Latest Odisha News

BREAKING NEWS

କବିତା : ବିସର୍ଜନ

ମମତା ବିଶ୍ୱାଳ ପୁହାଣ 

ଅସରନ୍ତି ବିଶ୍ୱାସର ସମ୍ମୋହନକୁ ଛୁଇଁ
ଦେବୀଟିଏର ଆଜି ବାହୁଡ଼ିବାର ବେଳା।
ନିଃଶେଷ ହେଇ ଆସୁଛି ଦେବୀପକ୍ଷର ସ୍ୱପ୍ନ।
ଅନ୍ତିମ ଦୃଶ୍ୟପଟକୁ ଘେରି ରହିଛି
ଅନ୍ଧାରର ପ୍ରଗାଢ କୋହ,
ଅସୁମାରି ଆସ୍ଥାର ସ୍ପନ୍ଦନକୁ
ସାଥିରେ ନେଇ
ଫେରି ଯାଉଛି ମୃଣ୍ମୟୀ।।

ବିସର୍ଜିବାକୁ ତ ହୁଏ ଦିନେ
ସବୁ କିଛି….
ବିଧି ନିର୍ଦ୍ଧାରିତ ମାଟି ଘଟର ମୋହ,
ଇହକାଳର ବନ୍ଧନ,
ଅନ୍ଧାରର ସାନ୍ଦ୍ରତାରେ
ଆଶ୍ୱାସନାର ରାହା ଖୋଜୁଥିବା
ଆଲୁଅର ସ୍ୱପ୍ନର ଆସର,
ଶେଫାଳିର ହସ ଓ କାଶ ଫୁଲର ବାସ।
ପାପୁଲିଏ ପ୍ରାର୍ଥନାରେ କେବେ କଣ
ସାଇତି ହୋଇପାରେ ଜୀବନର ସରାଗ !!

ସେଦିନ ବି କାଶତଣ୍ଡିର ଅଗଣାରେ
ଅସ୍ଥିର…
ଏକ ଅହ୍ୟରାଣୀକୁ
ବିସର୍ଜିବାର ତିଥି ଓ ଲଗ୍ନ।
ଆଶ୍ଵିନ କୋଳରୁ
ଅପସରି ଯାଉଥିଲା ମାଆଟିଏର
ଶୂନ୍ୟ ବିଗ୍ରହ।
ମୋହର ଶେଷ ଯାତ୍ରାରେ
ଫେରେଇ ବାକୁ ହେଲା
ତୋତେ ମାଆ ଡାକିବାର ଅନନ୍ତ ସୁଖ।
ଶେଷ ପ୍ରହରର ଲୁହରେ ତ
ଭିଜୁ ଥିଲେ ସଭିଏଁ..
ଶୋକର କଜଳ ବି ପିନ୍ଧି
ସାରିଥିଲେ ଆଶ୍ଵିନର ପକ୍ଷୀ।
ଏକ ଶୂନ୍ୟପଣରେ ବଦଳି ଯାଇଥିଲା ଋତୁର ବଢ଼ିଲା ସ୍ୱର।
ଧାଡିଏ ଖଇ କଉଡ଼ିର ଅହ୍ୟ ରଙ୍ଗରେ
ଉଜ୍ଜ୍ୱଳ ଦିଶୁ ଥିଲା ବସୁମତୀର ଶୃଙ୍ଗାର।
ବିସର୍ଜନର ଢେଉ ରେ ଭାସି ଯାଉଥିଲା
ସବୁ ମୋହ,କୋହ, ଅନୁରାଗର ପିତୁଳା।।

ମାଆ,
ଶେଷ ଯାତ୍ରାର ଆକୁଳ ଆବେଗକୁ
କେମିତି ଏଡାଇ ପାରିଲା
ତୋ ସ୍ନେହପଣର ଆକାଶ ?
ସେଦିନ ଆକାଶର ଲୁହରେ
ମୁହଁ ଧୋଇଥିବା ପକ୍ଷୀଟି
ଏବେ ବି ତୋ ଫେରିବା ବାଟକୁ
ଚାହିଁ ବସିଛି।
ମୋ ଭିତରର ଅଝଟ ଜଳ ପ୍ରବାହକୁ
କହି ଚାଲିଛି
ହଜି ଯାଇଥିବା ତାରାଟିଏର ଗପ।
ଆଜି ବି ସେମିତି ସତେଜ ଦିଶୁଛି
ତୋ ପଣତରେ ବନ୍ଧା
ମୋର ସେଇ ଫୁଲଫୁଟା ଦିନ,
ଆଉ ତୋ ଚଉତରାରେ ସାଇତା
ମୋ ଅନ୍ତରଙ୍ଗ ଅନୁଭବର ଚିହ୍ନ।

ଛାତିଏ କୋହର ଅବଶେଷକୁ
ତ ମନରୁ ଉତାରି ପାରିଲି ନାହିଁ
ଏଯାଏଁ..
ଶେଷ ଦୃଶ୍ୟର ମେଲାଣିରେ ବି
ବିସର୍ଜି ପାରିଲି କାହିଁ
ମୋ ଅସ୍ତିତ୍ୱକୁ ବେଢ଼େଇ ରଖିଥିବା
ତୋ ମାଆ ପଣ
ଆଉ ଦଶମୀ ବେଢାରେ ଉଭା
ତୋ ପରି ଦିଶୁ ଥିବା
ମାଟି ପିତୁଳିଟିଏର ଏଇ ଦେବୀପଣ।

ତଥାପି ଆବାହନ ଓ ବିସର୍ଜନର
ପାର୍ଥିବ ମୋହକୁ କାହିଁକି
ଅପରାଜିତାକୁ ଭେଟି ଦେଉଥାଏ ଆଶ୍ଵିନ…
ପ୍ରତି ଥର !!

 

Leave A Reply

Your email address will not be published.