ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ହତ୍ୟାକାରୀ 

ପ୍ରଥମେ ଦେଖିଥିଲି ତତେ ଦାଣ୍ଡପଟକୁ ଲାଗିଥିବା ଗ୍ରୀଲ ଉହାଡ଼ରେ । ଆତଙ୍କରେ କି ସୁରକ୍ଷାର ଲୋଭରେ ତୁ ତୋର କୁନି ମୁହଁକୁ ଥରି ଯାଉଥିବା ଦେହର ବେଢଣି ମଧ୍ୟରେ ଲୁଚେଇ ରଖିବାକୁ ଚେଷ୍ଟା କରୁଥିଲୁ । ଠାଏ ଠାଏ ରୁମ ଉଲୁରି ଯାଇଥିବା ଦେହ ଓ ମୁହଁରେ ଆଙ୍କିଦେଲା ଭଳି ଧଳାରଙ୍ଗର ଠୋପା ତତେ କୌତୂକିଆ ନୁହେଁ ଅଧିକନ୍ତୁ କରୁଣ ଓ ନିରୀହ କରି ଦେଖଉଥିଲା । ତୋର ଛୋଟିଆ ମୁହଁରେ ସାଲୁବାଲୁ ହେଉଥିବା ଉକୁଣିଆ ପୋକକୁ ଦେଖି ବଡ଼ ବିକଳ ଲାଗିଥିଲା ମୋତେ। ମୋ’ଠାରୁ କାହିଁ କେତେଗୁଣରେ ନିରୁତା ଆଗ୍ରହ ଦେଖେଇ ଝାଙ୍କି ପଡ଼ିଥିଲେ ମୋର ଛୁଆମାନେ ତୋରି କାହାଣୀ ମୋତେ ଶୁଣେଇବାକୁ । କେମିତି ତୋର ଅନ୍ୟାନ୍ୟ ଭାଇ ଭଉଣୀଙ୍କୁ ମାରି ଦେଇଛନ୍ତି ଟ୍ରାକ୍ଟର , ସାଇକେଲ , ଘୁଷୁରୀପଲ କି ଶୀତ । କେମିତି ସାହିର ପିଲା ତୋର ଲାଙ୍ଗୁଡ଼ରେ ବାଣ ବାନ୍ଧି ତୋତେ ତରକେଇ ପକେଇଥିଲେ ନାଳରେ । ଖଣ୍ଡିଆ ଅଖା ଖଣ୍ଡେ ଧରି ନାଳରୁ ଉଠେଇ ଆଣିଥିଲା ଅଙ୍କିତ କାଳେ ତୁ ମରିଯିବୁ ବୋଲି ପଙ୍କରେ ରୁନ୍ଧି ହୋଇ । ମୋର ତୋତେ ଦେଖିବା ପୂର୍ବରୁ ଲେଖା ସରିଥିଲା ତୋତେ ନେଇ ଛୁଆଙ୍କ କୋମଳ ମନରେ କରୁଣ ଇତିହାସ । ସେମାନଙ୍କର କଅଁଳ ବିଚାରର କରୁଣାରେ ସଭିଏଁ ମୋ ଠାରୁ ଚାହୁଁଥିଲେ ତୋର ସୁରକ୍ଷା । ବ୍ୟସ୍ତ ଥିଲି ତେଣୁ ଅଳ୍ପ କିଛି ଉଷୁମ କ୍ଷୀର ତୋତେ ପିଇବାକୁ ଦେଇ ଘରର ଭିତରପଟକୁ ନେଇ ଆସିବାର ଦାୟିତ୍ୱ ପିଲାଙ୍କୁ ଦେଇ ନିଜ କାମରେ ରହିଗଲି ସେହିଦିନ ।

ମୋ’ ପାଖରେ ରହୁଥିବା ଷୋହଳ ପିଲାଙ୍କ ସହ ତୁ ସାମିଲ ହୋଇ ଯାଇଥିଲୁ ସେହି ରାତିଠାରୁ । ପିଲାମାନେ ବାଛି ବୁଛି ନାମଟେ ଦେଇ ସାରିଥିଲେ ” ରୋନକ୍ ” । ନାମକରଣ ପଛରେ ଛୋଟିଆ ଅଥଚ ପିଲାଙ୍କ ଲାଗି ବଡ଼ କାରଣଟେ ଯୋଡି ହୋଇଥିଲା । ସେହି ସମୟରେ ଓଡିଶା ବାହାରୁ ଆସି ଆମ ବିଦ୍ୟାଳୟରେ ନାଁ ଲେଖେଇଥିବା ଷ୍ଟାଇଲିସ ପିଲାଟିର ନାଁ ଥିଲା ରୋନକ୍ । ଏମିତି ଗୋଟିଏ ନାଁ ଦେଇ ପିଲାଏ ଗଭୀର ଆତ୍ମତୃପ୍ତି ଲାଭ କରୁଥିଲେ।