Latest Odisha News

ଗଳ୍ପ : କେବଳ ତୁମର

ଶ୍ବେତପଦ୍ମା ପାଢ଼ୀ 

ଆଜି ନବବର୍ଷର ପହିଲା ଦିନ । ସଞ୍ଜ ନଇଁ ଆସୁଥାଏ । ପୂରା ସୋସାଇଟି ରଙ୍ଗୀନ ଲିଚୁ ଲାଇଟରେ ଝଲସି ଉଠୁଥାଏ । ଝରକା ପାଖରେ ବସି ନିରେଖି ଦେଖି ମୁଗ୍ଧ ବିଭୋର ହେଉଥିଲେ ପ୍ରତିମା । ପ୍ରତିମା ଅନୁଭବ କରୁଥିଲେ ପ୍ରକୃତରେ ସୋସାଇଟିରେ ଶାନ୍ତି ଅଛି । ଏଇ ସୋସାଇଟିରେ ଏଇଟା ତାଙ୍କର ପ୍ରଥମ ନବବର୍ଷ । ଗଣେଶ ପୂଜା ବେଳକୁ ହିଁ ସିପୁନ୍‌ ଫ୍ଲାଟଟି ବୁକ୍ କଲା । ପ୍ରତିମାଙ୍କୁ ନିଜ ଘର ଛାଡ଼ି ଏଠି ଆସିବାକୁ ଇଚ୍ଛା ନ ଥିଲା । ହେଲେ ସେ ଘର ତାଙ୍କୁ ଖାଇ ଘୋଡେଇଲା ପରି ଲାଗୁଥିଲା । ସିପୁନ୍ ବାରମ୍ବାର ବୁଝେଇଥିଲା, “ଦେଖିବ ତମକୁ ଜମାରୁ ବୋର୍ ଲାଗିବନି । ଆଉ ପ୍ଲିଜ ମାମା ସବୁବେଳେ ଏମିତି ମନ ଦୁଃଖ କରନି । ଯାହା ଭାଗ୍ୟରେ ଥାଏ ସେୟା ହିଁ ଘଟିଥାଏ ।”

ହଠାତ୍ କଲିଙ୍ଗ୍ ବେଲର ଶଦ୍ଦରେ ପ୍ରତିମା ଭାବନାରେ ପୂର୍ଣ୍ଣଚ୍ଛେଦ ପକେଇ କବାଟ ଖୋଲିଲେ । ତଳେ ପ୍ୟାକେଟଟେ ଥୁଆ ହେଇଛି । ଡେଲିଭରୀ ବୟ କି ଆଉ କେହି ନାହାଁନ୍ତି । ପ୍ରାପ୍ୟକ ସ୍ଥାନରେ ତାଙ୍କ ନାଁ ଲେଖା ହେଇଛି ; ପ୍ରତିମା ମହାନ୍ତି । ଆଉ ପ୍ରେରକ ଜାଗାରେ ଲେଖା ହେଇଛି “କେବଳ ତୁମର” !

