ଶୈଲେନ ରାଉତରାୟ
ଗଣ୍ଠି ତ ଫିଟିଲା, ଫିଟି ଫିଟି ମଲା,
ଦେଖ ଆରେ ମନ ବାଇ ।
କେବେ ଯା’ ନଥିଲା, ଆଉ ନ ରହିଲା,
କହିବୁ କାହାକୁ ଯାଇ ।୦।
ଏକ ଅଣ୍ଡୁ ଜାତ ହୋଇଛନ୍ତି ସେତ
ବେନି ପକ୍ଷୀ ଏକ ଡାଳେ
ବସି ଇଚ୍ଛାମତେ ଦେଖ ତୁ ନିରତେ
ମାତିଚନ୍ତି ଲୀଳାଖେଳେ ।୧।
ଏକ ତ ଭୁଞ୍ଜଇ ଆର ନ ଚାଖଇ
ଦେଖୁଥାଇ ତା’କୁ ବସି ।
ଦେଖେ ଯେ ଚଢ଼େଇ ମୁଁକାର ଅଟଇ
ବୃକ୍ଷ ଜଞ୍ଜାଳେ ନ ଫସି ।୨।
ଫଳ ଯେ ଗିଳଇ ସେ ଖଗକୁ ତୁହି
ଶିଖା ଭଜିବାକୁ ନାମ ।
ଶିଖି ନ ପାରିଲେ ଶୁଣ ବାବୁ ତୁହି
ହେବ ତୋ’ କରମ ବାମ ।୩।
ତା’ର ଚଞ୍ଚୁଦେଶ ନାମ ଫଳରସ
ଆସ୍ୱାଦନ କଲେ ଥରେ
ବିଷୟା ବିଷୟ ଫଳ ଯେ କଷାୟ
ଆଉ ନ ଇଚ୍ଛିବ ବାରେ ।୪।
ଯେଉଁ ପକ୍ଷୀରାଣ ସାକ୍ଷୀ ରୂପେ ଜାଣ
ବସିଛି ତାଟକା ହୋଇ
ତାହାଠୁ ଯାଇଣ ବାରତା ଗୋ ଆଣ
କୁଳ ଗ୍ରାମ ତା’ର ତୁହି ।୫।
ପ୍ରଥମ ଚରେଇ ନାମ ରାଇ ରାଇ
ମିଶିଯିବ ତରୁ ଡାଳେ ।
ଦ୍ୱିତୀୟଟି ଭାଇ ନିଜ ରୂପ ଧ୍ୟାଇ
ଉଡ଼ିଯିବ ଶୂନ୍ୟଠୁଳେ ।୬।
ପକ୍ଷୀ ଦୁଇଗୋଟି ତୋହର ଯେ ଗଣ୍ଠି
କସି ଧରିଥିଲେ ଥଣ୍ଟ,
ଚାଲିଗଲେ ଯେବେ, ସିଲୁ ରାଉତର
ଆଉ କି ରହିବ ଆଣ୍ଟ ।୭।
Comments are closed.