ସେଇଥିପାଇଁ ମୋର ଜଣେ ସାମ୍ବାଦିକ ବନ୍ଧୁ ତୋର ନାମକରଣରେ ବହେ ହସିଥିଲେ । ପିଲାଙ୍କୁ ଚିଡ଼େଇ କହିଥିଲେ , “ଛିଃ ! ଏଡ଼େ ଗନ୍ଧିଆ କୁକୁରର ଏମିତି ଦାମୀ ନାଁ ! ଆଫିଡେବିଟ କରି ନାଁଟା ଚେଞ୍ଜ କରିଦିଅ । ନହେଲେ ଶୁଣି ଲୋକେ ହସିବେ ।” ନାଇଁ .. ନାଇଁ..” ପିଲାଏ ସମବେତ ସ୍ୱରରେ ଆପତ୍ତି କରିଥିଲେ । ତୋର ଅପମାନ ହେଉଛି ବୋଲି ଜଣେ ତତେ ଆଉଁସି ପକେଇଥିଲା ଆବେଗରେ । ତୁ ଚାହୁଁଥିଲୁ ଜୁଳୁ ଜୁଳୁ ପିଲାଙ୍କ ତିଆରି ଶେଯ ଉପରେ ନିଜକୁ ଦରଶୁଆ କରି । ତୁ ଖୋଜୁଥିବା ବିଶ୍ୱାସ ଏବଂ ଆଶ୍ବାସନାକୁ ପିଲାଏ ଦେଇ ସାରିଥିଲେ ।ବାକି ରହି ଯାଇଥିଲି ମୁଁ । ଦେଇ ପାରିଲି କଣ ?

ଶିକୁଳିରେ ଅଟକେଇ ରଖିବାର ଆଗ୍ରହ ନା ମୋ ଭିତରେ କେବେ ତିଆରି ହୋଇଥିଲା ନା ଛୁଆମାନଙ୍କର ମାନସିକତାରେ । ତୁ ବି ତୋର ସ୍ୱାଧୀନତାକୁ ଆକଣ୍ଠ କରୁଥିଲୁ ପିଲାଙ୍କ ଭିତରେ ପିଲା ହୋଇ । ଖରାଦିନେ କୁଲର ଆଗରେ ଗୋଡ଼ ଲମ୍ବେଇ ଶୋଉଥିଲୁ ।ଶୀତଦିନେ ଖଟତଳେ ଗଦା ହୋଇଥିବା ବହିପତ୍ରର ବ୍ୟାଗ ଉପରେ ନଚେତ ପିଲାଙ୍କ ଉପରେ ଖସି ପଡିଥିବା କମ୍ବଳ ଖଣ୍ଡକରେ । ନର୍ସରୀରେ ପଢ଼ୁଥିବା ଛୁଆମାନେ ତୋର କାନମୋଡ଼ି ବାଧ୍ୟ ଛାତ୍ର କରି ଦାଣ୍ଡପିଣ୍ଡାରେ ବସି ପଢ଼ାନ୍ତି । ମଝିରେ ମଝିରେ ବାଡ଼ିରେ ପାହାରେ ଲେଖାଏଁ ଦିଅନ୍ତି । ନିର୍ବୁଦ୍ଧିଆ ଛାତ୍ର ଭଳି ମାଡ଼ ଖାଇ ଗାଲେଇ ହୋଇ ପଡିଥାଉ ସେମିତି । ଦୌଡ଼ି ପଳାଇବା କି ଦାନ୍ତ ଦେଖେଇ ପିଲାଙ୍କୁ ଖିଙ୍କାରି ହେବା ଯେମିତି ତୁ ଜାଣି ନଥିଲୁ । ଯେମିତି ତୁ ବୁଝି ଯାଇଥିଲୁ ପିଲାଙ୍କର ଅଦଉତିକୁ ଆଦରିନେବାଟା ତୋର ଭାଇପଣିଆ । ମୁଁ ରାଗୁଥିଲି ତତେ ଅନେକ ସମୟରେ କେବେ କାରଣ ଥାଇ ତ କେବେ ଅକାରଣରେ । କାମ ବି