Latest Odisha News

ଅଧିନାୟକ ଭାବେ କୋହଲି, ଧୋନୀଙ୍କଠାରୁ ଆଗରେ ଅଛନ୍ତି ରୋହିତ

ମୁମ୍ବାଇ: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଅଷ୍ଟ୍ରେଲିଆ ନିକଟରୁ ଭାରତ ପରାଜିତ ହେବା ପରେ ରୋହିତ ଶର୍ମାଙ୍କ ଅଧିନାୟକ ଦକ୍ଷତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏପରିକି ତାଙ୍କୁ ଅଧିନାୟକ ପଦରୁ ହଟାଇବା ନେଇ ଦାବୀ ହେଉଛି । ତେବେ ଆମେ ଯଦି ରେକର୍ଡ ଉପରେ ଆଖି ପକାଇବା ତେବେ ରୋହିତ ଭାରତର ସଫଳ ଅଧିନାୟକ ଭାବେ ନିଜକୁ ପ୍ରତିଷ୍ଠିତ କରିଛନ୍ତି । ତାଙ୍କ ନେତୃତ୍ୱରେ ଭାରତ ୭୪.୬୯ ପ୍ରତିଶତ ମ୍ୟାଚ ଜିତିଛି । ଏଥିରେ ସେ ବିରାଟ କୋହଲି ଏବଂ ମହେନ୍ଦ୍ର ସିଂ ଧୋନୀଙ୍କୁ ପଛରେ ପକାଇ ଦେଇଛନ୍ତି । ରୋହିତ ଅଧିନାୟକ ଭାବେ ୮୩ଟି ମ୍ୟାଚ ଖେଳିଛନ୍ତି ଯେଉଁଥିରେ ଭାରତ ୬୨ରେ ବିଜୟୀ ହୋଇଛି । ଏହି ତାଲିକାରେ କୋହଲି ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେ ୨୧୩ ମ୍ୟାଚରେ ନେତୃତ୍ୱ କରିଥିବା ବେଳେ ୧୩୫ରେ ଭାରତ ଜିତିଛି ଏବଂ ୬୦ରେ ହାରିଛି ।

ସବୁଠାରୁ ଲୋକପ୍ରିୟ ଅଧିନାୟକ ଧୋନୀ ଏହି ତାଲିକାରେ ତୃତୀୟ ସ୍ଥାନରେ ରହିଛନ୍ତି । ସେ ୩୩୨ ମ୍ୟାଚରେ ଟିମ ଇଣ୍ଡିଆର ଅଧିନାୟକ ହୋଇଥିବା ବେଳେ ୧୭୮ରେ ଭାରତ ବିଜୟୀ ଏବଂ ୧୨୦ରେ ପରାଜିତ ହୋଇଛି । ୪ର୍ଥ ଏବଂ ୫ମ ସ୍ଥାନରେ ସୌରଭ ଗାଙ୍ଗୁଲି ଓ ରାହୁଲ ଡ୍ରାଭିଡ ରହିଛନ୍ତି । ଗାଙ୍ଗୁଲି ୧୯୫ ମ୍ୟାଚରେ ନେତୃତ୍ୱ ନେଇଥିବା ବେଳେ ଭାରତ ୯୭ରେ ବିଜୟୀ ଓ ୭୮ରେ ପରାଜିତ ହୋଇଛି । ଡ୍ରାଭିଡଙ୍କ ନେତୃତ୍ୱରେ ୫୦ ବିଜୟ ଏବଂ ୩୯ ପରାଜୟ ଭାରତ ଖାତାରେ ପଡିଛି । ୨୦୧୩ ପରଠାରୁ ଭାରତ ଆଇସିସି ଟ୍ରଫି ଜିତି ନ ଥିବାରୁ ପ୍ରଶଂସକଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି ।

Leave A Reply

Your email address will not be published.