେ ୨୧ ଜଣ ଭାରତୀୟ ତୀର୍ଥଯାତ୍ରୀ ଥିଲେ, ଯେଉଁମାନେ ନେପାଳରେ ଭୟଙ୍କର ବନ୍ୟା ଯୋଗୁଁ ଫସିଥିଲେ ଓ ସୁରକ୍ଷିତ ଭାବେ ଫେରିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ତୀର୍ଥଯାତ୍ରୀ ଉକ୍ତ ଘଟଣା ସମ୍ପର୍କରେ ନିଜର ପ୍ରତ୍ୟକ୍ଷ ଅନୁଭୂତି ବର୍ଣ୍ଣନା କରିଥିଲେ।
ସେ କହିଥିଲେ ଯେ ବନ୍ୟାଜଳ ତାଙ୍କଠାରୁ ମାତ୍ର ୧୦୦ ମିଟର ଦୂରତା ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା ଏବଂ ଏହି ସଙ୍କଟପୂର୍ଣ୍ଣ ପରିସ୍ଥିତିରୁ ବଞ୍ଚିବାରେ “ଭଗବାନ ତାଙ୍କୁ ସାହାଯ୍ୟ କରିଥିଲେ”।
ଆନ୍ଧ୍ରପ୍ରଦେଶର ବିଶାଖାପାଟଣାର ଜଣେ ତୀର୍ଥଯାତ୍ରୀ ସଙ୍କଟ ସମୟରେ ରାଜ୍ୟ ନେତାମାନଙ୍କଠାରୁ ସହାୟତା ପାଇବା ବିଷୟରେ ବର୍ଣ୍ଣନା କରିଥିଲେ। ଉଦ୍ଧାର ହୋଇଥିବା ତୀର୍ଥଯାତ୍ରୀ ଜଣକ କହିଥିଲେ, “ସେଠାରେ ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ଅଟେ। ପ୍ରାୟ ୨୫୦ ଜଣ ଭାରତୀୟ ନିଖୋଜ ଅଛନ୍ତି। ବନ୍ୟାଜଳ ମୋଠାରୁ ମାତ୍ର ୧୦୦ ମିଟର ଦୂରରେ ଥିଲା। ଭଗବାନ ମୋତେ ସାହାଯ୍ୟ କଲେ, ତେଣୁ ମୁଁ ଖୁସି ଅଛି।ମୁଁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ଆସିଛି। ମନ୍ତ୍ରୀ ନାରା ଲୋକେଶ ମୋ ସହିତ କଥା ହୋଇଥିଲେ; ମୋ ନିର୍ବାଚନ ମଣ୍ଡଳୀର ବିଧାୟକ ମଧ୍ୟ ମୋ ସହିତ କଥା ହୋଇଥିଲେ। ମୁଁ ମୁଖ୍ୟମନ୍ତ୍ରୀ ଏବଂ ସେମାନଙ୍କୁ ଧନ୍ୟବାଦ ଜଣାଉଛି।”
ଏହି ସମୟରେ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ୮୫ ଜଣ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି; ତେବେ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ହେଉଛି ବନ୍ୟା ପ୍ରଭାବିତ ଅଞ୍ଚଳରେ ଥିବା ସେହି ୩୧୫ରୁ ଅଧିକ ଭାରତୀୟ ନାଗରିକଙ୍କ ସହ ଯୋଗାଯାଗ ସ୍ଥାପନ କରିବା, ଯେଉଁମାନଙ୍କ ସହ ବର୍ତ୍ତମାନ ସୁଦ୍ଧା ଯୋଗାଯାଗ ସମ୍ଭବ ହୋଇପାରିନାହିଁ। ଉଲ୍ଲେଖନୀୟ ଯେ, କାଠମାଣ୍ଡୁ ଦେଇ ରାଜଧାନୀରେ ପହଞ୍ଚିଥିବା ୨୧ ଜଣ ତୀର୍ଥଯାତ୍ରୀଙ୍କ ଏହି ଦଳକୁ ନେପାଳ ସେନା ଏକ ଏପରି ସ୍ଥାନରୁ ଉଦ୍ଧାର କରିଥିଲା, ଯାହାକୁ ବୈଦେଶିକ ବ୍ୟାପାର ମନ୍ତ୍ରୀ “ଅତ୍ୟନ୍ତ ଦୁର୍ଗମ ସ୍ଥାନ” ବୋଲି ବର୍ଣ୍ଣନା କରିଛନ୍ତି।
ଜୟଶଙ୍କର କହିଛନ୍ତି, “ମୁଁ ବର୍ତ୍ତମାନ ସେହି ଭାରତୀୟ ଦଳକୁ ଭେଟିଲି ଯେଉଁମାନେ କୈଳାଶ ମାନସରୋବର ତୀର୍ଥଯାତ୍ରାରେ ଯାଇଥିଲେ। ବନ୍ୟା ପରେ ସେମାନଙ୍କୁ ଉଦ୍ଧାର କରାଯାଇ କାଠମାଣ୍ଡୁ ଅଣାଯାଇଥିଲା। ନେପାଳୀ ସେନା ସେମାନଙ୍କୁ ଉଦ୍ଧାର କରିଥିଲା ଏବଂ ତା’ପରେ ଆମ ଦୂତାବାସ ସେମାନଙ୍କ ଫେରିବା ପାଇଁ ବ୍ୟବସ୍ଥା କରିଥିଲା।”
ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଆହୁରି କହିଛନ୍ତି, “ମୁଁ କେବଳ ସେମାନଙ୍କୁ ଭେଟିବା, ସେମାନଙ୍କ ସୁରକ୍ଷା ନେଇ ଖୁସି ବ୍ୟକ୍ତ କରିବା ଏବଂ ସେମାନଙ୍କ ଅନୁଭୂତି ବିଷୟରେ ଜାଣିବା ପାଇଁ ଆସିଥିଲି।” ସେ ଉଲ୍ଲେଖ କଲେ ଯେ, ତୀର୍ଥଯାତ୍ରୀମାନେ ନିଜ ଜୀବନ ରକ୍ଷା କରିବା ଦିଗରେ ନେପାଳ ସେନାର ପ୍ରୟାସ ପାଇଁ ଗଭୀର କୃତଜ୍ଞତା ଜ୍ଞାପନ କରିଥିଲେ।
ଆହୁରି ସେ କହିଛନ୍ତି ଯେ, ଏହି ଅଭିଯାନ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ସେଠାରେ ଥିବା ସମସ୍ତ ଭାରତୀୟଙ୍କ ସହ ଯୋଗାଯୋଗ ସ୍ଥାପନ କରିବା ଉପରେ ଆମର ସମ୍ପୂର୍ଣ୍ଣ ଧ୍ୟାନ ରହିଛି। ୩୧୫ରୁ ଅଧିକ ଭାରତୀୟଙ୍କ ସହ ଏପର୍ଯ୍ୟନ୍ତ ଯୋଗାଯୋଗ ହୋଇପାରିନାହିଁ। ବିଭିନ୍ନ ସ୍ଥାନରୁ ପ୍ରାୟ ୮୫ ଜଣ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି।