ଆଶ୍ଚର୍ଯ୍ୟ ହେଲେ ପ୍ରତିମା । କିଏ ହେଇଥାଇ ପାରେ? ପ୍ୟାକେଟ୍ ଟା ବି ଟିକେ ବଡ଼ ଅଛି, ଖୋଲିବା ଆଗରୁ ଭାବିଲେ ସିକ୍ୟୁରିଟିକୁ କଲ୍ କରିକି ପଚାରି ଦିଏ । ଘର ଭିତରକୁ ଆସି ଇଣ୍ଟରକମରୁ କଲ୍ କଲେ । ପ୍ରକୃତରେ କେହି ଜଣେ ଯୁବକ ତାଙ୍କରି ଘରେ ଡେଲିଭରି ଦେବାକୁ ରେଜିଷ୍ଟ୍ରି ଖାତାରେ ଲେଖିଛି । ଫୋନ୍ ରଖିଲା ପରେ ପ୍ୟାକେଟଟା ଧରି ଡାଇନିଂ ଟେବୁଲ୍ ଉପରେ ଆସି ବସିଲେ । ପ୍ୟାକେଟ ଭିତରୁ ବାହାରିଲା ସୁନ୍ଦର ଡିଜାଇନର ରକ୍ତ ଲାଲ ରଙ୍ଗର ପାଟ ଶାଢ଼ୀଟିଏ ଆଉ ଗୋଟିଏ ଛୋଟିଆ ରକ୍ତ ଗୋଲାପ ଚିତ୍ର ଥାଇ ଗ୍ରିଟିଙ୍ଗସ କାର୍ଡ ଟିଏ । ଲେଖା ଥିଲା “ନବବର୍ଷର ଢେର ସାରା ଶୁଭେଚ୍ଛା…ଲାଲ ରଙ୍ଗର ଶାଢ଼ୀ ତୁମର ଭାରି ପସନ୍ଦ ନା ପ୍ରିତୁ !….ଆଉ ପିନ୍ଧୁନ କାହିଁକି ଯେ?”
ଇତି “କେବଳ ତୁମର”..…..

ହାତରୁ କାର୍ଡଟି ଖସିଗଲା । ଆଖି ଦିଟା ଆଶ୍ଚର୍ଯ୍ୟରେ ବିଷ୍ଫାରିତ ହେଇଗଲେ । ଦେହ ହାତ ଏତେ ଜୋରରେ ଥରିଗଲା ଯେ, ପ୍ରତିମାଙ୍କୁ ଲାଗିଲା ଏଇ ମୁହୂର୍ତ୍ତରେ ତଳେ ପଡିଯିବେ ବୋଧେ । ସାଙ୍ଗେ ସାଙ୍ଗେ ଡାଇନିଂ ଟେବୁଲର ଚେୟାରେ ବସି ପଡିଲେ । ଛାତିଟା ଧରି ପକେଇଲେ, ହୃଦ ସ୍ପନ୍ଦନ ପୂରା ତୀବ୍ର ହେଉଥାଏ ଆଉ ମନର ଭାବନା ବି ସେଇ କ୍ଷୀପ୍ର ବେଗରେ ଅତୀତ ଆଡକୁ ମୁହାଁଉ ଥାଏ । ସ୍ବାମୀ ପ୍ରଥମେଶ ତାଙ୍କୁ ସ୍ନେହରେ ଡାକନ୍ତି ପ୍ରୀତୁ ବୋଲି । ପ୍ରତିମାଙ୍କୁ ଲାଲ ରଙ୍ଗର ଶାଢ଼ୀ ପ୍ରତି ବହୁତ ଲୋଭ ଥିଲା । ସବୁଥର ବିବାହ ବାର୍ଷିକୀରେ ପ୍ରଥମେଶ ଲାଲ ରଙ୍ଗର ଶାଢୀ ଉପହାର ଦେଉଥିଲେ । ପ୍ରତିମା ଯେତେବେଳେ ଲାଲ ଶାଢ଼ୀ ପିନ୍ଧି ଦର୍ପଣ ସାମ୍ନାରେ ଛିଡ଼ା ହେଇ ସଜ ହେଉଥିଲେ, ପ୍ରଥମେଶ କହୁଥିଲେ, “ସତରେ ଆଜି ବି ଲାଲ ଶାଢ଼ୀ ପିନ୍ଧିଲେ, ତମେ ସେଇ ନବବଧୂ ଭଳିଆ ଦିଶ ପ୍ରିତୁ !” ଆଉ ପ୍ରତିମା ବି ତାଙ୍କ ଆଖିର ଚମକରେ ଲାଜେଇ ଯାଉଥିଲେ ।

