ପ୍ରସେନଜିତ୍ ସେଠୀ
ସେ ତ ସାଜେ କେବେ ରାଣୀ ଲକ୍ଷ୍ମୀବାଈ
ରଣହୁଙ୍କାର ଦେଇ,
କେବେ ନିଃସହାୟ ପ୍ରସ୍ତର ଅହଲ୍ୟା
ସ୍ବାମୀ ଅଭିଶାପ ପାଇ।
ସେ ମାତା ଜାନକୀ କାନନେ ବୁଲଇ
ପତିବ୍ରତା ଧର୍ମ ପାଇଁ,
କେବେ ପୁଣି ସାଜେ ମହିଷା ମର୍ଦିନୀ
ସଂସାରକୁ ମୁକ୍ତି ଦେଇ।
ସେ ମାତା ଧରିତ୍ରୀ କୋଳେ ଧରି ଅଛି
ଏ ଧରାର ବୋଝଭାର,
ସେ ପୁଣି ଜନନୀ ଜନ୍ମେ ନବଜାତ
ଦିଏ ସମସ୍ତ ସଂସ୍କାର।
ସେ ଯେ ନାରୀ ଏଥି କେତେ ତାର ମୂଲ୍ୟ
କିଏ ବା କଳି ପାରିବ,
ତା ବିନା ଜଗତ କଳ୍ପନାଠୁଁ ଗତ
ନା କେହି ତିଷ୍ଟି ରହିବ।
ଆଜି ଏ ଧରାରେ ନବୀନ ଯୁଗରେ
ରହିଛି କି ମୂଲ୍ୟବୋଧ,
ଭ୍ରୂଣହତ୍ୟା ପୁଣି ଗଣ ଦୁଷକର୍ମ
କରେ ଜାତି ଗତିରୋଧ।
ଆସିଛି ସମୟ ତେଜିବାକୁ ଭୟ
କୋଟି ନାରୀଜନ ମନୁ,
ନାରୀ ହିଁ ଜାଗିଲେ ସମାଜ ଜାଗିବ
ଧ୍ଵଂସ ସବୁ ତାର ବିନୁ।
ବାଲିଆ, ଗୋପୀନାଥପୁର, ଜଗତସିଂହପୁର
Comments are closed.