Latest Odisha News

BREAKING NEWS

କବିତା: ଜୟ ମାତା ଲକ୍ଷ୍ମୀ

 

ସାଧନା ପଣ୍ଡା

ଜୟ ମହାଲକ୍ଷ୍ମୀ ଜୟ ଧନଲକ୍ଷ୍ମୀ
ଜୟ ତୁ ମାତା କମଳା
ମାର୍ଗଶିର ମାସ ଶୁଭ ଗୁରୁବାରେ
ପୂଜନ୍ତି ତତେ ଅବଳା ।।

ମାଆ ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା ଚାଲେ
ମାଣ ବସେ ଘରେ ଘରେ
ଝୋଟି,ଚିତା, ଧୂପ, ଦୀପର ଆଳତି
ଭୋଗ ନୈବେଦ୍ୟରେ ଭରେ।।

ଘରେ ଘରେ ଭରି ଆନନ୍ଦ ଲହରୀ
ଆରାଧନା ପ୍ରତି ପୁରେ
ଓଡିଆ ସଂସ୍କୃତି ପରମ୍ପରା ନିତି
ଜାତିକୁ ମହାନ କରେ ।।

ଓଡିଶାକୁ କରେ ପୂତ ଓ ପବିତ୍ର
ଓଡିଶାର ଓଷା ବ୍ରତ
ମାର୍ଗଶିର ମାସ ଶୁକ୍ଳ ଦଶମୀରେ
କରନ୍ତି ସୁଦଶାବ୍ରତ।।

ମାର୍ଗଶିରରେ ଝୋଟି ଚିତାରେ ସଜାଇ
ଭକ୍ତିରେ ପୂଜଇ ଯିଏ
ଧରି ତୋ’ କୋଳରେ ଶ୍ରଦ୍ଧା କରୁ ତାରେ
ଅଭାବ ଦୂରେଇ ଯାଏ ।।

ମହମହ ଧୂପ ଦୀପ ଅନୁପମ
ବାସରେ ଭରେ ଅଗଣା
ଧନର ଦେବୀ ତୁ ମାତା ମହାଲକ୍ଷ୍ମୀ
ତୋ ମହିମା କି’ ଅଜଣା ।।

ଜଗତ ଜନନୀ ଲକ୍ଷ୍ମୀ ଠାକୁରାଣୀ
ଭେଦାଭଦ ନାହିଁ ତୋର
ଶୁଭ୍ର ଶୁକ୍ଳ ବସ୍ତ୍ର ପ୍ରିୟ ଯେ ଅତ୍ୟନ୍ତ
ମାଗୁଛି ଆଶିଷ ତୋର ।।

ତୁମେ ଅନୁପମ ଶାଶ୍ଵତ ପରମ
ପଦ୍ମପତ୍ରେ ପାଦ ଚିହ୍ନ
ଆଶିଷ ଦାୟିନୀ ସିଦ୍ଧିପ୍ରଦାୟିନୀ
ଜୀବନକୁ କର ପୂର୍ଣ୍ଣ।।

ଅସ୍ପୃଶ୍ଯତା ଭାବ ସଂକୀର୍ଣ୍ଣତା ମନ
କରିଥାଉ ତୁହି ଦୂର
ଆମ ଏ’ ସଂସ୍କୃତି ମହାନ ଯେ ଅତି
ମାଣବସା ଗୁରୁବାର ।।

କେଉଁ ଅର୍ଘ୍ଯ ଦେଇ ତୋତେ ମାଁ ପୂଜିବି
ନୟନେ ମୋ ନାହିଁ ଅଶ୍ରୁ
ନପାଏ ଜୀବନେ କୂଳ କି କିନାରା
ତୁ ପରା କରୁଣା ସିନ୍ଧୁ ।।

 ଭୁବନେଶ୍ବର

Leave A Reply

Your email address will not be published.