ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’
ପଲକକୁ ସାମାନ୍ୟ ଉଠାଇ ଚାହିଁଲେ ସୀତା। ଲାକ୍ଷାରଞ୍ଜିତ ସୁନ୍ଦର ଛୋଟ ଛୋଟ ଚରଣ ଦୁଇଟି। ସୁବର୍ଣ୍ଣ ନୂପୁର ଲାଜେଇ ଯାଉଛି ସେହି ମନୋହର ଚରଣର ସୌନ୍ଦର୍ଯ୍ୟ ସମ୍ମୁଖରେ। ଲଙ୍କାକୁ ଆସିବା ପରଠାରୁ ସେ କେବଳ ଭୟଙ୍କର ରାକ୍ଷସୀମାନଙ୍କୁ ଦେଖୁଥିଲେ। ହଁ, ରାବଣର ପାଟରାଣୀ ମନ୍ଦୋଦରୀ ଥରେ ଆସିଥିଲେ, ସ୍ୱାମୀ କୃତ ଅନାଚାରର କ୍ଷମା ପ୍ରାର୍ଥନା କରିବା ପାଇଁ । ତାଙ୍କର ବ୍ୟବହାର ନିମିତ୍ତ ପାଟବସ୍ତ୍ର ଓ ଅଳଙ୍କାର ସଙ୍ଗରେ ନେଇ ଆସିଥିଲେ ଏବଂ ସ୍ୱୀକାର କରିବା ପାଇଁ ଅନେକ ଅନୁରୋଧ ମଧ୍ୟ କରିଥିଲେ । ସୀତା ସେସବୁ ଗ୍ରହଣ କରି ନ ଥିବାରୁ ବିରସ ମନରେ ଫେରି ଯାଇଛନ୍ତି ସେ।
ସମ୍ମୁଖରେ ଦେବୀ ସଦୃଶା ପ୍ରତୀୟମାନା ହେଉଥିବା ସୁଲୋଚନାଙ୍କୁ ଦେଖି ପ୍ରଶ୍ନବାଚୀ ଦୃଷ୍ଟିରେ ଚାହିଁ ରହିଲେ ସୀତା। ସୁଲୋଚନା ତାଙ୍କର ଅତି ନିକଟରେ ଭୂମି ଉପରେ ବସି ପଡ଼ି କହିଲେ, ” ମୁଁ ଲଙ୍କେଶ୍ୱରଙ୍କର ପୁତ୍ରବଧୂ ଏବଂ ଇନ୍ଦ୍ରଜିତଙ୍କର ପତ୍ନୀ। ” ଭାବଲେଶହୀନ ଦୃଷ୍ଟି ସୀତାଙ୍କର।
ଅନ୍ତରିକତା ଦେଖାଇ ସୁଲୋଚନା କହିଲେ, ” ଏହି ସ୍ଥାନ ତୁମ ପାଇଁ ପ୍ରଯୁଜ୍ୟା ନୁହେଁ। ମୁଁ ନାଗକନ୍ୟା। ଶକ୍ତି ବଳରେ ତୁମକୁ ତୁମ ସ୍ୱାମୀଙ୍କ ନିକଟକୁ ଫେରି ଯିବାରେ ସାହାଯ୍ୟ କରିପାରିବି। ତୁମକୁ ଏପରି ଅବସ୍ଥାରେ ଦେଖି ହୃଦୟ ମୋର ବିଦୀର୍ଣ୍ଣ ହୋଇଯାଉଛି।”
ସୁଲୋଚନାଙ୍କର ଆତ୍ମୀୟତାରେ ଛଳ ଛଳ ହୋଇଗଲା ସୀତାଙ୍କର ବେନି ନୟନ। ସେ କରୁଣ କଣ୍ଠରେ କହିଲେ, ” ଛଳନା କରି ଦୁଷ୍ଟ ରାବଣ ମୋତେ ସ୍ୱାମୀଙ୍କ ଅନୁପସ୍ଥିତିରେ ହରଣ କରି ଆଣିଛି। ରଘୁବୀର ସ୍ୱୟଂ ଆସି ତାକୁ ଯୁଦ୍ଧରେ ପରାଜିତ କରି ମୋତେ ନେଇଯିବେ। ଏପରି ଭାବରେ ଲୁଚି ଚାଲିଗଲେ ମୋ ସ୍ୱାମୀଙ୍କର ଅସମ୍ମାନ ହେବ। କୃତଜ୍ଞ ରହିଲି ତୁମ ନିକଟରେ। ”
ନିରାଶ ସୁଲୋଚନା ନୟନରେ ଅଶ୍ରୁ ଭରି ବିଦାୟ ନେବା ସମୟରେ କହିଲେ, ” ମୁଁ ଆସୁଥିବି ତୁମ ନିକଟକୁ। ତୁମର ମନସ୍କାମନା ଈଶ୍ୱର ପୂର୍ଣ୍ଣ କରନ୍ତୁ। ”
ପାପର ଦୁର୍ଗରେ ନିଜକୁ ଅସହଜ ମନେ କରୁଥିଲେ ସୁଲୋଚନା। ସ୍ୱାମୀଙ୍କର କଲ୍ୟାଣ ମନାସିବା ପତିବ୍ରତା ନାରୀଙ୍କର ଧର୍ମ। ମନେ ମନେ ପ୍ରାର୍ଥନା କଲେ, ” ହେ କରୁଣା ସାଗର ! ହେ ସଂସାର ପାଳନ କର୍ତ୍ତା ଶ୍ରୀହରି ବିଷ୍ଣୁ ! ମୋ ସ୍ୱାମୀଙ୍କର ସହାୟ ହୁଅ। ତାଙ୍କର ସୁମତି ହେଉ। ”
କ୍ରମଶଃ…..