Latest Odisha News

କବିତା : ଆଶ୍ୱସ୍ତି

ପ୍ରଦୀପ କୁମାର ମହାପାତ୍ର 

ଅତିକ୍ରାନ୍ତ ମୁହୂର୍ତ୍ତମାନଙ୍କର ଭିଡ଼ ଭିତରେ
ବିଚରଣ କରୁ କରୁ ଜାଣି ମୁଁ ପାରୁଛି ଏବେ
କେବେହେଲେ କାହା ଆଢୁଆଳେ,
ଲୁଚି ପାରିଲିନି ବୋଲି,
ଦୁନିଆଁ ଦୁଆରେ
ଜୀବନର ଲୁଚକାଳି ଖେଳରେ
ମୁଁ ଏକ ବିଫଳ ଖେଳାଳୀ
ପ୍ରଘଟିତ ସଦା,
ଘଟ ପରେ ଘଟ
ଢାଙ୍କି ମୁଁ ପାରିଲିନି ବୋଲି
ପ୍ରଭୁଦତ୍ତ ଘଟେ କେବେ
ଚେଷ୍ଟା ବି କରିଲି ନାହିଁ
ଅନ୍ୟ ରଙ୍ଗ ବୋଳିଦେବା ପାଇଁ ।
ସେଇ ଭିଡ ଭିତରେ କିନ୍ତୁ
ଶୁଭେ ଏକ ଅଦୃଶ୍ୟର ଅନ୍ତରଙ୍ଗ ସ୍ବର,
ନୁହେଁ ତୁ ବିଫଳ ଖେଳାଳୀ
ଖେଳ ତୋର ଲକ୍ଷ୍ୟ ନୁହେଁ ,
ଖେଳ କଉତୁକ ତ ଖଳଙ୍କ ମୂଳ ।
ଭେଟହେଲେ କହିବି ମୁଁ
କଣ ତୁହି କରିଲୁ ଅର୍ଜନ
ଧୈର୍ଯ୍ୟ ଧରି କର୍ତ୍ତବ୍ୟର କର ସମ୍ପାଦନ ।
କର୍ମପଥେ ହୁଅ ଅଗ୍ରସର,
ଅଛି ମୁହିଁ କଢୁଆଳ ହୋଇ,
ନ ଖୋଜ ତୁ ଆଢୁଆଳ କା’ର ।

Comments are closed.