କରୁଥିଲୁ ସେମିତି । ରନ୍ଧା ହେଇ ବଢ଼ା ହେଉଥିବା ଖାଇବାରେ ସିନା ମୁହଁ ମାରୁ ନଥିଲୁ କିନ୍ତୁ ପିଲାଏ ଘରୁ ଆଣିଥିବା ଚୁଡ଼ା , ମୁଢ଼ି , ବିସ୍କୁଟ , ଛତୁଆ ଖୋଲା ପଡ଼ିଥିଲେ ଖାଇ ସଫା କରି ଦେଉଥିଲୁ । କଣ ଲାଗୁଥିଲା ରବର ସ୍କୁଲ ବ୍ୟାଗ କି ପିଲାଙ୍କ ଜୋତା , ଚପଲ ଯେ ତୁ ଲାଗିପଡି କାମୁଡି ଛିଣ୍ଡେଇ ଦେଉଥିଲୁ । ଯେଉଁ ପିଲା ତୋର ଏଇ ଫାଜିଲାମି ଦେଖୁଥିଲା ସେ ନିଜେ ତ ଦଣ୍ଡ ଦେଉଥିଲା ନହେଲେ ମୋ ଦ୍ୱାରା ଦିଆଉଥିଲା । ବିରକ୍ତି ଅନୁଯାୟୀ ଦଣ୍ଡର ପରିମାଣ କମୁଥିଲା ନହେଲା ବଢ଼ୁଥିଲା । ପିଲାଙ୍କ ମାଡ଼ ତତେ କାଟୁ ନଥିଲା କିନ୍ତୁ ମୁଁ ଧମକେଇଲେ କି ବାଡିଏ ଦେଲେ ତୁ କାନ୍ଦିଲା ଭଳି ରଡୁଥିଲୁ ଓ ମୋ ଭଳି ରୁଷୁଥିଲୁ । କିଛି ଖାଇବାକୁ ଦେଲେ ତୁ ମୁହଁ ବୁଲେଇ ନେଉଥିଲୁ ହେଲେ ଦାଣ୍ଡ ପିଣ୍ଡା ଛାଡ଼ି କୁଆଡେ ଯାଉ ନଥିଲୁ । ଏମିତି ଚାହୁଁଥିଲୁ ଯେମିତି ମୁଁ ତୋତେ ଖୁସାମତ କରେ , ତତେ ଭୁଲ ମାଗେ । ମୁଁ ମୋ ଭଳି ଥିଲି ରୋନକ ସେବେ ବି .. ଏବେ ବି । ବୁଝିଥିବି ଜଣେ ଖୋଜୁଛି , ଲୋଡୁଛି କିନ୍ତୁ ସେଯାଏଁ ପହଞ୍ଚିପାରୁନଥିବି ଯଦି ମୁହଁ ଖୋଲି କିଏ ନ ଲୋଡିଛି ମୋତେ । ପିଲାଏ ତୋତେ ବୁଝାଉଥିଲେ , ମନାଉଥିଲେ ଆଉ ଖୁଆଇବାରେ ଖୁବ ଶୀଘ୍ର ସଫଳ ହେଉଥିଲେ । ସବୁ ପିଲାଙ୍କ ଭଳି ତୁ ବି ଶୀଘ୍ର କ୍ଷମା କରି ଦେଉଥିଲୁ ମତେ ।

ସାହି କୁକୁରମାନଙ୍କ ସହ ତୋର କେବେ ଭଲ ପଡୁନଥିଲା । କେତେବେଳେ କେଉଁ ସନ୍ଧିରେ ସେମାନଙ୍କ ସହ କଜିଆ କରି ଘର ଭିତରେ ଲୁଚି ପଡୁଥିଲୁ । ବୁଢା ହୋଇ ଆସୁଥିବା ଛୋଟା କୁକୁରଟେକୁ ପିଲାଏ ଖାଇବାକୁ ଦେଉଥିଲେ ଯେ ଦିନାକେତେ ତୁ ଖୁଆଇ ଦେଉନଥିଲୁ ତାକୁ । ପରେ ଏତେ ଆରି ଗଲୁ ଯେ ତାକୁ ବଡ ଭାଇନା କରି ତୋର ସବୁ କାମରେ ଲୋଡିବସିଲୁ । ଛୋଟାକୁ ଘର ଭିତରକୁ ଆସିବାକୁ ଦିଆ ଯାଉନଥିଲା ବୋଲି ତୁ ତାକୁ ଦେଖେଇ ହୋଇ ଘର ଭିତରକୁ ଅକାରଣରେ ଆସୁଥିଲୁ , ଯାଉଥିଲୁ । ପିଲାଏ ବୁଝିପାରି ହସୁଥିଲେ । ପିଲାଙ୍କ ସହ ମୁଁ ମଧ୍ୟ ତୋର ଫୁଲେଇପଣକୁ ନେଇ ଗପୁଥିଲି । ତୁ ବି ବୁଝି ପାରୁଥିଲୁ କି କଣ କାନ ତରାଟି , ଲାଙ୍ଗୁଡ଼ ହଲାଇ ଆମ ପାଖରେ ଗେଲେଇ ହେଉଥିଲୁ ।