ପ୍ରତିମାଙ୍କ ଆଖି କୋଣରେ ଲୁହ ଜକେଇ ଆସିଲା । ପ୍ରଥମେଶ ତ ଆଉ ନାହାଁନ୍ତି, ତେବେ ଏଇ ଲେଖା କିଏ ଦେଇଛି? କାହିଁକି ଦେଇଛି? ସିପୁନକୁ କହିବେ ନ କହିବେ ଭାବୁଥାନ୍ତି ଓ ନିଜର ଅର୍ନ୍ତନ୍ଦ୍ବନ୍ଦ ସହ ଛନ୍ଦି ହେଇ ସେଦିନ ସୋସାଇଟିରେ ଥିବା ନବବର୍ଷର କୈାଣସି ପ୍ରୋଗ୍ରାମରେ ମନ ମଧ୍ୟ ଲାଗୁ ନଥାଏ ପ୍ରତିମାଙ୍କର ।

ଦୁଇ ଦିନ ପରେ ପୁଣି ସେଇ ଘଟଣାର ପୁନରାବୃତ୍ତି ହେଲା । ଆଉ ଗୋଟେ ଲାଲ ରଙ୍ଗର ସିଲ୍କ ଶାଢ଼ୀ ଓ କାର୍ଡ। ଏଥର ଲେଖା ହେଇଥିଲା “ଏଇ ଶାଢ଼ୀରେ ତମେ ସତରେ ନବବଧୂ ଭଳିଆ ଦିଶିବ ପ୍ରୀତୁ !…..ଇତି, କେବଳ ତୁମର” । ଏଥର ପ୍ରତିମା ସିକ୍ୟୁରିଟି କୁ କହିଲେ, ଡେଲିଭରୀ ବୟ ଆସିଲେ ତାକୁ ଅଟକେଇ ତାଙ୍କ ସହ ଦେଖା କରେଇବାକୁ । କିନ୍ତୁ ପୁଣି ତିନି ଦିନ ପରେ ସିକ୍ୟୁରିଟି ନିଜେ ଆସି ପ୍ୟାକେଟ ଦେଇ ଗଲା ଓ କହିଲା, “ମାଡାମ୍, ଡେଲିଭରୀ ବୟ ତା’ କଥା ନ ଶୁଣି ତଳେ ପ୍ୟାକେଟ୍ ଥୋଇ ଦେଇ ପଳେଇଲା ।”

ଆଶ୍ଚର୍ଯ୍ୟ ହେଲେ ପ୍ରତିମା ।

ଏଥର ସେ ସିପୁନକୁ ସବୁ କଥା କହିଲେ । ତିନିଟା ଯାକ କାର୍ଡ ଓ ତିନିଟି ଯାକ ଲାଲ ରଙ୍ଗର ଶାଢ଼ୀ ଦେଖି ସେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହେଲା । ବାରମ୍ବାର କାର୍ଡଟିକୁ ଦେଖିଲା ପରେ ସିପୁନ୍ କହିଲା, “ମାମା ହସ୍ତାକ୍ଷର ତ ପୂରା ବାପାଙ୍କ ହାତ ଲେଖା ପରି ଲାଗୁଛି ! କିନ୍ତୁ ଗୋଟେ ଜିନିଷ ଲକ୍ଷ୍ୟ କଲ ଲେଖାଟି ଆଉ କୋଉ ଖାତା କି ଡାଏରୀର ବୋଧେ? ସେଠୁ ଚିରା ହେଇ କାର୍ଡରେ ଲାଗ ହେଇଛି” । ପ୍ରତିମା ଧ୍ୟାନ ଦେଇ ନଥିଲେ । ସେ ନିଜେ ମଧ୍ୟ ଆଉଥରେ ନିରଖେଇ ଦେଖି ଆଶ୍ଚର୍ଯ୍ୟ ହେଲେ । ହେଲେ କେମିତି ସମ୍ଭବପର !

