ରାଜ କିଶୋର ଦାସ
ନିଦ ଭାଙ୍ଗିଗଲା ମାତ୍ରେ
ତୁ ମୋ ପାଖରେ ଥାଉ,
ଦୁଆରରେ କର ମାରିବାର ତୋ’-
ଧୀର ଓ ମଧୁର ଶବ୍ଦ
ତରଙ୍ଗାୟିତ ହେଇଯାଇଥାଏ ବନରେ,
ପରଦା ଆଡ଼େଇ ଆସିଥାଉ ଯେ
ଦୋହଲୁ ଥାଏ ଭିତର ବାହାର ।
ଦେହରୁ ତୋ’ ଉକୁଟୁ ଥିବା
ମହମହ ବାସ୍ନାରେ ବିଭୋର,
ଝରକା ଖୋଲି ଚାହିଁଦେଲେ
ଫୁଲରେ, ଘାସରେ, ପିଜୁଳି ଗଛରେ
ପାହାନ୍ତା ପହରର ଟୋପା ଟୋପା କାକର ବିନ୍ଦୁରେ
ତୁ ସବାର ହେଇଯାଇଥାଉ କେତେବେଳୁ ।
କଅଁଳ ଖରାରେ
ଯେମିତି ଅଜାଡ଼ି ହେଇଯାଇଥାଉ ଚାରିଆଡ଼ ।
ତେଣିକି କବି ଆଉ କଣ କରିପାରେ
ସେଇ ମୁହୂର୍ତ୍ତରୁ ତୋ’ର ହେଇଯିବାର ଶପଥ
ମନକୁ ମନ ନିଏ,
ଭାଟ, ଭୃତ୍ୟ, ହେଇ
ସ୍ଥବ ପାଠ, ଜୟ ଜୟକାରରେ
କମ୍ପିଯାଏ ନିଜେ ନିଜେ,
ତୋ’ ମହିମା ଆଉ ବିଭୂତିର ପ୍ରଚାର ପ୍ରସାର
କରି ବସେ, ଏଥର
ଦିନ ତମାମ୍, ସାରା ଦିନ ।
ବେଳ ମଥାନ ଉପରୁ ଗଡ଼ି
ସଞ୍ଜ ହେଲେ, ରାତି, ନିଦ, ସ୍ୱପ୍ନ
ସବୁ ଧରା ବନ୍ଧା ନିୟମରେ ଆସିଯାଏ
ପୁଣି, ସେଇ ସ୍ୱପ୍ନ ମାନଙ୍କରେ ତୁ,
ତୁହିଁ ଆସିଥାଉ ବାର ବାର, ସବୁ ଥର ।
ତୋ’ ଦେବୀମୁଖା ଫିଙ୍ଗିଦେଇ ଦେଖ୍
ତୁ କେମିତି ନାରୀଟିଏ ! କେବଳ ନାରୀଟିଏ !
ଲୋଡ଼ୁଥିବୁ ଅହର୍ନିଶି ପୁରୁଷର ସାନ୍ନିଧ୍ୟ !
ସଂସାର ମେଲିବାକୁ
ତୋ’ ଆଖିରେ ଆଖିଏ ସ୍ୱପ୍ନ
ଟଳ ଟଳଉଥିବ କାଳକାଳ ।
କନ୍ଧମାଳରେ ଦଙ୍ଗା ହେଉ କି’ କର୍ଫ୍ୟୁ
ନୟାଗଡ଼ରେ ଭୃଣହତ୍ୟା ହେଉ ବା
ନକ୍ସଲ ବିତ୍ପାତ,
ସିଂହଦ୍ୱାରର ଦକା ଚକଟାକୁ
ତୋ ଭ୍ରୂକ୍ଷେପ ନଥିବ ।
ସବୁକିଛି ସ୍ୱାଭାବିକ
ସବୁ ତୋ’ ପାଇଁ, ସବୁ ତୋ’ ପାଇଁ ।
ପ୍ଲଟ୍ ନଂ୧୦୪୬/୨୯୦୫,
ଶ୍ରୀରାମନଗର , ଲେନ୍-୧୩
ଓଲଡ଼୍ଟାଉନ୍, ଭୁବନେଶ୍ୱର-୭୫୧୦୦୨