ତୋର କିଛିଟା ଦୁଷ୍ଟାମୀ ମୋର ମୁହୂର୍ତ୍ତମାନଙ୍କୁ ପ୍ରାଣବନ୍ତ କରୁଥିଲା । କୁଆଡେ ବାହାରୁଚି ମାନେ ତୋ କଥା ସରିଲା । ଜିଦ ଧରୁ ମୋ ସହ ଯିବା ଲାଗି । ଗାଳି କଲେ , ପିଟିଲେ ତତେ କିଛି ଫରକ ପଡେନି । ସବୁ ସାହିର ଛକରେ ଥିବା କୁକୁରମାନଙ୍କ ଦାନ୍ତ ନିକୁଟା ଗର୍ଜନ ତୋର ମନକୁ ଆସେନି କାରଣ ତୁ ଜାଣି ଥାଉ ମୁଁ ଅଛି ମାନେ ତୋର କେହି କିଛି କ୍ଷତି କରିବେନି । ତୁ କାହୁଁ ବୁଝିବୁ ବାଡ଼ି ଖଣ୍ଡିଏ ଧରି କୁକୁରମାନଙ୍କୁ ଆଖି ତରାଟି ପାଟି ନକରି ତତେ ସୁରକ୍ଷା ଦେଇ ଆଗେଇଲା ବେଳେ ମୁଁ କେତେ ସଙ୍କୁଚିତ ହୋଇ ପଡୁଥାଏ ରାସ୍ତାରେ । ତୁ କେଉଁ ମାନୁ ଯେ ! ଲୁଚି କି ଗଲେ ବି କେଉଁଠି ଥାଉ ଅଧା ରାସ୍ତାରେ ଘଷି ହୋଇ ଲାଙ୍ଗୁଡ଼ ହଲାଇ ଖୁସିରେ ନିଜ ଉପସ୍ଥିତିକୁ ଜାହିର କରୁ । ତତେ କୁକୁରମାନଙ୍କଠାରୁ ଜଗୁ ଜଗୁ ମୁଁ ଅପଦସ୍ତ ହେଉଥିଲା ବେଳେ ତୁ ତୋ ପାରିଲାପଣରେ ଫୁଟାଣି ମାରୁ । ନିଜ ଆଡୁ କୁକୁରମାନଙ୍କୁ ଭୁକି ଜଣେଇ ଦେଉ ଯେ, ଦେଖ ମୁଁ ଯାଉଛି । ତୁମେ ଚାହିଁଲେ ମୋର କିଛି ବିଗାଡି ପାରିବ ନାହିଁ । ତୋ ଦେଖା ଦେଖି ଛୋଟା ବି ସାଙ୍ଗ ହେଲା । କାହା ବାଇକରେ ବସି ଗଲେ ବି ନିସ୍ତାର ନଥିଲା ମୋର । ବାଇକ ସହ ଏମିତି ଦୌଡୁଥିଲ ଦୁହେଁ ଯେ ମୁଁ ଓହ୍ଲାଉଥିଲି ବାଧ୍ୟ ହୋଇ । ସ୍କୁଲ ହେଉ କି ବଜାର , ପ୍ରଦର୍ଶନୀ ପଡିଆ ହେଉ କି ବନ୍ଧୁଘର ତୁମେ ଦୁହେଁ ଆସିଯାଉଥିଲ କଥାବାର୍ତ୍ତା ହୋଇ । ଛୋଟା ଅପେକ୍ଷାକୃତ ଧୀର ଓ ସାହସୀ ଥିଲା । ତୁ ଦୁଷ୍ଟ ଆଉ ଚୁଲବୁଲ ଥିଲୁ । ଛୋଟା ଭଳି ତୁ ଲଢ଼ିବା ପସନ୍ଦ କରୁନଥିଲୁ ଓଲଟା ଗଣ୍ଡଗୋଳଟେ ଭିଆଇ ଘରେ ଲୁଚି ପଡ଼ୁଥିଲୁ ।

