Latest Odisha News

BREAKING NEWS

କବିତା : କେମିତି ବଦଳି ଯାଏ

ଅନତାଂଶୁ ଜେନା

କେମିତି ବଦଳିଯାଏ !           
ରାତିକ ଭିତରେ, ହସୁଥିବା ମୁହଁ
ହଠାତ୍ ପରଦେଶୀ
ସ୍ୱପ୍ନ ସବୁ ମଝି ଦାଣ୍ଡରେ ଶସ୍ତା
ହାଟରେ ବିକ୍ରି ହୁଏ,
କାଲିର ପଚା-ସଢ଼ା ଗୋପନୀୟତା ।

କେମିତି ବଦଳିଯାଏ !
ଗାଡ଼ିରୁ ଓହ୍ଲେଇ, ଦୌଡ଼ୁଥିବା ପାଦ
ହଠାତ୍ ମରୁବାଲି
ଦମକଳ ସବୁ ଅବହେଳିତ
ନିଆଁ ରେ ଜଳୁଥାଏ,
ଯେତେସବୁ ନିଶା ନିବାରଣ ପନ୍ଥା ।

କେମିତି ବଦଳିଯାଏ !
ନିରବତାର ନିରବ ମର୍ମ
ହଠାତ୍ ନିରୁଦ୍ଦିଷ୍ଟ,
ପରିଚୟ ସବୁ ଅଚିହ୍ନା-ଅଜଣା
ମନେ ପଡ଼ୁନଥାଏ,
ବାରମ୍ବାର ପହଞ୍ଚିଥିବା ଠିକଣା ।

କେମିତି ବଦଳିଯାଏ !
ଛୁଇଁଥିବା ଛୁଞ୍ଚିର ଆବେଗ
ହଠାତ୍ କଳଙ୍କ
ଛୁରୀର ତୀକ୍ଷ୍ଣ ଧାର ବେକାବୁ
ମଳିନ ପଡ଼ିଯାଏ,
କଳା ଆକାଶର ଗାଢ଼ ସ୍ୱଚ୍ଛତା ।

କେମିତି ବଦଳିଯାଏ !
ଭିଟାମାଟି ର ପଙ୍କିଳ ବାସ୍ନା
ହଠାତ୍ ପ୍ରସ୍ଥର
ଲେଖୁଥିବା କଲମ ଦିଗହୀନ
ଖୁବ କଷ୍ଟ ଦିଏ,
ଦେଶାନ୍ତରୀ ପ୍ରେମର ଅଭିମାନ ।

କେମିତି ବଦଳିଯାଏ !
ବଦଳୁଥିବା ଋତୁର କ୍ରମ
ହଠାତ୍ ନିଦାଘ
ଗଛସବୁ ପତ୍ର ଥାଇ ଥୁଣ୍ଟା
ଫିକା ଦିଶିଯାଏ
ବସନ୍ତର ସବୁଜ ମେରୁଦଣ୍ଡ ।

Leave A Reply

Your email address will not be published.