ଗତବର୍ଷ ଡେଲଟା ଭାରିଏଣ୍ଟ ପ୍ରଭାବରେ ପ୍ରଥମେଶ ସାଂଘାତିକ ଭାବେ ପ୍ରଭାବିତ ହେଇ ପୁନେର ଡିଡିଏସ୍ ହସ୍ପିଟାଲରେ ଆଇସିୟୁରେ ଥିଲେ । ଦୀର୍ଘ ଦୁଇ ମାସ ଧରି ଚିକିତ୍ସିତ ହେବା ସତ୍ତ୍ୱେ ସମସ୍ତ ଅରଗାନ୍ ଫେଲ୍ୟୁୟର ହେବା ଯୋଗୁଁ ତାଙ୍କ ମୃତ୍ୟୁ ଘଟିଲା । କୋଭିଡ ନିୟମ ଅନୁଯାୟୀ ଶେଷ କୃତ୍ୟ ମଧ୍ୟ କରିପାରି ନଥିଲୁ ତାଙ୍କର । ଆଉ ଆଜି ପାଖାପାଖି ଆଠ ମାସ ପରେ ଏଇ ସବୁ ! ମୁଣ୍ଡ କ’ଣ ହେଇଗଲା ପ୍ରତିମାଙ୍କର । ସିପୁନ୍ ସେଦିନ ତାଙ୍କୁ ନିଦ ବଟିକା ଦେଇ ଶୁଏଇ ତ ଦେଲା, ହେଲେ ତା’ର ନିଜ ଆଖିରୁ ନିଦ ହଜିଗଲା । ସେଇ ରାତିରେ ହିଁ ସିପୁନ୍ ସୋସାଇଟି ସେକ୍ରେଟାରୀଙ୍କଠାରୁ ସିସିଟିଭି କ୍ୟାମେରାର ରେକର୍ଡ ଚେକ୍ କରିବା ପାଇଁ ଅନୁମତି ଆଣିଲା । ହେଲେ ପ୍ରତୀମାଙ୍କୁ ଏ ବିଷୟରେ କିଛି ଜଣେଇବା ଉଚିତ୍ ହବନି ବୋଲି ଭାବି ଚୂପ୍ ରହିଲା ।

ଆଉ ଠିକ୍ ତିନିଦିନ ପରେ ସବୁ ସତ୍ୟ ବାହାରକୁ ଆସିଗଲା । ପ୍ରତିମା ଲଥ୍ କରି ବସିପଡିଲେ ସୋଫା ଉପରେ । ସାମ୍ନାରେ ଛିଡ଼ା ହେଇଥାନ୍ତି ; ସୋସାଇଟି ସେକ୍ରେଟାରୀ, ସିକ୍ୟୁରିଟି ଗାର୍ଡ, ସିପୁନ୍ ଓ ସାଙ୍ଗରେ ଛିଡ଼ା ହେଇଥାଏ ଡେଲିଭରୀ ବୟ …..! ଆଶ୍ଚର୍ଯ୍ୟ ହେବା ସହ ଅଡ଼ୁଆ ସୂତା ଛନ୍ଦି ହେଲା ପରି ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ । କାରଣ ଡେଲିଭରୀ ବୟ ଜଣକ ଆଉ କେହି ନୁହଁ, ଥିଲେ ଡଃ ବିକାଶ ପାଟୀଲ୍ ।