ମୁଁ ଚାହୁଁଥିଲି ତୋ ଦୁଷ୍ଟାମୀ ମୋ ପୃଥିବୀରେ ସୀମିତ ରହୁ । ମତେ ଗହଳି ଭୟ ଲାଗେ । ଲୋକଙ୍କ ସହ ଅବୁଝାମଣାକୁ ଭୟ ଲାଗେ । ଜାବୁଡି ଧରେ ଅଲୋଡ଼ା, ଅପମାନିତ ହେବାର ଭୟ । ବହୁତ କିଛି ଶବ୍ଦର ତାତିଲାପଣକୁ ମୁଁ ସହିବାକୁ ପ୍ରସ୍ତୁତ ନଥିଲି କେବେ । ମୁଁ ମୋର ଛୁଆମାନେ ସମ୍ଭାବ୍ୟ ଆକ୍ରମଣଠାରୁ ଢେର ଦୂରରେ ରହିବାକୁ ଚେଷ୍ଟା କରୁଥିଲୁ ସବୁବେଳେ । ଘର ବାହାରେ ପାଖ ପଡ଼ୋଶୀଏ କଣ କରୁଛନ୍ତି , କହୁଛନ୍ତି ସେଥିରେ ଆମେ ମୁଣ୍ଡ ପୂରାଉ ନଥିଲୁ । ଏତେ ପିଲା ଥିଲେ । ନିଜ ଭିତରେ ବାଡ଼ିଆ ପିଟା ,ରାଗରୁଷା , ମୁହଁ ଫୁଲା ସବୁ ଏଡ଼େ ଶୃଙ୍ଖଳିତ ଢଙ୍ଗରେ କରୁଥିଲେ ଯେ ବାହାର ଯାଏଁ କଥା ଯାଉ ନଥିଲା । କିନ୍ତୁ ତୁ ମୋର କୌଣସି ଆକଟକୁ ମାନୁ ନଥିଲୁ । ଟିକେ ସୁବିଧା ପାଇଲେ ଦାଣ୍ଡକୁ ଯାଇ ବାହାର ପିଲାଙ୍କ ସହ , କୁକୁର ବିଲେଇ ଗାଈଗୋରୁ , ଘୁଷୁରୀଙ୍କ ସହ କଜିଆ କରି ଘର ଯାଏଁ ଟାଣି ଆଣୁଥିଲୁ ।

ଯେତିକି ବଡ଼ ହେଇ ହେଇ ଯାଉଥିଲୁ ସାହିର କୁକୁରମାନଙ୍କ ପାଖରେ ଗଉଁ ତ ଦେଖାଉଥିଲୁ ପାଖ ପଡ଼ୋଶୀଙ୍କ ଘରକୁ ଯାଇ ସେମାନଙ୍କ ଅସନ୍ତୁଷ୍ଟି ଅର୍ଜୁଥିଲୁ । କେବେ କାହା ଅଗଣାରେ ମାଛ କଣ୍ଟା ସହ ବିଷାକ୍ତ ପଦାର୍ଥ ଖାଇ ଭୟଙ୍କର ଅସୁସ୍ଥ ହେଉଥିଲୁ ତ କେବେ କାହାର ଘରୋଇ କଳିର କୁହୁଳା ପେଜରେ ଶିଝାଉଥିଲୁ ପେଟ ,ପିଠି । କେଉଁଠି କାହା ମାଡ଼ ଖାଇ ଗୋଡ଼ ଭାଙ୍ଗି ଆସୁଥିଲୁ ତ କେଉଁଠି ଢେଲା ମାଡ଼ରେ ମୁଣ୍ଡ କଣା କରି ଫେରୁଥିଲୁ । ବାନ୍ଧି ରଖିବାକୁ କେଉଁ ଛାଡିଥିଲୁ ଜାଗା କହ ରୋନକ ? କାହା ପାଖରେ ସମୟ ଥିଲା ତତେ ଜଗିବାକୁ ଚବିଶ ଘଣ୍ଟା ? ହଁ, ତୁ ମତେ ଖର୍ଚ୍ଚାନ୍ତ କରାଉ ନଥିଲୁ । କେବେ କେମିତି ପୋଲାଙ୍ଗ ତେଲ କି କର୍ପୂର ମିଶା ନଡ଼ିଆ ତେଲ , କିଛି ଅଇଣ୍ଟମେଣ୍ଟ ନହେଲେ ପୂଜା ହଳଦୀ ଲଗେଇ ଦେଲେ ତୁ ଦେଖେଇ ଦେଉଥିଲୁ ତୋ କ୍ଷତର ଜାଗା । ପୋଡ଼ା ଘାଆରେ ଦଲଦଲେଇ ଯାଉଥିବା ତୋର ପିଠି କି ଢେଲା ବାଜି ଖଣ୍ଡିଆ ହୋଇଥିବା ଗୋଡ଼ରେ ପିଲାଙ୍କ ଗୋଡ଼ , ହାତ କି ସ୍କୁଲ ବ୍ୟାଗ ବାଜି ଗଲେ ତୁ ଯନ୍ତ୍ରଣାରେ ଚିତ୍କାର କରୁଥିଲୁ ସିନା ପିଲାଙ୍କୁ ଦିନେ ବି ରାଞ୍ଚୁଡି ନଥିଲୁ ରାଗରେ କି କଷ୍ଟରେ ।

