Latest Odisha News

BREAKING NEWS

କବିତା : ଦୀପାବଳି

ସାଧନା ପଣ୍ଡା

କାର୍ତ୍ତିକ ମାସେ ଏ ଅମାବାସ୍ୟେ
ପଡଇ ଦୀପାବଳୀ
ଝଲସି ଉଠେ ଦୀପ, ରୋଷଣି
ଆସନ୍ତି ଶ୍ୟାମାକାଳୀ ।୧

ଶରତ ଶେଷେ ହେମନ୍ତ ଆସେ
ସୁନ୍ଦର ଦିଶେ ଧରା
ଆକାଶେ ଜହ୍ନ ଅମାବାସ୍ୟାରେ
ଦିଅନ୍ତି ନାହିଁ ଧରା ।୨

ବର୍ଷକେ ଥରେ ଗୋଟିଏ ଦିନ
ଖୁସି ପସରା ମେଲି
ରଙ୍ଗ ବେରଙ୍ଗ ମୁରୁଜ ସାଥେ
ମାଟିର ଦୀପ ଜାଳି ।୩

ଦାଣ୍ଡ ଦୁଆର ଏରୁଣ୍ଡି ବନ୍ଧ
ସଜାଇ ଦୀପ ଭଳି
ଆଲୋକ ମାଳେ ସଜାଇ ପୁର
ତେଲ ବଳିତା ବଳି ।୪

ଆଲୋକ ପର୍ବ ଏ’ ଯେ ଦିଆଲି
ଧରି ବାଣ ହେବେଳୀ
ପିଲାରୁ ବୁଢା ସଭିଏଁ ପରା
ମାରନ୍ତି ପରା ତାଳି ।୫

ପୟା ଶ୍ରାଦ୍ଧରେ ବଡବଡୁଆ
ଆସନ୍ତି ମର୍ତ୍ତ୍ୟ ପୁର
ପିଣ୍ଡ ଦାନରେ ହୁଅନ୍ତି ତୃପ୍ତ
ଯାଆନ୍ତି ସ୍ଵର୍ଗପୁର ।୬

ସଭିଏଁ ମିଳି ପାଳନ୍ତି ପର୍ବ
ପୁହାଇ ଦେଇ ରାତି
ଖିରି ପିଠାରେ ବାସଇ ପୁର
ଆନନ୍ଦ ମନେ ମାତି ।୭

ନରମୁଣ୍ଡର ମାଳ ଲମ୍ବାଇ
ଦିଅନ୍ତି ଦରଶନ
ସଂହାର କରି ଦୁଷ୍ଟ ଲୋକଙ୍କୁ
ପାଳିବେ ସାଧୁ ଜନ ।୮

ବାଣ ଶବଦେ କମ୍ପିତ ଧରା
କରେ କେତେ ଅତିଷ୍ଠ
ତୁହାକୁ ତୁହା ଉଠଇ ଧୂଆଁ
ପରିବେଶ ଅଶାନ୍ତ ।୯

ଦୂରେଇ ରହି ବାଣ ଫୁଠାରୂ
ପୂଜିବା ଭକ୍ତି ଭରେ
ଶକ୍ତି ଦାୟିନୀ ଖଡ୍ଗଧାରିଣୀ
ତରିବେ ସାଧୁ ନରେ ।୧୦

ଜଗତ ବାସୀ ପୂଜିବା ଆଜି
ଅର୍ଘ୍ଯ ପ୍ରଦୀପ ଜାଳି
ହେବେ ସୁଦୟା ସେ ମହାମାୟା
ଯୋଗମାୟା ମା’ କାଳୀ।।୧୧

ଭୁବନେଶ୍ବର

Leave A Reply

Your email address will not be published.