Latest Odisha News

BREAKING NEWS

ମହାରାଷ୍ଟ୍ରରୁ ଆସି ଆମ ବସରେ କରୁଥିଲେ ଚୋରି;ବନ୍ଧାହେଲେ ୫ ଜଣିଆ ମହିଳା ଗ୍ୟାଙ୍ଗ

ଭୁବନେଶ୍ବର:ଏକ ୫ଜଣିଆ ମହିଳା ଗ୍ୟାଙ୍ଗକୁ ଧରିଛି କମିଶନରେଟ୍ ପୋଲିସ । ନୟାପଲ୍ଲୀ ଥାନା ପୋଲିସ ସମସ୍ତଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୧୦ଟି ଚୋରା ମୋବାଇଲ ଓ ୨ଟି ଦାମୀ ବ୍ୟାଗ ଜବତ ହୋଇଛି । ଲୁଟ୍ ମୋବାଇଲ୍ ବିକ୍ରି ଉଦ୍ୟମ ବେଳେ ଜୟଦେବ ବିହାରରେ ସମସ୍ତଙ୍କୁ ପୋଲିସ ଟିମ୍ ଧରିଛି । ପଚରାଉଚରା ବେଳେ ସେମାନେ ନିଜର ଦୋଷ ସ୍ୱୀକାର କରିଛନ୍ତି ।

ଅଭିଯୁକ୍ତମାନେ ହେଲେ ହଲକା ବିରାଜ ସିନ୍ଦେ, ଗୀତା କାମ୍ବଲେ, ରଶିକା ଶର୍ମା, ବିଦ୍ୟା ଗୋବିନ୍ଦା ସିନ୍ଦେ ଓ ସାରିକା ସୁରେଶା ଶର୍ମା କାମ୍ବଲେ । ମହିଳାମାନେ ମହାରାଷ୍ଟ୍ରର ଗୋନ୍ଦିଆ ଅଞ୍ଚଳର । ସେମାନେ ବର୍ତ୍ତମାନ କଟକ ଜଗତପୁର ଅଞ୍ଚଳରେ ରହୁଥିଲେ।

ପୋଲିସର ସୂଚନାନୁଯାୟୀ, ମହାରାଷ୍ଟ୍ରରୁ ଆସିଥିବା ଏହି ପେସାଦାର ଲୁଟେରାମାନେ ‘ଆମ ବସ୍’ ଏବଂ ମାର୍କେଟରେ କୃତ୍ରିମ ଭିଡ଼ ସୃଷ୍ଟି କରୁଥିଲେ। ଯାତ୍ରୀମାନେ ଅସାବଧାନ ଥିବାବେଳେ ସେମାନେ ଅତି ଚତୁରତାର ସହ ମହିଳାଙ୍କ ଭ୍ୟାନିଟି ବ୍ୟାଗ୍ ଓ ଲୋକଙ୍କ ପକେଟରୁ ଦାମୀ ମୋବାଇଲ୍ ଏବଂ ଟଙ୍କା ଲୁଟି ନେଉଥିଲେ ଏବଂ ଅନ୍ୟ ରାଜ୍ୟରେ ଥିବା ନିଜ ଦଲାଲମାନଙ୍କ ଜରିଆରେ ବିକ୍ରି କରୁଥିଲେ ।

ଶୁକ୍ରବାର ସକାଳ ପ୍ରାୟ ୯.୧୫ ମିନିଟରେ ଜୟଦେବ ବିହାର ବସ୍ ଷ୍ଟପେଜ୍ ନିକଟରେ ୫ ଜଣ ହିନ୍ଦୀଭାଷୀ ମହିଳା ସନ୍ଦିଗ୍ଧ ଅବସ୍ଥାରେ ଠିଆ ହୋଇ ଲୁଟ୍ ମୋବାଇଲ୍ ବିକ୍ରି କରିବାକୁ ଉଦ୍ୟମ କରୁଥିବା ନେଇ ପୋଲିସକୁ ଖବର ମିଳିଥିଲା। ନୟାପଲ୍ଲୀ ପୋଲିସର ଏକ ଟିମ୍ ମହିଳା ଷ୍ଟାଫଙ୍କ ସହ ତୁରନ୍ତ ସେଠାରେ ଚଢ଼ାଉ କରି ଉକ୍ତ ୫ ଜଣ ମହାରାଷ୍ଟ୍ରର ଗୋନ୍ଦିଆ ଅଞ୍ଚଳର ମହିଳାମାନଙ୍କୁ ଧରିଥିଲା ।

Comments are closed.