Latest Odisha News

BREAKING NEWS

କବିତା : ଜୀବନ ଗୀତିକା

✍️ବିମଳା ଶଂକର ଦାଶ

ଜୀବନ ଯଦି ମରୁଭୂମି !!!
ଚାଲିବାକୁ ହେବ ସେଇ ଉତ୍ତପ୍ତ ବାଲିରେ ,
ଓଟର ପାଦରେ…
ସିଝିବାକୁ ହେବ ସଞ୍ଚି ସପନର ନୀର
ସିଝୁର ଦେହରେ ।।

ଜୀବନ ଯଦି ମାୟା ମୋହ !!!
ଛନ୍ଦି ହେବାକୁ ପଡିବ ଆଶାର ଜାଲରେ ,
ବୁଢିଆଣୀ ଦେହେ …
ଜଳି ଯୁଝି ଜିଇଁବା ମାୟା ମାଦକତାର
ବିଭୋର ପଣରେ ।।

ଜୀବନ ଯଦି ରଙ୍ଗ ମଞ୍ଚ !!!
ଅଭିନୟ କରିବାକୁ ହେବ ଚରିତ୍ରରେ ,
ହର୍ଷ ବିଷାଦରେ ..
ମୁହେଁ ମାଖି ଆତ୍ମସନ୍ତୋଷର ସପ୍ତରଙ୍ଗ
ନାଟକ ଶେଷରେ ।।

ଜୀବନ ଯଦି ପାପ ପୁଣ୍ୟ !!!
ଭରିବାକୁ ହେବ ପୁଣ୍ୟ ଚାଲି ସତ୍ୟପଥେ ,
ପାପମୟ ପିଣ୍ଡେ …
ଛାଡି ଦେଇ ସବୁତକ କଳୁଷ କୁକର୍ମ
ପାପର ଦାଣ୍ଡରେ ।।

ଜୀବନ ଯଦି ଅଳିକର !!!
ବଞ୍ଚିବାକୁ ହେବ ଅମରତ୍ବ ସନ୍ଧାନରେ ,
କର୍ମ-ସୁଧା ରସେ …
ଆଙ୍କିଦେଇ ପାଦଚିହ୍ନ ମାନବିକତାର
ଅଲିଭା କାଳିରେ ।।

ଗୋଡିଆବଂଧ (ପଦ୍ମପୁର),ଜିଲ୍ଲା-ରାୟଗଡା  ୭୯୭୮୧୭୧୪୩୭

Leave A Reply

Your email address will not be published.