ତୁ ଆମ ଚଳିବାଠାରୁ ଅଲଗା ଥିଲୁ । କିଛି ଅସ୍ୱାଭାବିକ , କିଛି ଅସଙ୍ଗତ କିଛି ଅନ୍ୟାୟ ଯାହା ତୋତେ ଭଲ ଲାଗୁନଥିଲା ତୁ ପ୍ରତିବାଦ କରୁଥିଲୁ ଚିତ୍କାର କରି -ଭୁକି ଭୁକି । ତୋ ଭଳି ଦେଶୀ ବୁଲା କୁକୁର ଯେ ଏଡ଼େ ବଡ଼ ପାଟିରେ ପ୍ରତିବାଦ କରିପାରେ ଏଇଟା ତୋତେ କେବେ ଆହତ କରିଥିବା ମଣିଷର ଅହଂକାରକୁ ବାଧୁଥିଲା । ତୁ ଆଦୌ ପସନ୍ଦ କରୁନଥିଲୁ ତତେ ବିନା କାରଣରେ ହଇରାଣ କରିଥିବା ପିଲାଙ୍କୁ , ବଡ଼ ମଣିଷକୁ , ଗାଈ କି ବୁଲାକୁକୁରଙ୍କୁ । ତୁ ତୋର ଆକ୍ରମଣକାରୀଙ୍କୁ ମନେ ରଖିଥିଲୁ ତେଣୁ ସୁବିଧା ପାଇଲେ ବଡ଼ ପାଟି କରି ଭୁକିପାରୁଥୁଲୁ ଘର ଦାଣ୍ଡପିଣ୍ଡାରେ ଥାଇ । ଭୟ ତ କିଛି ଅର୍ଜିଥିଲୁ ମୋ ଠାରୁ ପାଖରେ ରହୁଥିଲୁ ଯେହେତୁ ! ଅଭିଯୋଗର ଫର୍ଦ୍ଦ ଲମ୍ବୁଥିଲା ତତେ ନେଇ ମୋ ପାଖରେ । ଅଶାନ୍ତି , ଅବୁଝାମଣାକୁ ଡରୁଥିଲେ ହେଁ ମୁଁ ତୋର ପ୍ରତିବାଦର ତରିକ୍କାକୁ ନିରବରେ ସମର୍ଥନ କରୁଥିଲି ।କାହିଁ ଶୋଇଥିବା କୁକୁର ଗୋଟେକୁ ଦେଖିଲେ ଢେଲା ମାରନ୍ତି ପିଲା ? କାହିଁ ଚଢେଇ ଦିଏ ସାଇକେଲ ? କାହିଁକି ପାହାରେ ଦିଏ ଠେଙ୍ଗା ଧରି ବାଟ ଚାଲୁଥିବା ବୁଢା ? ମୁଁ କହି ପାରେନି । ପିଲାମାନେ କହିବାକୁ ଚାହୁଁଥିଲେ ବି କୁହନ୍ତିନି । ତୋ ସପକ୍ଷରେ ଲମ୍ବା ଚଉଡ଼ା ଯୁକ୍ତିମାନ ଥିଲା ପିଲାଙ୍କ ପାଖରେ । ତୁ ନିଜ ପାଇଁ ଲଢେଇ କରି ପାରୁଚୁ ଦେଖି ମୁଁ ଭିତରେ ଭିତରେ କେଉଁଠି ଖୁସି ହେଉଥିଲେ ବି ଡରୁଥିଲି । ମୁଁ ନାହିଁ… ନାହିଁ କହୁ କହୁ ତୁ ତୋର ସକଳ ଉଦ୍ଦାମତା ଦେଖେଇ ଗ୍ରୀଲ ଖୋଲୁ ଖୋଲୁ କୁଦା ମାରି ଯେଉଁ ଉଭାନ ହୋଇଯାଉ ମୁଁ ଉଦାସ ହୁଏ ।

