Latest Odisha News

BREAKING NEWS

କବିତା : ମା’ ହଂସ ବାହିନୀ

ସାଧନା ପଣ୍ଡା
ଶାରଦା ବରଦା ମାତା
ଜୟ ବୀଣାପାଣି
ପୂଜା ପାଉ ଶ୍ରୀପଞ୍ଚମେ
ମା’ ହଂସ ବାହିନୀ ।।

ବିଦ୍ୟା ଦାତ୍ରୀ ଅଟୁ ତୁହି
ସିଦ୍ଧି ପ୍ରଦାୟିନୀ
ତୋ’ ଦୟାରେ ମୁର୍ଖ ହୁଏ
ପଣ୍ଡିତରେ ଗଣି ।।

ଆଶିଷ ତୋ’ ଦୂର କରେ
ଅଜ୍ଞାନ ତିମିର
ଜଗତେ ବିଦିତ ତୁହି
ଜ୍ଞାନ ର ଭଣ୍ଡାର ।।

ପଙ୍ଗୁ ଲଙ୍ଘେ ଗିରିଶୃଙ୍ଗ
ତୋ’ କରୁଣା ବଳେ
କୃପା କଲେ ମୁକ ଗାଏ
ସଙ୍ଗୀତ ଯେ ହେଳେ ।।

ଚାରିବେଦ ଶୋଭା ପାଏ
ତୋ’ ମୁଖୁ ଜନନୀ
ବ୍ରହ୍ମାଙ୍କ ଦୁଲଣୀ ପୁଣି
ଜଗତ କଲ୍ୟାଣୀ ।।

ତ୍ରିଭୁବନେ କାବ୍ୟକଳା
ବିଦ୍ୟାର ସାଗର
ଜ୍ଞାନର ପ୍ରଦୀପେ କରୁ
ଅଜ୍ଞାନକୁ ଦୂର।।

ଭକ୍ତ ପାଶେ ସଦା ରହୁ
ମନ ତାର ଜାଣି
ଶୁଭ୍ର ବସ୍ତ୍ର ପରିହିତା
ଶ୍ୱେତ ପଦ୍ମାସନୀ ।।

ଜ୍ଞାନ ବିଜ୍ଞାନ ଭୂଷିତା
ଭୂବନେ ପୂଜିତା
ତୋ’ ପାଦ ପୂଜନ୍ତି ମା ଗୋ
ଯେ’ ନର ଦେବତା !

ସଙ୍ଗୀତ, ସାହିତ୍ୟ, କଳା,
ବିଜ୍ଞାନ, ଦର୍ଶନ
ତୋ ଆଶିଷ ବଳେ ହୁଏ
ଏ’ ସବୁ ସାଧନ ।।

ମହାମାୟା ମହାଶକ୍ତି
ମାତା ସରସ୍ବତୀ
ଭକ୍ତି ଭରେ ସେବେ ତୋତେ
ଦିଅ ମନେ ଶକ୍ତି ।।

ଜୟ ଜୟ ଜଗଦମ୍ବେ
ମାତା ସରସ୍ବତୀ
ବନ୍ଦନା କରଇ ଦିଅ
ଭକ୍ତି- ମତି-ଶକ୍ତି ।।

କଳ୍ପନା,ଭୁବନେଶ୍ବର

Leave A Reply

Your email address will not be published.