ଡଃ ବିକାଶ କହିବା ଆରମ୍ଭ କଲେ, କୋଭିଡ୍ ରୋଗୀମାନଙ୍କ ସେବା କରୁ କରୁ ପ୍ରଥମେଶ ନିଜେ କୋରୋନା ରୋଗାକ୍ରାନ୍ତ ହେଇଗଲେ । ତାଙ୍କ ଅରଗାନ୍ ସବୁ ଧୀରେ ଧୀରେ କାମ କରିବା ବନ୍ଦ କରୁଥିଲା । କୋରୋନା ରୋଗୀ ଶରୀର ଉପରେ ବହୁତ ପ୍ରଭାବ ପକଉଥିଲା । ଅତ୍ୟଧିକ ମଧୁମେହ ଯୋଗୁଁ ପୋଟାସିୟମ ଓ ସୋଡିୟମ୍ ମାତ୍ରା କମି ଯାଇଥିଲା । ଯୋଉଥି ପାଇଁ ପ୍ରଥମେଶ ନିଜ ସ୍ମରଣ ଶକ୍ତି ହରେଇ ଥିଲେ । ହସ୍ପିଟାଲର ଅସାବଧାନତା ହେତୁ, ଜାଣିନି କେମିତି କେତେବେଳେ ପ୍ରଥମେଶ ହସ୍ପିଟାଲରୁ ବାହାରି ପଳେଇଛି । ମୋର କିଛି ବି ମନେ ପଡୁନି । ଆଉ ଚାକିରୀ ଚାଲିଯିବା ଭୟରେ ମୁଁ ଚୂପ ରହିଲି । କିନ୍ତୁ ସତ କହୁଛି ଭାଉଜ ଦିନକ ପାଇଁ ବି ମୁଁ ଶାନ୍ତି ପାଇନି । ହେଲେ ଡିସେମ୍ବରରେ ମୁଁ ଯେତେବେଳେ ମୁମ୍ବାଇ ହାଜି ଅଲି ଦରଘା ବୁଲି ଯାଇଥିଲି, ସେତେବେଳେ ସାମ୍ନାରେ ଭିକାରୀ ବେଶରେ ପ୍ରଥମେଶକୁ ପାଇ ବହୁତ ଦୁଃଖିତ ହେଇଥିଲି । କିନ୍ତୁ ଖୁସିରେ ମୁଁ ଆତ୍ମବିଭୋର ମଧ୍ୟ ହେଇ ଉଠିଥିଲି । ମୁଁ ସାଙ୍ଗେ ସାଙ୍ଗେ ପ୍ରଥମେଶକୁ ନେଇ ପୁନେ ପଳେଇ ଆସିଲି । ତାକୁ ଚିକିତ୍ସିତ କରି ସୁସ୍ଥ କରିବାକୁ ଚେଷ୍ଟା କଲି । ସେ ଟିକେ ସୁସ୍ଥ ହେଲା ସତ ହେଲେ ସ୍ମରଣ ଶକ୍ତି କେତେ ବେଳେ ଫେରୁଛି ତ କେତେବେଳେ ପୁଣି ପଳଉଛି । ମୋର ସାହାସ ହେଉନଥିଲା ସାମ୍ନାକୁ ଆସି ଆପଣଙ୍କୁ କ୍ଷମା ମାଗିବାକୁ । ପ୍ରଥମେଶ ହସ୍ପିଟାଲରୁ ଗାୟବ ହେବା ବେଳେ ତା’ର ଡାଏରୀ ମୋ ପାଖରେ ରହିଯାଇଥିଲା । ସେଇଥିରୁ ଚିରି କାର୍ଡରେ ଚିପକେଇ ଥିଲି ।

ପ୍ରତିମାଙ୍କ ଆଖି ଆଶ୍ଚର୍ଯ୍ୟ ଚକିତ ହେବା ସହିତ ଆନନ୍ଦାଶ୍ରୁରେ ଛଳଛଳ ହେଉଥାଏ । ଏକ ବିଚିତ୍ର ଅନୁଭବ, ହସ ଲୁହର ସତେ ଯେମିତି ଅଦ୍ଭୁତ ସଂଗମ । ଡଃ ବିକାଶଙ୍କ କଥା ଶୁଣିବାକୁ ଆଉ ପ୍ରତିମାଙ୍କ ପାଖରେ ଧୈର୍ଯ୍ୟ ନଥିଲା । ସିପୁନ୍ ସହ ଗାଡ଼ିରେ ସେ ବାହାରିଗଲେ ହସ୍ପିଟାଲ…….. ପ୍ରଥମେଶଙ୍କୁ ଦେଖିବାକୁ ।

ପୁନେ, ମହାରାଷ୍ଟ୍ର

Comments are closed, but trackbacks and pingbacks are open.