ମୁଁ ଜାଣୁଥିଲି ତୁ ବର୍ଷି ପାରୁନଥିବା ଗୋଟେ ଗର୍ଜିଲା ମେଘ ଖଣ୍ଡେ । ଗୋଟେ ନୂଆ ଝିଅ ସାଙ୍ଗ ଅର୍ଜି ସାରିଛୁ ଏବଂ ସେହି ସାଙ୍ଗ ପାଇଁ ତୁ ଅଧିକ ମାଡୁଆ , ଗାଲୁଆ ହୋଇଯାଇଛୁ ସେହି ଖବର ପିଲାଏ ମୋତେ ଦେଇ ସାରିଥିଲେ । ଅଭିଯୋଗ ସିଧା ସଳଖ ମୋ ପାଖକୁ ନ ଆସୁଥିଲେ ବି ତୋତେ ନେଇ ଲୋକେ ଉତକ୍ଷିପ୍ତ ହେବା ଆରମ୍ଭ କଲେଣି ବୋଲି ମୁଁ ଚାହୁଁଥିଲି ତୁ ବାହାରକୁ ଯାଇ ଆଉ ଅଧିକ ବିରକ୍ତି ଗୋଟାନା । ତୁ ତ ତୁ । କେଉଁ ମାନିଲୁ ? ଗ୍ରୀଲ ଖୋଲୁ ଖୋଲୁ ତର୍କିଲା ଭଳି କାନକୁ ତରାଟି କୁଆଡେ ଉଭାନ ହୋଇଗଲୁ ତତେ ଯାଆନି .. ଯାଆନି କହୁ କହୁ । ଲାଗୁଥିଲା କିଛି ଗୋଟାଏ ଘଟିବ ନିଶ୍ଚୟ ଯାହାକୁ ମୁଁ ସ୍ୱାଭାବିକ ଭାବରେ ନେଇ ପାରିବି ନାହିଁ ।

ଏପ୍ରିଲ ମାସର ଖରାରେ ଶିଝି ମଧ୍ୟାହ୍ନରେ ଘରକୁ ଫେରି ଦେଖିଲି ଦାଣ୍ଡପିଣ୍ଡାରେ ଲୋକ ଗହଳି ଆଉ ଗହଳି ଦେଖି ଗାଉଁ ଗାଉଁ ହେଉଥିବା ତୁ । କେଉଁ ପିଲାକୁ ଗୋଟାଏ କାମୁଡି ଆସିଚୁ ବୋଲି ଶୋଧା ବକା କରୁଥିଲା ପିଲାର ମାଆ । ତୋତେ ଘରେ ପୁରେଇ ସାହିଲୋକଙ୍କୁ ମୁଁ କେଡ଼େ ହଇରାଣ କରୁଚି ବୋଲି ମୋତେ ବି ଛାଡୁ ନଥିଲା ସେଥିରେ । ମୋ ପାଟି ଅଠା ଅଠା ହୋଇ ଯାଉଥିଲା । ମୋ ଗୋଡରୁ ହୁଗୁଳି ଯାଉଥିଲା ବଳ । ସେମିତି ଠିଆ ହୋଇଥିଲି ପଥର ଭଳି ଲୁହକୋହରେ ରୁନ୍ଧି ହୋଇ। ନିଜ ଘର ସାମ୍ନାରେ ଲୋକଙ୍କ ଗହଳିରେ ଅଚିହ୍ନା ଲୋକଟିଏ ଅଥବା ବସ୍ତୁଟିଏ ଭଳି କେବଳ ଠିଆ ହିଁ ହୋଇଥିଲି । କେହି ମୋତେ ଦେଖିବା ପୂର୍ବରୁ ତୁ ଦେଖିଦେଲୁ ମୋତେ ତ ଉଠି ଠିଆ ହୋଇଗଲୁ । ତୋ ବିଶ୍ଵାସର , ଦମ୍ଭର , ଆଦରର ମଣିଷକୁ ଆଗରେ ଦେଖି ତୁ ତୋ ଭଳି ଖୁସି ହୋଇଗଲୁ । କହିବାକୁ ଚାହୁଁଥିଲୁ ଦେଖ ଏଇ ଅବୁଝା ଲୋକଙ୍କୁ । କେମିତି ଏକଜୁଟ ହୋଇଛନ୍ତି ତୋ ବିରୁଦ୍ଧରେ ଅକାରଣରେ । ଗ୍ରୀଲ ଭିତର ପଟୁ ବନ୍ଦ କରା ଯାଇଥିଲା । ପିଲାଏ କେହି ନଥିଲେ ବାହାରେ । ସବୁ ପ୍ରସ୍ତୁତି ସରିଥିଲା ମୋର ଆସିବା ପୂର୍ବରୁ । ଏନଏସି ର ଗାଡି ଠିଆ ହୋଇଥିଲା ଘର ସାମ୍ନାରେ । ଭାବିଲି ତତେ ସେହି ଗାଡ଼ିରେ ନେଇଯିବେ । ଗହଳି ଭିତରେ ମୋତେ ଦେଖି ମୋ ଆଡ଼କୁ ଦୌଡ଼ି ଆସୁଥିଲୁ ତ ଜଣେ ଠେଙ୍ଗାରେ ଦେଲା ପାହାରେ । ତାପରେ କେତେ କେତେ ହାତର କେତେ କେତେ ପାହାର । ତୁ ଠିଆ ହେବା ଅବସ୍ଥାରେ ବଙ୍କା ହୋଇଗଲୁ ମାଡ଼ରେ ଏବଂ ମୋତେ ଚାହିଁଥିଲୁ ଅବିଶ୍ୱାସର ଆତଙ୍କରେ । ମୁଁ ଥିଲି ସେମିତି ଚୁପ , ନିଜକୁ ଯଥେଷ୍ଟ ଘୃଣା କଲା ଭଳି କିଂକର୍ତ୍ତବ୍ୟବିମୁଢ ।

ମେଞ୍ଚେ ଆଳିଆକୁ ଗୋଟେଇ ନେଲା ଭଳି ଗୋଟେଇ ନେଲେ ତୋତେ ଏନଏସି ଠେଲାରେ । ପାଗଳା କୁକୁର ଗୋଟେ ପିଲାଙ୍କୁ ଗୋଡେଇ କାମୁଡୁଛି ବୋଲି ଅଭିଯୋଗ ସାହିରୁ ପାଇ ଆସିଥିଲେ ସେମାନେ । ମିଳିଗଲୁ ସେମାନଙ୍କୁ ତୁ ସହଜରେ ଦାଣ୍ଡପିଣ୍ଡାରେ । ଘରର ବେଲ୍ଟ ନଥିଲା ତୋ ବେକରେ ତେଣୁ ତୁ ପୋଷା ନଥିଲୁ କୁଆଡେ ! ତତେ ମାରି ଗଡ଼ଜୟର ଆଶ୍ୱସ୍ତିରେ ଫେରିଗଲେ ତତେ ନେଇ ଅଭିଯୋଗରେ ରୁଣ୍ଡେଇ ହୋଇଥିବା ଲୋକ । ତୋ ପାଟିରୁ ବାହାରିଥିବା ବହଳ ରକ୍ତରେ ଭିଜି ଯାଇଥିଲା ତୋର ପ୍ରଥମ ଆଶ୍ରୟର ଜାଗା ଖଣ୍ଡକ । ମୁଁ କାହାକୁ ଚାହୁଁ ନଥିଲି , କାହାଠାରୁ କିଛି ଶୁଣିବାକୁ ଚାହୁଁ ନଥିଲି । ପାଟି ତ ଏମିତିରେ ଚୁପ ଥାଏ ଜନ୍ମରୁ ଯେତେବେଳେ ପ୍ରତିବାଦ ପାଇଁ ପାଟି ଖୋଲିବାର ଆବଶ୍ୟକତା ମୋର ଥାଏ ।

ମୋର ଭୟ , ମୋର ସ୍ଥାଣୁତ୍ୱ , ମୋର ନିପାରିଲାପଣ , ମୋର ଅସହାୟତାକୁ ପ୍ରତି ମୁହୂର୍ତ୍ତରେ ମୁଁ ଇ ସାମ୍ନା କରୁଛି ରୋନକ୍ ସେହି ଦିନଠାରୁ । ତୋ ରକ୍ତର ଆଇଁଷିଣିଆ ଗନ୍ଧକୁ ଧୋଇବାକୁ ଫିନାଇଲ ପକେଇଚି ଦିନ ଦିନ ଧରି କାହିଁ କେତେ ଦିନ ଲୁହରେ ଅନ୍ଧ ହୋଇ । ଆଜି ବି ତାର ପଚା ଗନ୍ଧ ମାଛକଣ୍ଟା ଭଳି ଲଟକିଛି ତଣ୍ଟିରେ । ଗ୍ଲାନି କି ଦୋଷୀପଣ ଶବ୍ଦ ମୋ ଜିଭକୁ ସାଜିବ କଣ ! ତୋ’ ବିଭତ୍ସ ହତ୍ୟାରେ ସାମିଲ ହୋଇଥିବା ଏଇ ଅମେରୁଦଣ୍ଡୀ ତୋ’ ଠାରୁ କ୍ଷମା ପାଇବାକୁ ଯୋଗ୍ୟା ?